ବିଶ୍ୱର ପ୍ରଥମ କରୋନା ଭ୍ୟାକସିନର ‘ହ୍ୟୁମାନ ଟ୍ରାଏଲ’ କଲା ଚୀନ : ବିନା ମଞ୍ଜୁରୀରେ ପରୀକ୍ଷଣ କରୁଛି ଚାଇନା କମ୍ପାନୀ !!
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ବିଶ୍ବରେ କରୋନାର ସବୁଠାରୁ ପ୍ରଥମେ ଭ୍ୟାକସିନ୍ ତିଆରି କରିବା ପାଇଁ ଚୀନର ଏକ କମ୍ପାନୀ ପରୀକ୍ଷଣ ଭାବରେ ନିଜର କର୍ମଚାରୀଙ୍କୁ କୋଭିଡ୍-୧୯ ଭ୍ୟାକସିନ୍ ଦେଇଛି। କୁହାଯାଉଛି ଯେ, ଏଥିପାଇଁ କମ୍ପାନୀକୁ କୌଣସି ଅନୁମତି ମିଳିନାହିଁ। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ଭାଇରସ୍ ସଂକ୍ରମଣକୁ ଦେଖି ସାରା ବିଶ୍ବରେ କରୋନା ଭ୍ୟାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଛି।
ଭାରତରେ ମଧ୍ୟ କରୋନା ଭ୍ୟାକସିନର ଟ୍ରାଏଲ ଆରମ୍ଭ ହୋଇସାରିଛି। ଏହା ଭିତରେ ଖବର ଆସିଚି ପାଟନା ଏମ୍ସରେ ଗୁରୁବାର ୭ ଜଣ ଲୋକଙ୍କୁ କରୋନା ଭ୍ୟାକସିନର ପ୍ରଥମ ଡୋଜ୍ ଦିଆଯାଇଛି। ଟ୍ରାଏଲ ପାଇଁ ଏପର୍ଯ୍ୟନ୍ତ ୮ ଜଣ ଲୋକଙ୍କୁ ଏହାର ଡୋଜ୍ ଦିଆଯାଇଛି। ଏବେ ଅତି କମରେ ୫୦ ଜଣଙ୍କ ଉପରେ ଏହାର ଟ୍ରାଏଲ କରାଯିବ।
ଭାରତରେ ତିଆରି ହେଉଥିବା କରୋନା ଭ୍ୟାକସିନକୁ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଛି। ଯଦି ସବୁକିଛି ଠିକ୍ ରୁହେ ତେବେ କୋ-ଭ୍ୟାକସିନ୍ ଖୁବ୍ ଶୀଘ୍ର ବଜାରକୁ ଆସିବ। ଭ୍ୟାକସିନ ଟ୍ରାଏଲ ପାଇଁ ଦେଶର ୧୨ଟି ସଂସ୍ଥାକୁ ଚୟନ କରାଯାଇଛି। ବିଶ୍ବର ସବୁଠାରୁ ଧନୀ ଲୋକଙ୍କ ଭିତରେ ଥିବା ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟସ୍ କହିଛନ୍ତି, ଭାରତର ଫାର୍ମସ୍ୟୁଟିକାଲ୍ସ ଇଣ୍ଡଷ୍ଟ୍ରୀରେ ଏତେ କ୍ଷମତା ରହିଛି ଯେ, ତାହା ସାରା ବିଶ୍ବ ପାଇଁ କରୋନା ଭ୍ୟାକସିନ୍ ତିଆରି କରିପାରେ।
ଉଲ୍ଲେଖନୀୟ ଯେ, କରୋନା ଭାଇରସକୁ ରୋକିବା ପାଇଁ ସାରା ବିଶ୍ବରେ ୧୪୦ରୁ ଅଧିକ ଭ୍ୟାକସିନ୍ ତିଆରି କରାଯାଉଛି। ଓ୍ବାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନ୍ (ଡବ୍ଲୁଏଚଓ)ର ସୂଚନା ଅନୁସାରେ, ବହୁ ଭ୍ୟାକସିନ୍ ଏବେ ଫେଜ୍ ୨ ଟ୍ରାଏଲରୁ ଆଗକୁ ବଢିସାରିଛି। ଭାରତ ବାୟୋଟେକର କୋ-ଭ୍ୟାକସିନ୍ ଓ ଭାରତୀୟ ଔଷଧ କମ୍ପାନୀ Zydus Cadila ର ଭ୍ୟାକସିନ୍ ZyCov-D ର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବା ସହିତ ଅକ୍ସଫୋର୍ଡ ୟୁନିଭର୍ସିଟି, କେନାସିନୋ, ଏସଟ୍ରା-ଜେନିକା, ମର୍ଡନା, ସାଇନୋଫାର୍ମ ସହିତ ଅଧା ଡର୍ଜନ ଭ୍ୟାକସିନ୍ ଆଡଭାନ୍ସ ଫେଜରେ ରହିଛି।