କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭ : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଜୁଲାଇ ୧ରୁ ୧୮ ଭିତରେ ୮୨୦ ଜଣ ଆକ୍ରାନ୍ତ କେବଳ ଭୁବନେଶ୍ବର ସହରରେ ଚିହ୍ନଟ ହେଲେଣି। ଏବେ ବି ୬୨୪ଜଣ ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରତିଦିନ ସ୍ଥାନୀୟ ସଂକ୍ରମଣ ବି ଉଦ୍ବେଗଜନକ ଭାବେ ବଢ଼ିବାରେ ଲାଗିଛି। କିନ୍ତୁ ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନି। ଭୁବନେଶ୍ବରରେ କରୋନା ସଂକ୍ରମଣ ମାତ୍ରା କମ୍ ରହିଛି ବୋଲି ଆର୍ଏମ୍ଆର୍ସି ପକ୍ଷରୁ କୁହାଯାଇଛି।
ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, କେତେ ଲୋକ କରୋନା ଆକ୍ରାନ୍ତ ହୋଇଥିଲେ ବି ହସ୍ପିଟାଲ ନଯାଇ ସୁସ୍ଥ ହୋଇଯାଇଛନ୍ତି, କେତେ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି; ତାହା ଜାଣିବା ପାଇଁ ଆର୍ଏମ୍ଆର୍ସି ପକ୍ଷରୁ ରାଜଧାନୀରେ ସେରୋଲୋଜିକାଲ୍ ସର୍ଭେ ଚାଲିଛି। ଜୁଲାଇ ୧୧ରୁ ଆରମ୍ଭ ହୋଇଥିବା ଏହି ସର୍ଭେର ଅନ୍ତରୀଣ ରିପୋର୍ଟ ଆସିଛି। ଏଥିରୁ ଜଣାପଡ଼ିଛି ଯେ ରାଜଧାନୀରେ ବହୁ ଲୋକ କରୋନା ସଂକ୍ରମିତ ହୋଇନାହାନ୍ତି। ଆର୍ଏମ୍ଆର୍ସିର ଡାକ୍ତର ଦେବଦତ୍ତ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ କେତେ ଲୋକଙ୍କ ଶରୀରରେ ଆଣ୍ଡିବଡି ବିକଶିତ ହୋଇଛି, ତାହା ଜାଣିବା ପାଇଁ ଆମେ ପ୍ରଥମ ପର୍ଯ୍ୟାୟ ସର୍ଭେ ଜାରି ରଖିଛୁ। ଏଥିରେ ୯୦୦ ସ୍ଥାନୀୟ ଲୋକଙ୍କର ନମୁନା ସଂଗ୍ରହ ହୋଇଥିଲା। ଗବେଷଣାରୁ ଜଣାପଡ଼ିଛି ଯେ ମାତ୍ର ୨%ରୁ କମ୍ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି। ଅର୍ଥାତ୍ ଖୁବ୍ କମ୍ ଲୋକଙ୍କର ସେରୋ ପଜିଟିଭ୍ ବାହାରିଛି। ୯୦୦ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ପ୍ରାୟ ୧୫ଜଣ କରୋନା ଆକ୍ରାନ୍ତ ହୋଇ ସ୍ବତଃସ୍ଫୂର୍ତ୍ତ ଭାବେ ସୁସ୍ଥ ହୋଇଯାଇଛନ୍ତି। ଏହା ଭୁବନେଶ୍ବର ପାଇଁ ଭଲ ଲକ୍ଷଣ।
ଦିଲ୍ଲୀରେ ଆଣ୍ଟିବଡି ବିକଶିତ ହାର ପ୍ରାୟ ୨୨% ଥିବା ବେଳେ କୋଲକାତାରେ ଏହା ପ୍ରାୟ ୧୪% ରହିଛି। ତେଣୁ ଡାକ୍ତର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଭୁବନେଶ୍ବରରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି କୁହାଯାଇପାରିବ । ଆର୍ଏମ୍ଆର୍ସି ପକ୍ଷରୁ ଅନ୍ତରୀଣ ରିପୋର୍ଟ ବିଏମ୍ସିକୁ ପ୍ରଦାନ କରାଯାଇଛି। ଖୁବ୍ ଶୀଘ୍ର ରାଜ୍ୟ ସରକାର ଏ ନେଇ ସୂଚନା ଦେବେ ବୋଲି ଜଣାପଡ଼ିଛି।
ଡାକ୍ତର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଲୋକ କରୋନା ସଂକ୍ରମଣ ହେବା କ୍ଷଣି ସେମାନଙ୍କର ନମୁନା ସଂଗ୍ରହ ହୋଇଯାଉଛି। କେତେକ ସ୍ଥାନରେ ଲୋକଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ତୁରନ୍ତ କୋଭିଡ୍ କେୟାର ହସ୍ପିଟାଲରେ ଭର୍ତ୍ତି କରି କଣ୍ଟାକ୍ଟ ଟ୍ରେସିଂ କରି ସଙ୍ଗରୋଧରେ ରଖାଯାଇପାରୁଛି। ଏଥିପାଇଁ ଭୁବନେଶ୍ବରରେ ସଂକ୍ରମଣ ହାର ନିୟନ୍ତ୍ରଣରେ ଅଛି, ଯାହା ସେରୋଲୋଜିକାଲ୍ ସର୍ଭେ ଦର୍ଶାଉଛି।
ଏବେ ସ୍ଥାନୀୟ ଲୋକଙ୍କୁ ନେଇ ହୋଇଥିବା ସେରୋ ସର୍ଭେର ରିପୋର୍ଟ ଆସିଥିବା ବେଳେ ଅତି ସମ୍ବେଦନଶୀଳ ୧୩ଟି ଶ୍ରେଣୀର ଯଥା ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ସିକ୍ୟୁରିଟି ଗାର୍ଡ, ସାମ୍ବାଦିକ, ବିଏମ୍ସି କର୍ମଚାରୀ, ଡ୍ରାଇଭର, ଜେଲ୍ ଅନ୍ତେବାସୀ ଓ ତାଙ୍କ ସହ ସଂପୃକ୍ତ ବ୍ୟକ୍ତି, ଦୋକାନୀ/ବ୍ୟବସାୟୀ, ବିମାନବନ୍ଦର କର୍ମଚାରୀ, ବସ୍ତି, ପ୍ରବାସୀ ଶିବିର ଏବଂ ଆବଦ୍ଧ ଅଞ୍ଚଳର ଲୋକଙ୍କର ନମୁନା ସଂଗ୍ରହ ଚାଲିଛି। ଖୁବ୍ ଶୀଘ୍ର ଏହା ଶେଷ ହେବ। ଆସନ୍ତା ସପ୍ତାହରେ ଏହାର ସବିଶେଷ ରିପୋର୍ଟ ଆସିବ। ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ ଥିବା ଏଭଳି ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇଛି କି ନାହିଁ, ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ସାଧାରଣ ଲୋକଙ୍କ ନମୁନାରୁ ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ଜଣାପଡ଼ିବା ଆମ ପାଇଁ ଆଶ୍ବସ୍ତିର ଖବର।
ସୂଚନାଯୋଗ୍ୟ ଯେ ଆର୍ଏମ୍ଆର୍ସି ପକ୍ଷରୁ ବିଏମ୍ସି ସହଯୋଗରେ ଜୁଲାଇ ୧୧ ଓ ୧୨ରେ ରାଜଧାନୀର ୨୫ଟି ୱାର୍ଡର ୨୫ଟି ଅଞ୍ଚଳରେ ସେରୋଲୋଜିକାଲ୍ ସର୍ଭେ ହୋଇଥିଲା। ଏଥିରେ ୱାର୍ଡ ନଂ ୨, ୪, ୭, ୧୪, ୧୭, ୧୯, ୨୭, ୨୯, ୩୨, ୪୦, ୪୨, ୪୫, ୫୪, ୫୬, ୫୯, ୯, ୧୨, ୨୨, ୨୪, ୩୫, ୩୭, ୪୮, ୫୧, ୬୨ ଏବଂ ୬୫ରେ ଏହି ସର୍ଭେ ହୋଇଥିଲା। ଏଥିରେ ୯୦୦ ଜଣ ସ୍ଥାନୀୟ ଲୋକଙ୍କର ନମୁନା ସଂଗ୍ରହ ହୋଇଥିଲା। ଏଥିପାଇଁ ୫ଟି ସର୍ଭିଲାନ୍ସ ଟିମ୍ ଗଠନ ହୋଇଥିଲା।