ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର । ଭାରତରେ ବ୍ୟାନ ହେବା ପରେ ବେଜିଂ ଠାରୁ ଦୂରେଇ ଯିବାକୁ ଚାହୁଁଛି ସୋସିଆଲ ମିଡିଆ ଟିକଟକ୍ । ହେଲେ ଭାରତରେ ଏହି ସର୍ଟ ଭିଡିଓ ଆପର ପ୍ରବଳ ଚାହିଦା ଥିବାରୁ ଏବଂ ବ୍ୟାପକ କ୍ଷତି ସହିବାକୁ ଯାଉଥିବାରୁ ଏବେ ଚୀନଠାରୁ ନିଜକୁ ଦୂରେଇ ନେବାପାଇଁ ଚାହୁଁଛି ସଂସ୍ଥା । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚୀନ କମ୍ପାନି ବାଇଟ ଡ୍ୟାନ୍ସ୍ସ ମାଲିକାନାରେ ଟିକଟକ୍ ରହିଥିଲେ ମଧ୍ୟ ଚୀନରେ ଏହାର ବ୍ୟବହାର ନାହିଁ । ତେଣୁ ବିଶ୍ୱବ୍ୟାପୀ ଚାହିଦାକୁ ଦେଖି ଏବେ ଚୀନଠାରୁ ନିଜକୁ ଦୂରେଇ ନେବାକୁ ଚାହୁଁଛି ଟିକଟକ୍ ।
୨୦୧୭ରେ ଭରତରେ ଲଞ୍ଚ ହେବାପରେ ୧ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲା । ଏହି ମୋବାଇଲ ଆପ୍ଲିକେସନରେ ଥିବା ବିଭିନ୍ନ ଫିଚର ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ଆସିବା ସହ ଲୋକପ୍ରିୟ ହୋଇପାରିଥିଲା । ସମ୍ବାଦ ସରବରାହ ସଂସ୍ଥା ରଏଟର୍ସର ସୂଚନା ଅନୁସାରେ ଆଗାମୀ ସପ୍ତାହରେ ଭାରତ ସରକାରଙ୍କ ସହ ଆଲୋଚନା କରିବ କମ୍ପାନି । ହେଲେ ଏବେ ବ୍ୟାନ ହଟିବାର ସମ୍ଭାବନା କମ୍ ରହିଛି। ଟିକଟକର ଚାହିଦା ଭାରତ ପରେ ଆମେରିକାରେ ସର୍ବାଧିକ ରହିଛି, ଯେଉଁମାନେ ଚୀନର ଘୋର ବିରୋଧୀ। ଟକଟକ୍ ଉପରେ ପ୍ରତିବନ୍ଧକ ଲାଗିଲା ବେଳେ କମ୍ପାନି ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, ଏହା ଉପଭୋକ୍ତାଙ୍କ ତଥ୍ୟ ଚୀନକୁ ଦିଏନାହିଁ । କମ୍ପାନିର ସର୍ଭର ସିଙ୍ଗାପୁରରେ ରହିଛି । ତଥାପି ବ୍ୟାନ ଘୋଷଣା ହେବାସହ କମ୍ପାନିକୁ ସଫେଇ ରଖିବା ପାଇଁ କୁହାଯାଇଛି ।