ଭଦ୍ରକ/ଆରଡି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ପୀଠ ତଥା ମନ୍ଦିର ପରିସର ଓ ଚତୁଃପାର୍ଶ୍ୱର ଆନୁଷଙ୍ଗିକ ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଗତ କିଛି ମାସ ହେବ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଉକ୍ତ ମାମଲାର ଗତ ବୁଧବାର ହାଇକୋର୍ଟର ୨ ଜଣିଆ ଖଣ୍ଡପୀଠର ଏହାର ଶୁଣାଣି କରି ଏକ ନିର୍ଦେଶନାମା ଭଦ୍ରକ ଜିଲାପାଳଙ୍କୁ ପଠାଇଥିବା ଜଣାଯାଇଛି।
ଏହି ଶୁଣାଣିରେ ଆଖଣ୍ଡଳମଣିଙ୍କ ପୀଠ ପରିସର ତଥା ଚତୁଃପାର୍ଶ୍ୱ ମୁଖ୍ୟରାସ୍ତାର ସମ୍ପ୍ରସାରଣ ପାଇଁଜବର ଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ରହିଛି। ଏପରିକି ପୀଠ ମୁଖ୍ୟରାସ୍ତାର ସଂକୀର୍ଣ୍ଣତା ଦୂର କରିବା ସହିତ ତୁରନ୍ତ ଆଖଣ୍ଡଳମଣି ପୀଠର ମୁଖ୍ୟରାସ୍ତାରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ହାଇକୋର୍ଟ ଭଦ୍ରକ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ।
ଏହା ସହିତ ମନ୍ଦିର ଚତୁଃପାର୍ଶ୍ୱ ରାସ୍ତା, ମଣିବାବାଙ୍କ ପୁଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀର ଚତୁଃପାର୍ଶ୍ୱ ରାସ୍ତାରୁ ଜବର ଦଖଲ ଉଚ୍ଛେଦ, ପୀଠର ଆନୁଷଙ୍ଗିକ ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଭଦ୍ରକ ଜିଲାପାଳଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।