ବିଜେପି ବିଧାୟକଙ୍କ ଧାରଣାସ୍ଥଳକୁ ଆସିଲେ ମୁଖ୍ୟମନ୍ତ୍ରୀ: ଆଲୋଚନା ପାଇଁ ନବୀନ ନିବାସ ଭିତରକୁ କାଡିଲେ, କହିଲେ ସମସ୍ୟା ସମାଧାନ ପାଇଁ ବସିବ ସର୍ବଦଳୀୟ ବୈଠକ

0 313
greentech

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରହୀଙ୍କ ସାନିଟାଇଜର୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରଠାରୁ ୬ ଦିନ ହେଲା ବିଧାନସଭା ଅଚଳାବସ୍ଥା ଲାଗି ରହିଛି। ଏହାକୁ ନେଇ ଶାସକ ଦଳ ବିଜେଡି ସମେତ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୀତି ଜୋର ଧରିଛି। ବିଜେପି ବିଧାୟକ ସୁବାସ କ୍ଷମା ମାଗିବା ଜିଦ୍‌ରେ ବିଜେଡି ଅଡ଼ି ବସିଥିବାବେଳେ ବିଜେପି ଏହାର କଡ଼ା ଜବାବ୍‌ ଦେଇଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ଆକ୍‌ସନ୍‌ ମୁଡ଼ରେ ରହିଛି। ଆଜି ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ହାଇଡ୍ରାମା ଦେଖିବାକୁ ମିଳିଛି। ନବୀନ ନିବାସ ସମ୍ମୁଖରେ ବିଜେପି ବିଧାୟକମାନେ ଧାରଣା ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଧାରଣାସ୍ଥଳକୁ ଆସିଥିଲେ ଏବଂ ସେମାନଙ୍କ ସହ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଡାକିନେଇଥିଲେ।

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକମାନଙ୍କ ଆଲୋଚନା ହୋଇଥିଲା। ଏହି ଅବସରରେ ଧାନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାଚସ୍ପତିଙ୍କ ସହିତ କଥା ହେବା ପରେ ସର୍ବଦଳୀୟ ବୈଠକ ବସିବ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶେଷ ହୋଇଛି । ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ଚାଲିଥିଲା ତାହାକୁ ଏକପ୍ରକାର ଆଲୋଚନା ମାଧ୍ୟମରେ ଶେଷ କରିଛନ୍ତି ନବୀନ ପଟ୍ଟନାୟକ। ବିରୋଧୀଦଳଙ୍କ ଧାରଣାସ୍ଥଳକୁ ଆସି ମୁଖ୍ୟମନ୍ତ୍ରୀ ସମସ୍ୟା ସମାଧାନ ପାଇଁ ସେମାନଙ୍କ ନିକଟକୁ ଆସିବା ଏବଂ ଆଲୋଚନା ନିମନ୍ତେ ନିଜ ବାସଭବନ ଭିତରକୁ ଡାକିବା ରାଜ୍ୟ ରାଜନୀତିରେ ପ୍ରଥମ ବୋଲି ଜଣାପଡ଼ିଛି। ଅପରପକ୍ଷରେ ବିଜେପି ସିଧା ସଳଖ ଏକ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଇ ପହଞ୍ଚିବା ପରେ ସେଠାରେ ମହିଳା ବିଜେଡି ଗୋଷ୍ଠି ପକ୍ଷରୁ ବିଜେପିକୁ ଶଙ୍ଖ ଫୁଙ୍କି ସ୍ୱାଗତ କରାଯାଇଛି ।

ମଣ୍ଡିରେ ଅବ୍ୟବସ୍ଥା ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଥିଲେ ବିଜେପି ବିଧାୟକ। ବିଧାନସଭାରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବୀନ ନିବାସ ବାସଭବନ ପର୍ଯ୍ୟନ୍ତ ସେମାନେ ଚାଲି ଚାଲି ଯାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବାକୁ ସେମାନେ ନବୀନ ନିବାସ ଆସିଥିବା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବିଜେପି ବିଧାୟକଙ୍କ ଶୋଭାଯାତ୍ରା ପଛରେ ବିଜେଡି ବିଧାୟକମାନେ ଶୋଭାଯାତ୍ରା କରି ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିଲେ। ଭିତରକୁ ଯାଇ ନ ପାରି ନବୀନ ନିବାସ ମୁଖ୍ୟ ଫାଟକ ସମ୍ମୁଖରେ ବିଜେପି ବିଧାୟକମାନେ ଧାରଣାରେ ବସିଥିଲେ। ବିଜେଡି ବିଧାୟକମାନେ ସେମାନଙ୍କୁ ଧାରଣାରୁ ହଟିବାକୁ ନିବେଦନ କରିଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଧାରଣାରତ ବିଜେପି ବିଧାୟକମାନଙ୍କ ଉପରେ ପଡ଼ିନଥିଲା।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ବିଧାୟକଙ୍କ ଧାରଣା ସ୍ଥଳକୁ ଆସି ବିଜେପି ବିଧାୟକମାନଙ୍କୁ ନବୀନ ନିବାସ ଭିତରକୁ ଡାକି ନେଇ ଆଲୋଚନା କରିଥିଲେ। ସର୍ବଦଳୀୟ ବୈଠକ ଡକାଯିବ ଓ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ଆଜି ଯାହା ଘଟିଲା, ତାହା ଇତିହାସରେ ପ୍ରଥମ। ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ଇତିହାସରେ ପ୍ରଥମ ଘଟଣା। ଏକ ସର୍ବଦଳୀୟ ବୈଠକ ବସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍ ଶୀଘ୍ର ବୈଠକ ବସିବ ଓ ଏଥିରୁ ସୁଫଳ ମିଳିବ ବୋଲି ଆଶା ରହିଛି। ଏହା ସହିତ ମଣ୍ଡିରୁ ସବୁ ଧାନ ଉଠିବ କଥାରେ ମୁଖ୍ୟମନ୍ତ୍ରୀ ହଁ କରିଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ନବୀନ ଏଥିରେ ରାଜି ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

15 − two =

error: Content is protected !!
Open chat