ଭଙ୍ଗାଯିବ ନାହିଁ ଶ୍ରୀଜିଉଙ୍କ ରଥ : ସ୍ମରଣୀୟ ରହିବ ୨୦୨୦ ରଥଯାତ୍ରା

0 352
greentech

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୩/୦୭ : ରଥଯାତ୍ରା-୨୦୨୦ ସ୍ମରଣୀୟ ହୋଇରହିବ । ବିଶ୍ୱ ବିଖ୍ୟାତ ପୁରୀ ରଥଯାତ୍ରାର ଆକର୍ଷଣ କୁହାଯାଉଥିବା ଶ୍ରୀଜିଉଙ୍କ ତିନି ରଥକୁ ଚଳିତ ଥର ଭଙ୍ଗାଯିବ ନାହିଁ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ନ ଭଙ୍ଗାଯାଇ ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବା ଲାଗି ସ୍ଥିର କରାଯାଇଛି ।

ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କ ସହ ଆଲୋଚନା ପରେ ଚଳିତ ବର୍ଷର ରଥଗୁଡ଼ିକ ନ ଭାଙ୍ଗିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ତିନି ରଥକୁ ସିଂହଦ୍ୱାରଠାରୁ ଜଗନ୍ନାଥ ବଲ୍ଲଭ ପରିସର ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


ସୂଚନାଯୋଗ୍ୟ, ମହାମାରୀ କରୋନା ଭାଇରସ ଚଳିତ ବର୍ଷର ରଥଯାତ୍ରାରେ ପ୍ରଭାବ ପକାଇଥିଲା । ଅନିଶ୍ଚିତତା ମଧ୍ୟରେ ରଥଯାତ୍ରାର ଭାଗ୍ୟ ନିର୍ଦ୍ଧାରଣ ହୋଇଥିଲା । ରଥଯାତ୍ରା ଆୟୋଜନ ନେଇ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଯାତ୍ରାର ୨ ଦିନ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରାର ଆୟୋଜନକୁ ଅନୁମତି ଦେବା ପରେ କୋଟି କୋଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତି ମିଳିଥିଲା । ଶ୍ରୀଜିଉଙ୍କ ରଥଯାତ୍ରା ଘୋର କଟକଣା ମଧ୍ୟରେ ସଂପନ୍ନ ହୋଇଥିଲା । ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତିରେ କରୋନା ପାଇଁ ଲାଗୁ ହୋଇଥିବା ନିୟମକୁ ଗୁରୁତ୍ୱ ଦିଆଯାଇଥିଲା । ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଦୀର୍ଘ ୧୧ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲା । କିନ୍ତୁ ମହରଣା ସେବାୟତମାନେ ଦିନରାତି କାମ କରି ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ କାମ ଶେଷ କରିଥିଲେ । ଶେଷରେ କେବଳ କିଛି ଚୟନିତ ସେବାୟତଙ୍କ ଦ୍ୱାରା ରଥଯାତ୍ରା ଶେଷ ହୋଇଥିଲା ।

Leave A Reply

Your email address will not be published.

three × 1 =

error: Content is protected !!
Open chat