ବିଧାନସଭା ପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ: ୨ଟି ପର୍ଯ୍ୟାୟରେ ସାଢେ ୪ ଘଣ୍ଟା ଚାଲିବ ଗୃହ

0 365
greentech

ହେବନି ପ୍ରଶ୍ନକାଳ ! ଆଜି ବିଧାୟକଙ୍କ କୋଭିଡ୍‌ ଟେଷ୍ଟ ! !

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ଆସନ୍ତା ୨୯ ତାରିଖ ପର୍ବାହ୍ନ୧୧ଟାରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ପ୍ରତ୍ୟକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ଚାଲିବ । ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ । ସେହିଦିନ ଅପରାହ୍ନ ୩ଟାରୁ ପୁଣଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେବ । ଅନ୍ୟଦିନମାନଙ୍କରେ ଗୃହ କାର୍ଯ୍ୟ ପୂର୍ବାହ୍ଣ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ଚାଲିବ ଓ ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ୩ଟାରୁ ୫ଟା ଯାଏଁ ପରିଚାଳିତ ହେବ । ତେବେ ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୁକ୍ରବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ଅଧିବେଶନ ଆଗରୁ ବିଧାୟକ, ବିଧାନସଭା କର୍ମଚାରୀ, ଷ୍ଟାଫ୍‌ ଡ୍ରାଇଭର ଓ ପିଏସଓମାନଙ୍କର କୋଭିଡ ପରୀକ୍ଷା କରାଯିବ । ଆଜି, ଶନିବାର ସକାଳ ୮ଟାରୁ କୋଭିଡ ପରୀକ୍ଷା ଆରମ୍ଭ ହେବ ବୋଲି ବାଚସ୍ପତି କହିଛନ୍ତି । କରୋନା କଟକଣା ଭିତରେ କିପରି ଗୃହ ପରିଚାଳନା ହେବ ସେନେଇ ଶୁକ୍ରବାର ଦିନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରସ ବିଧାୟକ ଦଳ ନେତା ସାମିଲ ହୋଇଥିଲେ ।

ଗୃହରେ ୧୪୫ ଜଣ ବିଧାୟକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ତଳମହଲାରେ ବାଚସ୍ପତି ଗ୍ୟାଲେରୀ ଏବଂ ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ । ବିଧାୟକମାନେ ବସିକି ପ୍ରଶ୍ନ ପଚାରି ପାରିବେ ଏବଂ ମନ୍ତ୍ରୀମାନେ ମଧ୍ୟ ବସିକରି ଉତର ଦେିବେ । ଯେଉଁ ବରିଷ୍ଠ ବିଧାୟକ ବିଧାନସଭାକୁ ଆସିନପାରିବେ, ସେମାନେ ଲିଖିତ ଆକାରରେ ଦେଲେ ଜିଲ୍ଲାପାଳଙ୍କ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ବ୍ୟବସ୍ଥା କରାଯିବ ।

ଉଲ୍ଲେଖ୍ୟଯୋଗ୍ୟ ଯେ ଆସନ୍ତା ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀକାଳୀନ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ରବିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିବ ।

Leave A Reply

Your email address will not be published.

2 × one =

error: Content is protected !!
Open chat