ବେସରକାରୀ ସ୍କୁଲଙ୍କ ଧମକ : ଫି’ ଦେବା ପାଇଁ ଅଳଙ୍କାର ବିକିବା ସହ ଫିକ୍ସ ଡିପୋଜିଟ୍କୁ ମଧ୍ୟ ଭାଙ୍ଗିବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ
ଗୁରୁଗ୍ରାମ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ମିଲେନିୟମ୍ ସିଟିରେ ଥିବା ବଡ ସ୍କୁଲରେ ନିଜ ପିଲାଙ୍କୁ ପଢ଼ାଇବା ବାପା ମା’ଙ୍କର ସ୍ବପ୍ନ ଥାଏ। କିନ୍ତୁ ଏବେ ଫି’ ପ୍ରଦାନ କରିବା ପାଇଁ ଅଭିଭାବକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ମାର୍ଚ୍ଚ ମାସରୁ ଏବେ ସୁଦ୍ଧା ଲକ୍ଷେ ଟଙ୍କା ଭରିବା ପାଇଁ ଅଭିଭାବକ ବର୍ତ୍ତମାନ ଅଳଙ୍କାର ବିକ୍ରି କରୁଛନ୍ତି। କେବଳ ସେତିକି ନୁହେଁ, କିଛି ଅଭିଭାବକ ଫିକ୍ସ ଡିପୋଜିଟ୍କୁ ମଧ୍ୟ ଭାଙ୍ଗିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ସ୍କୁଲ ଅଭିଭାବକ ଉପରେ ଫି’ର ଚାପ ପକାଇବା ସହିତ ଅର୍ଦ୍ଧବାର୍ଷିକ ପରୀକ୍ଷା ଏବଂ ବୋର୍ଡ ପରୀକ୍ଷା ବିଷୟରେ ଉଲ୍ଲେଖ କରିଛନ୍ତି । ଯଦି ଫି’ ନ ଦିଅନ୍ତି ତେବେ ପରୀକ୍ଷାରେ ବସାଇବେ ନାହିଁ ବୋଲି ବେସରକାରୀ ବିଦ୍ୟାଳୟଗୁଡ଼ିକ ଚେତାବନୀ ଦେଉଛନ୍ତି ।
ଗୁରୁଗ୍ରାମ ଅଭିଭାବକ ସଂଗଠନର ସଦସ୍ୟ ହିମାଂଶୁ ଶର୍ମା କହିଛନ୍ତି ଯେ, ଅନେକ ଅଭିଭାବକ ଫି’ ଦେବାକୁ ସେମାନଙ୍କ ଏଫଡି ଭାଙ୍ଗିଛନ୍ତି। ଏପରିକି ଅଳଙ୍କାର ମଧ୍ୟ ବନ୍ଧା ପକାଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଭିଭାବକ କହିଛନ୍ତି ଯେ, ତାଙ୍କ ପୁଅ ଏକ ଘରୋଇ ବିଦ୍ୟାଳୟରେ ପଢ଼ନ୍ତି। ଏପର୍ଯ୍ୟନ୍ତ ୭୦ ହଜାର ଟଙ୍କା ଫି’ ଯୋଗାଡ଼ କରିଛନ୍ତି, ଏହାସହିତ ଅଳଙ୍କାର ମଧ୍ୟ ବନ୍ଧା ରଖିଛନ୍ତି। ଆଉ ଜଣେ ଅଭିଭାବକ କହିଛନ୍ତି ଯେ, ତାଙ୍କ ପିଲାମାନଙ୍କର ଅଧ୍ୟୟନ ଜାରି ରଖିବା ପାଇଁ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ଏଭଳି ପରିସ୍ଥିତିରେ ସେ ତାଙ୍କର ଏଫଡି ଭାଙ୍ଗିଛନ୍ତି। ବିଦ୍ୟାଳୟରେ ଫି’ ଦେବା ପରେ ଅର୍ଦ୍ଧବାର୍ଷିକ ପରୀକ୍ଷା ଦେବା ପାଇଁ ଅନୁମତି ଦେଇଛନ୍ତି। ଅଭିଭାବକ ଦେବ କୁମାର କହିଛନ୍ତି ଯେ, ଅଭିଭାବକମାନଙ୍କ ସହିତ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଉଛନ୍ତି।
ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଅନୁଯାୟୀ ଏବେ ଅଭିଭାବକଙ୍କଠାରୁ ଟ୍ରାନ୍ସପୋର୍ଟ ଆଦାୟ କରାଯାଇପାରିବ ନାହିଁ। ଅନ୍ୟପକ୍ଷରେ, ଫି ଜମା କରିବାରେ ଅସମର୍ଥ ଅଭିଭାବକଙ୍କ ଅକ୍ଷମତାକୁ ବୁଝି କିଛି ଦିନ ପାଇଁ ଏକ ସୁଯୋଗ ଦିଆଯାଇପାରେ ।