ମୃତ୍ୟୁ ଏମିତି ବି ଆସେ ? ଡ୍ୟୁଟି ସମୟରେ ଟଳି ପଡିଲେ ସଫେଇ କର୍ମଚାରୀ

0 436
greentech

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ଏମିତି ବି ଆସେ ମୃତ୍ୟୁ । କରୋନା ପରିସ୍ଥିତିରେ ଲୋକେ ଘରୁ ବାହାରକୁ ବାହାରିବାକୁ ଡରୁଥିବାବେଳେ ସେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । ୭୦ ବର୍ଷ ବୟସରେ ମଧ୍ୟ ବିଏମ୍‌ସିର ଜଣେ ସଫେଇ କର୍ମଚାରୀ ଭାବେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଥିଲେ । ସବୁଦିନ ଭଳି ପେଟପାଟଣା ପାଇଁ ଘରୁ ଗୋଡ଼ କାଢି ଆସିଥିଲେ । ହେଲେ ଆଉ ଫେରିଲେନି । ସେ ହେଲେ ରାଇମଣି ସୋରେନ । ରେଳ ବିହାରରେ ସଫେଇ କାର୍ଯ୍ୟ କରୁଥିବାବେଳେ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ଘଟିଛି ।

ଚନ୍ଦ୍ରଶେଖରପୁର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସାଲିଆ ସାହିର ହାଣ୍ଡିଆ ମାର୍କେଟରେ ରାଇମଣି ପରିବାର ସହ ରୁହନ୍ତି। ତାଙ୍କର ତିନି ଝିଅ ଓ ଗୋଟିଏ ପୁଅ । ପୂର୍ବରୁ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ଝିଅ ଓ ପୁଅ ବିବାହ କରିସାରିଛନ୍ତି । ଏଠାରେ ପୁଅବୋହୂଙ୍କ ସହ ରହୁଥିଲେ ରାଇମଣି । ସେ ବିଏମସିର ଠିକା ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ବୁଧବାର ସକାଳ ପ୍ରାୟ ୯ଟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଏକ ଗଛ ମୂଳେ ବସିପଡିଥିଲେ । ସେଠାରେ କାମ କରୁଥିବା ଅନ୍ୟ ସଫେଇ କର୍ମଚାରୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବାବେଳକୁ ରାଇମଣିଙ୍କ ମୃତ୍ୟୁ ଘଟିସାରିଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି ।

Leave A Reply

Your email address will not be published.

19 + 14 =

error: Content is protected !!
Open chat