ଶେଷରେ ଭାରତର ଦାବି ମାନିଲା – କୁଳଭୂଷଣ ଯାଦବଙ୍କୁ ତୃତୀୟ ଥର ‘କନ୍‌ସୁଲାର୍‌ ଆକ୍ସେସ୍’ ପାଇଁ ଅନୁମତି ଦେଲା ପାକିସ୍ତାନ

0 341
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଭାରତର ଦାବି ମାନିଲା ପାକିସ୍ତାନ। କୁଳଭୂଷଣ ଯାଦବଙ୍କୁ ତୃତୀୟ ଥର ଲାଗି କନ୍‌ସୁଲାର୍‌ ଆକ୍ସେସ୍ ପ୍ରଦାନ କଲା ପାକିସ୍ତାନ। କନସୁଲାର ଆକ୍ସେସ ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ଭାରତୀୟ ଅଧିକାରୀ ଭେଟିପାରିବେ। ଏହି ସାକ୍ଷାତକାର ସମୟରେ ପାକିସ୍ତାନର କୌଣସି ସୁରକ୍ଷାକର୍ମୀ ସେଠାରେ ଉପସ୍ଥିତ ରହିବେ ନାହିଁ। ଫଳରେ କୁଳଭୂଷଣଙ୍କ ସହ ଏକାକୀ ଆଲୋଚନା କରିପାରିବେ ଭାରତୀୟ ଅଧିକାରୀ।

ଏହାପୂର୍ବରୁ ଗୁରୁବାର ଦିନ କୁଳଭୂଷଣଙ୍କୁ ଦ୍ୱିତୀୟ କନସୁଲାର ଆକ୍ସେସ ପ୍ରଦାନ କରିଥିଲା ପାକ୍‌। ଭାରତର ଦୁଇ ଅଧିକାରୀ କୁଳଭୂଷଣଙ୍କୁ ଏକାକୀ ଭେଟିଥିଲେ। ଏହି ଆଧାରରେ ଗୁରୁବାର ଅପରାହ୍ଣ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ୨ଘଣ୍ଟା ପାଇଁ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ (ଦୂତାବାସ)ର ଦୁଇଜଣ ଅଧିକାରୀ କୁଳଭୂଷଣଙ୍କୁ ସାକ୍ଷାତ କରିବା ପରେ ଏହା ଅବାଧ ଓ ନିଃସର୍ତ୍ତ ନଥିବା ଭାରତ ଅଭିଯୋଗ କରିଛି। ତେଣୁ ଏହି ସାକ୍ଷାତ କନସୁଲାର ଆକସେସ ନୁହେଁ ବୋଲି ଭାରତ କହିଛି। କୁଳଭୂଷଣଙ୍କୁ କନସୁଲାର ଆକସେସ ଯୋଗାଇ ଦେଇଥିବା ନେଇ ପାକିସ୍ତାନ ଦାବି କରିଥିବାବେଳେ ଭାରତ ଏପରି ଅଗ୍ରାହ୍ୟ କରିଛି।

ଦ୍ୱିତୀୟୂ କନସୁଲାର ଆକ୍ସେସ ଦେବା ପୂର୍ବରୁ ପାକିସ୍ତାନ କହିଥିଲା ଯେ କୁଳଭୂଷଣ ତାଙ୍କ ମୃତ୍ୟୁ ଦଣ୍ଡ ବିରୋଧରେ ରିଭ୍ୟୁ ପିଟିସନ ଦେବାକୁ ଚାହୁଁ ନାହାନ୍ତି। ପାକସ୍ତାନର କଥାକୁ ବିଶ୍ୱାସ କରିନଥିଲା ଭାରତ। କୁଳଭୂଷଣ ଚାପରେ ଥିବା କହିବା ସହିତ ତାଙ୍କ କନସୁଲାର ଆକ୍ସେସ ଦେବାକୁ ଦାବି କରିଥିଲା ଭାରତ। ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଦୂତାବାସ ଅଧିକାରୀଙ୍କୁ ଅବାଧ, ନିଃସର୍ତ୍ତ ଓ ବିନା ପ୍ରତିବନ୍ଧକରେ କୁଳଭୂଷଣକୁ ସାକ୍ଷାତ କରିବା ଲାଗି ପାକିସ୍ତାନ କର୍ତ୍ତୃପକ୍ଷ ସୁଯୋଗ ଦେଇ ନଥିଲେ। ଭାରତର ବିରୋଧ ସତ୍ତ୍ବେ ପାକିସ୍ତାନର ଅଧିକାରୀମାନେ କୁଳଭୂଷଣ ଓ ଭାରତୀୟ ଅଧିକାରୀଙ୍କ ନିକଟରେ ବସି ରହି ଭୟ ଓ ଚାପ ସୃଷ୍ଟି କରିଥିଲେ। ଏପରିକି କୁଳଭୂଷଣଙ୍କ ସହିତ ହୋଇଥିବା ସମସ୍ତ କଥାବାର୍ତ୍ତାକୁ ଭିଡିଓ କ୍ୟାମେରା ଦ୍ବାରା ରେକର୍ଡ କରାଯାଇଥିଲା। କୁଳଭୂଷଣ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଥିଲେ। କୁଳଭୂଷଣଙ୍କୁ ସାକ୍ଷାତ ପାଇଁ ପାକିସ୍ତାନ ଯେଉଁ ବ୍ୟବସ୍ଥା କରିଥିଲା ତାହା ମୁକ୍ତ କଥାବାର୍ତ୍ତା କରିବାର ପରିବେଶ ନଥିଲା। ତେଣୁ ପାକିସ୍ତାନ ଯେଉଁ କନସୁଲାର ଆକସେସ୍‌ ଯୋଗାଇ ଦେଇଥିଲା ତାହା ଗ୍ରହଣୀୟ ନୁହେଁ କି ଏହାର କୌଣସି ମୂଲ୍ୟ ନାହିଁ। ପାକିସ୍ତାନ କର୍ତ୍ତୃପକ୍ଷଙ୍କ ନିକଟରେ ଭାରତୀୟ ଦୂତାବାସ ଅଧିକାରୀ ଏହି ପ୍ରତିବାଦ ଜଣାଇ ଫେରିଆସିଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟ କହିଛି ଯେ କୁଳଭୂଷଣ ପ୍ରସଙ୍ଗରେ ପାକିସ୍ତାନ ଏହାର ପ୍ରତିବନ୍ଧକ ଓ ଅନାଗ୍ରହ ପ୍ରଦର୍ଶନ କରିଚାଲିଛି। ଆନ୍ତର୍ଜାତିକ ନ୍ୟାୟିକ ଅଦାଲତ (ଆଇସିଜେ)କୁ ପାକିସ୍ତାନ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ଉଲ୍ଲଙ୍ଘନ କରିଛି। ଏହା ପୂର୍ବରୁ ପାକିସ୍ତାନ କହିଥିଲା ଯେ କୁଳଭୂଷଣ ନିଜ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ନିମନ୍ତେ ଆବେଦନ କରିବାକୁ ଚାହୁଁ ନାହାନ୍ତି। ପାକିସ୍ତାନର ଏପରି ଦାବିକୁ ଭାରତ ଅଗ୍ରାହ୍ୟ କରିଥିଲା। ପରେ କୁଳଭୂଷଣଙ୍କୁ ସାକ୍ଷାତ ଲାଗି ଭାରତକୁ ଅନୁମତି ଦେଇଥିଲା। ଏହା ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ କୁଳଭୂଷଣଙ୍କୁ ପାକିସ୍ତାନ ସରକାର ପ୍ରଥମ କନସୁଲାର ଆକସେସ୍‌ ଦେଇଥିଲେ। ଗୁପ୍ତଚର ଓ ଆତଙ୍କବାଦ କାର୍ଯ୍ୟ ଅଭିଯୋଗରେ ପାକିସ୍ତାନ ସରକାର ୨୦୧୭ ଏପ୍ରିଲରେ କୁଳଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ପାକିସ୍ତାନ ଦାବି କରୁଛି ଯେ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ୨୦୧୬ ମାର୍ଚ୍ଚ ୩ରେ କୁଳଭୂଷଣଙ୍କୁ ବେଲୁଚିସ୍ତାନ ପ୍ରଦେଶରୁ ଗିରଫ କରାଯାଇଥିଲା। ମାତ୍ର ଭାରତ କହିଛି ଯେ କୁଳଭୂଷଣଙ୍କୁ ଇରାନରୁ ଅପହରଣ କରାଯାଇଥିଲା। ଗିରଫ ପରଠାରୁ କୁଳଭୂଷଣଙ୍କୁ ସାକ୍ଷାତ ଲାଗି ପାକିସ୍ତାନ ସରକାର ଭାରତକୁ ଅନୁମତି ଦେଇ ନଥିଲେ। ଯାହା ଭିଏନା ଚୁକ୍ତିର ଉଲ୍ଲଙ୍ଘନ କରିଥିଲା।

Leave A Reply

Your email address will not be published.

1 × four =

error: Content is protected !!
Open chat