ନୂଆଦିଲ୍ଲୀ ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ ‘ଓମିକ୍ରନ୍’ ପ୍ରଜାତି ଖୁବ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏହା ୧୧ଟି ରାଜ୍ୟକୁ ବ୍ୟାପିଲାଣି ଏବଂ ଆଜି ସୁଦ୍ଧା ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ଟି ଜିଲ୍ଲାରେ ସଂକ୍ରମଣ ବଢ଼ିବା ବିପଦ ଅଧିକ ରହିଛି। ଦେଶରେ ତୃତୀୟ ଲହର ଆରମ୍ଭ ହେବା ଆଶଙ୍କା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପୁଣି ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି, ବ୍ରିଟେନ୍ରେ ଯେଉଁଭଳି ସଂକ୍ରମଣ ବଢ଼ୁଛି ଯଦି ସେଭଳି ଭାବେ ଭାରତରେ ସଂକ୍ରମଣ ବଢ଼େ ତେବେ ଭାରତର ଜନସଂଖ୍ୟା ଅନୁଯାୟୀ ଭାରତ ଦିନକୁ ୧୪ ଲକ୍ଷ ସଂକ୍ରମଣ ଦେଖିବ। ୮୦ ପ୍ରତିଶତ ଆଂଶିକ ଟିକାକରଣ ସତ୍ତ୍ବେ ୟୁରୋପ ଅତି ଗୁରୁତର ପର୍ଯ୍ୟାୟ ଦେଇ ଗତି କରୁଛି। ତେଣୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ନୂଆ ନିର୍ଦ୍ଦେଶାବଳି ଜାରି ହୋଇଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗତ ୨୦ ଦିନ ଧରି ଦେଶରେ ସଂକ୍ରମଣ ୧୦ ହଜାର ତଳେ ରହିଛି। ଓମିକ୍ରନ୍ ପ୍ରଜାତି ପାଇଁ ଅନ୍ୟ ରାଷ୍ଟ୍ରରେ ସଂକ୍ରମଣ ବଢ଼ୁଛି। ତେଣୁ ଆମକୁ ଏ ଦିଗରେ ସତର୍କ ହେବାକୁ ପଡ଼ିବ। ଆବଶ୍ୟକ ନଥିଲେ ଯାତ୍ରା ନକରିବା ପାଇଁ ଏବଂ ଭିଡ଼ ସ୍ଥାନକୁ ନଯିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। କେବଳ ଟିକା ଏଭଳି ସଙ୍କଟରୁ ଦେଶକୁ ମୁକ୍ତ କରିବ ନାହିଁ। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଏବଂ ହାତ ବାରମ୍ବାର ଧୋଇବା ଏବଂ ଅନ୍ୟ କଟକଣା ପାଳନ କରିବାପାଇଁ ମନ୍ତ୍ରାଳୟ କହିଛି। ଦେଶର ୧୯ଟି ଜିଲ୍ଲାରେ ସାପ୍ତାହିକ କୋଭିଡ୍ ପଜିଟିଭ୍ ହାର ୫-୧୦ ପ୍ରତିଶତ ରହିଛି। ଅନ୍ୟପକ୍ଷେ ୫ ଟି ଜିଲ୍ଲାରେ ସାପ୍ତାହିକ କୋଭିଡ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ୫ ପ୍ରତିଶତରୁ ଅଧିକ ସାପ୍ତାହିକ ପଜିଟିଭ୍ ହାର ଥିବା ଜିଲ୍ଲା ଗୁଡ଼ିକ କରୋନା କଟକଣାକୁ କଡ଼ାକଡ଼ି ଲାଗୁ କରିବା ଉଚିତ। ୨ ସପ୍ତାହ ପର୍ଯ୍ୟନ୍ତ ଉକ୍ତ ରାଜ୍ୟମାନଙ୍କରେ ସାପ୍ତାହିକ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିବା ପର୍ଯ୍ୟନ୍ତ ସଂକ୍ରମଣ ଉପରେ କଡ଼ା ନଜର ରଖିବା ଉଚିତ ବୋଲି କୁହାଯାଇଛି।
ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୪୦ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ୮ ଲେଖାଏଁ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି।