କଳିଙ୍ଗ ଜ୍ୟୋତି ବ୍ୟୁରୋ ବଲାଙ୍ଗୀର ୩୦/୦୭: ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ପୁଲିସ ଅଫିସର। ମୁରିବାହାଲ ଥାନାର ଏସଆଇ ଏକ ମାମଲାର ଚାର୍ଜସିଟ ହାଳୁକା କରିବା ପାଇଁ ଜଣେ ମୁଦାଲାଙ୍କ ପକ୍ଷରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସର ଏକ ଟିମ ତାଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ମୁରିବାହାଲ ଥାନାରେ କାର୍ଯ୍ୟରତ ଏସଆଇ ସରୋଜ ରଥଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ଗତ ୨୦୧୯ ମସିହା ଫେବୃୟାରୀ ମାସରେ ମୁରିବାହାଲ ଥାନା ଗୁଡିଘାଟ ଗାଁର ମାନସ ପ୍ରଧାନ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଜଣେ ମହିଲା ମାନସ ପ୍ରଧାନଙ୍କ ନାଁରେ ମାମଲା ରୁଜୁ କରାଇଥିଲେ।
ଏହି ମାମଲାର ଚାର୍ଜସିଟକୁ ହାଲୁକା କରିବା ପାଇଁ ଏସଆଇ ଶ୍ରୀ ରଥ ଲାଞ୍ଚ ଦାବି କରିଥିଲେ। ଏଥିପାଇଁ ସେ ୧୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ମାନସଙ୍କ ଭାଇ ସଂଜୀବ ପ୍ରଧାନ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ବୁଧବାର ସଂଜୀବ ଉକ୍ତ ୧୦ ହଜାର ଟଙ୍କା ନେଇ ଏସଆଇ ଶ୍ରୀ ରଥଙ୍କ ପାଖରେ ପହଞ୍ଚି ପ୍ରଦାନ କରିଥିଲେ।
ପୂର୍ବରୁ ଛକ ରହିଥିବା ବଲାଙ୍ଗିର ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଟିମ ଚଢଉ କରିଥିଲା। ଶ୍ରୀ ରଥଙ୍କ ଠାରୁ ରସାୟନ ବୋଲି ଉକ୍ତ ୧୦ ହଜାର ଟଙ୍କା ଜବତ କରିଥିଲା। ଏନେଇ ଭିଜିଲାନ୍ସ ଏସଆଇଙ୍କୁ ପଚାରଉଚୁରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି।