ମାଣତ୍ରୀର କଖାରୁଆ ବୈଦ୍ୟନାଥ ମନ୍ଦିର : ସୂଚନା ଫଳକରେ ସୀମିତ ମନ୍ଦିରର ସୌନ୍ଦର୍ଯ୍ୟକରଣ !!

0 522
greentech

ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ହେଉ ନ ଥିବାରୁ ଶ୍ରଦ୍ଧାଳୁ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକ ଦେଖାଣିଆ ଭାବେ ରାଜ୍ୟ ପ୍ରନତ୍ତତ୍ତ୍ୱ ବିଭାଗ ପକ୍ଷରୁ ଏକ ପ୍ରତିନିଧି ଦଳ ମନ୍ଦିର ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ମଧ୍ୟ ଉନ୍ନତିକରଣ ଲାଗି କୌଣସି ତତ୍ପରତା ପ୍ରକାଶ ପାଇନାହିଁ । କେବଳ ପର୍ଯ୍ୟଟନ ବିଭାଗର ଏକ ସୂଚନା ଫଳକ ବ୍ୟତିତ କୌଣସି ଅନୁଦାନ ମିଳିନାହିଁ । ତତ୍‌କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ବର୍ଷେ ପୁରିବାକୁ ଯାଉଥିବାରୁ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

୨୦୨୧ ଜୁନ୍‌ ୧୨ରେ ମୟୂରଭଞ୍ଜ ଜିଲା ବିଜେଡି ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଉତ୍ତର ଓଡ଼ିଶାର ଏହି ପ୍ରାଚୀନ ଶୈବ ପୀଠର ଉନ୍ନତିକରଣ ନିମନ୍ତେ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୧ ଜୁଲାଇ ୨୭ରେ ତତ୍‌କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମାଣତ୍ରୀ ଗସ୍ତରେ ଆସି ମନ୍ଦିରର ଉନ୍ନତି କରଣ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ସର୍ବସାଧାରଣରେ ପ୍ରକାଶ କରିଥିଲେ। ଏହି ଅର୍ଥରେ ପୁରାତନ ମନ୍ଦିରର ବେଢ଼ା ଓ ଭିତରପାର୍ଶ୍ୱ ମରାମତି, ମନ୍ଦିରକୁ ଲାଗିଥିବା ଜଳାଶୟରେ ବୋଟିଂ ବ୍ୟବସ୍ଥା ସହିତ ଏକ ଝୁଲାପୋଲ ନିର୍ମାଣ, ପାର୍କ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ, ସ୍ଵାଗତ ତୋରଣ ନିର୍ମାଣ, ରାସ୍ତାର ଉଭୟ ପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ମାଣତ୍ରୀ କଲେଜ ସମ୍ମୁଖରେ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ବିଭାଗ ପାଇଁ ଉଦ୍ଦିଷ୍ଟ ୩ ଏକର ଜମିକୁ ଚିହ୍ନଟ କରି ଦଖଲମୁକ୍ତ କରିବାକୁ ମନ୍ତ୍ରୀ ବଡ଼ସାହି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନତିକରଣ କାର୍ଯ୍ୟର ରୂପରେଖ ଓ ଅଟକଳ ପ୍ରସ୍ତୁତି ଆରମ୍ଭ ସାଙ୍ଗକୁ ସେପ୍ଟେମ୍ବର ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ମନ୍ତ୍ରୀ ଘୋଷଣା କରିଥିଲେ ବୋଲି ମାଣତ୍ରୀର ଦେବାଶିଷ ରଞ୍ଜନ ଦାଶ, ଭାନୁଶଙ୍କର ପଣ୍ଡା ପ୍ରକାଶ କରିଛନ୍ତି। ସେହିପରି ମନ୍ଦିରର ପରିଛା ପ୍ରଦୀପ କୁମାର ପଣ୍ଡାଙ୍କ ପୌରହିତ୍ୟରେ ବହୁ ନେତୃବୃନ୍ଦ ଉପସ୍ଥିତ ରହି ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ଓ ମନ୍ଦିରର ପୁନଃରୁଦ୍ଧାର କରିବାକୁ ନେଇ ଆଲୋଚନା କରିଥିଲେ। ସେବାୟତମାନଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା। ସେହିପରି ଆଇଟିଡିଏ ପକ୍ଷରୁ ମନ୍ଦିର ପରିସର ଚଟାଣରେ ଟାଇଲ ବିଛାଇବା କାର୍ଯ୍ୟ ବିବାଦ ଯୋଗୁ ବନ୍ଦ ରହିଛି। ଏପରି ସ୍ଥଳେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ମାଣତ୍ରୀ ମନ୍ଦିର କେବଳ କାଗଜପତ୍ରରେ ସୀମିତ ରହିଛି ବୋଲି ଅଞ୍ଚଳର ସରୋଜ ନାଏକ, ବାସନ୍ତୀ ପାତ୍ର ଓ ଜଗନ୍ନାଥ ନାଏକ କହିଛନ୍ତି। ତେବେ ଜିଲାରେ ଥିବା ମଠ ମନ୍ଦିର ମଧ୍ୟରୁ ଦେବୋତ୍ତର ବିଭାଗକୁ ସିଂହଭାଗ ରାଜସ୍ଵ ଯୋଗାଉଥିବା ବୈଦ୍ୟନାଥ ମନ୍ଦିରର ଉନ୍ନୟନ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟୁଥିବା ମାଣତ୍ରୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପ୍ରତି ରାଜ୍ୟ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଲେ ପୁରୁଣା ଐତିହ୍ୟ ଜୀବନ୍ତ ହୋଇ ଉଠିବ ବୋଲି ଶ୍ରଦ୍ଧାଳୁମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

sixteen − 4 =

error: Content is protected !!
Open chat