ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ପୁଣି ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଓ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କରୋନା ଟେଷ୍ଟିଂ କରିବା ସହିତ ଆଇସୋଲେସନରେ ରହିବା ପାଇଁ ବିଧାୟକ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।
ଟ୍ୱିଟ କରି ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଉଲ୍ଲେଖ କରିଛନ୍ତି ଯେ, କୋଭିଡର ଲକ୍ଷଣ ଦେଖାଦେବା ପରେ ସେ ନିଜର ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ ସୁସ୍ଥ ଥିବା ସହ ଘରେ ସଙ୍ଗରୋଧରେ ଥିବା ଜଣାଇଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ଅନୁରୋଧ କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା। ଏହାଛଡ଼ା ତାଙ୍କ ପି.ଏସ.ଓ ଏବଂ ଡ୍ରାଇଭର ବି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଥିଲା। ତା’ପୂର୍ବରୁ ରାଜ୍ୟର ୫ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ରେମୁଣା, କଟକ ଜିଲ୍ଲାର ସାଲେପୁର, ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଓ ଖଣ୍ଡପଡ଼ା ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାଛଡା ନିକଟରେ ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାଧୀନ ଅଛନ୍ତି।