ମୁଖ୍ୟମନ୍ତ୍ରୀଙ୍କ ଇସାରା: କୋହଳ ହେବ ଲକ୍‌ଡାଉନ୍, କମ୍‌ ସଂକ୍ରମଣ ଜିଲ୍ଲାରେ ଅନ୍‌ଲକ୍‌ ନେଇ ବିଚାର

0 418
greentech

ଭୁବନେଶ୍ବର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜୀବନ ଜୀବିକାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ବିଶେଷଜ୍ଞମାନେ କରୋନାର ତୃତୀୟ ଲହର ଆସିବ ବୋଲି ଆକଳନ କରୁଛନ୍ତି । ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛନ୍ତି । ତୃତୀୟ ଲହରରେ ପିଲାମାନେ ବେଶି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାର ଠିକଣା ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣ ହାର ଅପେକ୍ଷାକୃତ ଭାବେ କମୁଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ଖସିଛି, ସେଠାରେ ଲକଡାଉନ୍‌ କଟକଣା କୋହଳ ସହ ଅନଲକ୍‌ କରିବାକୁ ସରକାର ବିଚାର ବିମର୍ଶ କରୁଥିବା ସେ ସୂଚନା ଦେଇଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମଣ କମିବା ସହ ପଜିଟିଭିଟି ରେଟ୍‌ ହ୍ରାସ ପାଇଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶାପ୍ରକାଶ କରିଥିଲେ । କିଛି ଜିଲ୍ଲାରେ ପଜିଟିଭିଟ୍‌ ରେଟ୍‌ ଅଧିକ ଥିବାରୁ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହ ରାଜ୍ୟରେ ଏବେ ଚାଲିଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ସଚେନତା ସୃଷ୍ଟି ଉପରେ ସେ ଜୋର୍‌ ଦେଇଛନ୍ତି ।

ଏ କାର୍ଯ୍ୟର ଉପଯୁକ୍ତ ତଦାରଖ ଏବଂ ଲକ୍ଷଣଯୁକ୍ତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ, ପରିସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଦ୍ୱିତୀୟ ଲହର ପ୍ରଭାବରୁ ଆମେ ଏବେ ମଧ୍ୟ ସଂପୂର୍ଣ୍ଣ ମୁକ୍ତ ହୋଇନାହୁଁ । ଆଗକୁ ବିଭିନ୍ନ ପର୍ବପର୍ବାଣି ଆସୁଥିବାରୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ । ଏଥିପାଇଁ କୋଭିଡ ନିୟମାବଳୀକୁ ଆହୁରି କଡାକଡି ଭାବରେ ପାଳନ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ୍ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବା ସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତୃତୀୟ ଲହର ପାଇଁ ଗଠିତ ଟାସ୍କଫୋର୍ସ କମିଟିର ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀ ଜୋର୍‌ ଦେଇଛନ୍ତି । ଏଥିରେ ଆଦୌ ଅବହେଳା ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବା ବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

  ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ ଏଥିପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବା ଏବଂ ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଅକ୍ସିଜେନ୍‌ ଯୋଗାଣ ସନ୍ତୋଷଜନକ ରହିଛି । ସିଲିଣ୍ଡର ଉପଲବ୍ଧତାରେ ଉନ୍ନତି ଘଟିଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି । କିନ୍ତୁ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍‌-ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାରଙ୍କ ବିଚାରାଧୀନ ରହିଛି ।

  ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କୋଭିଡ ସଂକ୍ରମଣରେ କୌଣସି ବୃଦ୍ଧି ଘଟି ନ ଥିବା ଆଶ୍ୱସ୍ତିର ବିଷୟ । ରାଜ୍ୟରେ ପଜିଟିଭିଟି ହାର କମି ଥିବାରୁ ଆଇସିୟୁ ଓ ଅକ୍ସିଜେନ ସଂଯୁକ୍ତ ବେଡ୍‌ ଉପରେ ଚାପ ହ୍ରାସ ପାଇଛି । ଖୁବଶୀଘ୍ର ସଂକ୍ରମଣ ୫ ପ୍ରତିଶତକୁ ହ୍ରାସ ପାଇବ ବାଲି ସେ ଆଶାପ୍ରକାଶ କରିଥିଲେ । କୋଭିଡର ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ରାଜ୍ୟରେ ବର୍ତ୍ତମାନ ୮୬ ପ୍ରତିଶତ କୋଭିଡ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନାରେ ୬୮ ପ୍ରତିଶତ ବେଡ୍‌ ଖାଲି ରହିଛି । ରାଜ୍ୟରେ ଅକ୍ସିଜେନ ଯାଗାଣ ଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ ରୋଗୀଙ୍କ ଚିକିତ୍ସା ତାଲିମ ଆରମ୍ଭ କରାଯିବ । ଏହାସହିତ ତୃତୀୟ ଲହରର ମୁକାବିଲା ପାଇଁ ୩୦୦୦ ବେଡ୍‌, ୨୩୯୦ ଆଇସୋଲେସନ୍‌ ବେଡ୍‌, ୬୧୦ ଆଇସିୟୁ ବେଡ୍‌ ପ୍ରସ୍ତୁତ ରଖାଯାଇଛି । ଏହାସହିତ ଜୁନ୍‌ ମଧ୍ୟ ଭାଗରୁ ଗଞ୍ଜାମ, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଚତୁର୍ଥ ସେରୋ ସର୍ଭେ ଆରମ୍ଭ କରାଯିବ ।

ଏଥିରେ ପିଲାମାନଙ୍କ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଅଧିକ ସଂକ୍ରମଣ ହାର ଥିବା ରାୟଗଡା, ଯାଜପୁର, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ଭୁବନେଶ୍ୱର ଓ କଟକ ମ୍ୟୁନିସପାଲ କମିଶନରମାନଙ୍କ ସହିତ ସ୍ଥାନୀୟ ପରିସ୍ଥିତି ସଂପର୍କରେ ପଚାରି ବୁଝିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୩ ଲକ୍ଷ ୬୨ ହଜାର ୧୦୫ ଡୋଜ୍‌ ଟିକା ଦିଆଯାଇଛି । ଟିକାକରଣ କ୍ଷେତ୍ରରେ ଭୁବନେଶ୍ୱର ସବୁଠାରୁ ଆଗରେ ରହିଛି ବୋଲି ବୈଠକରୁ ଜଣାପଡ଼ିଛି । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ୱରରେ ୪୫ ବର୍ଷରୁ ଉଧ୍ୱର୍ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ ରୁ ୪୪ ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ ସଂପୂର୍ଣ୍ଣ ହୋଇଯିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଂଚାଳନ କରିଥିଲେ । ବୈଠକରେ ଉନ୍ନୟନ କମିଶନର, ପୁଲିସ ଡିଜି, ଅଗ୍ନିଶମ ସେବା ଡିଜି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

4 × 5 =

error: Content is protected !!
Open chat