ଯାଜପୁର: ବିପଦ ସଂକେତ ତଳକୁ ଜଳସ୍ତର ଖସୁଛି ହେଲେ ଦୁର୍ଦ୍ଦଶା ବଢି ବଢି ଚାଲିଛି – ଜିଲ୍ଲା ବନ୍ୟା ପରିଚାଳନା ନୋଡ଼ାଲ ଅଫିସର କଲେ ସ୍ଥିତି ସମୀକ୍ଷା
ଯାଜପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀ ଆଦି ନଦୀ ମାନଙ୍କରେ ଜଳ ପତନ କ୍ରମଶଃ ବିପଦ ସଂକେତ ତଳକୁ ଖସିବାରେ ଲାଗିଛି । ଫଳରେ ନଦୀ କୂଳିଆ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ହେଲେ ଖାଦ୍ୟ, ପାନୀୟ ଜଳ ଅଭାବ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢାଇଛି । ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର କମିଶନର ତଥା ସଚିବ ଏବଂ ଯାଜପୁର ଜିଲ୍ଲା ବନ୍ୟା ପରିଚାଳନାର ନୋଡ଼ାଲ ଅଫିସର ବୀର ବିକ୍ରମ ଯାଦବ ବଡ଼ଚଣା ଓ ବରୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ଓ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି ।
ଜିଲ୍ଲାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ବରୀ ବ୍ଲକକୁ ଜିଲ୍ଲାପାଳ ୧୭ ଜଣ ଜିଲ୍ଲାସ୍ତରିୟ ଅଧିକାରୀଙ୍କୁ ରିଲିଫ୍ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ବରୀ ବ୍ଲକ ବିଡ଼ିଓଙ୍କୁ ସହଯୋଗ କରିବା ନିମନ୍ତେ ସେଠାକୁ ପଠାଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାର ମୋଟ୍ ୧୦ଟି ବ୍ଲକ୍ ଓ ୧୪୩ଟି ଗ୍ରାମପଚାଂୟତର ୬୧୩ଟି ଗ୍ରାମ ଏବଂ ଗୋଟିଏ ପୌରାଞ୍ଚଳର ଗୋଟିଏ ୱାଡର଼୍କୁ ମିଶାଇ ମୋଟ୍ ୭ ଲକ୍ଷ ୮୮ ହଜାର ୫୨୦ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ୧୦ ବ୍ଲକ୍ ମଧ୍ୟରେ ରହିଛି ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, ରସୁଲପୁର, କୋରେଇ, ସୁକିନ୍ଦା, ଦାନଗଦୀ, ଧର୍ମଶାଳା ଓ ବଡ଼ଚଣା । ସେହିପରି ଯାଜପୁର ପୌରାଞ୍ଚଳର ୱାଡର଼୍ ନଂ ୧ ବନ୍ୟା ପ୍ରଭାବିତ ହୋଇଛି । ବନ୍ୟାଞ୍ଚଳର ୨୨୪ଟି ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି । ଏଥିସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର ନିମନ୍ତେ ୪ଟି ଓଡ଼୍ରାଫ୍ ଟିମ୍, ୩ଟି ଏନଡ଼ିଆରଏଫ ଟିମ୍ ଓ ଅଗ୍ନିଶମ ବିଭାଗର ୧୪ଟି ଟିମ୍ ନିୟୋଜିତ ରହିଛନ୍ତି ।
ଚଳିତ ବନ୍ୟାରେ ମୋଟ୍ ୪ ଜଣଙ୍କ ଜୀବନ ହାନି ଘଟିଥିବା ପ୍ରଶାସନିକ ସୂତ୍ରରୁ ପ୍ରକାଶ । ମୃତକ ମାନେ ହେଲେ ବରୀ ବ୍ଲକ୍ ଔରଙ୍ଗାବାଦ ଗ୍ରାମର ଲକ୍ଷ୍ମୀ ଜେନା (୩୫), ବରୀ ବ୍ଲକ୍ ଭଅଁରା ଗ୍ରାମର ଶୁଭବ୍ରତ ଦାଶ (୧୯), ବରୀ ବ୍ଲକ୍ ନାଥପୁର ଗ୍ରାମର ଶ୍ରୀଧର ଓଝା (୫୫) ଏବଂ ଧର୍ମଶାଳା ବ୍ଲକ୍ ଅଂଚଳର ବଟକୃଷ୍ଣ ସାହୁ (୭୫) । ଅନୁରୂପ ଭାବେ ଆଜିକୁ ମିଶାଇ ଚଳିତ ବନ୍ୟାରେ ମୋଟ୍ ୨ ଲକ୍ଷ ୮୬ ହଜାର ୩୨୭ ପଶୁ ସମ୍ପଦ ପ୍ରଭାବିତ ହୋଇଛି । ୧୩ ହଜାର ୯୩୮ ପଶୁ ସମ୍ପଦଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାର ୧୦ଟି ଯାକ ବ୍ଲକରେ ହାରାହାରି ୬୪୨୩୨ ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି । ଜିଲ୍ଲାରେ ୩୫ଟି ସ୍ଥାନରେ ରାସ୍ତା ଧୋଇଯାଇଛି । ନଦୀ ବନ୍ଧରେ ବିଭିନ୍ନ ସ୍ଥାନରେ ମୋଟ୍ ୩୦ଟି ଘାଇ ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ବନ୍ୟା ପାଣିର ସୁଅରେ ରସୁଲପୁର ବ୍ଲକରେ ଏକ ଦୁଇ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ି ପଡିଥିବା ବେଳେ ଯାଜପୁର ବ୍ଲକ୍ ପଣସା ପଚାଂୟତର ବେହେରାପାଟଣା ଗ୍ରାମରେ ଏକ ମାଟି ଘର କାନ୍ଥ ଭୁଶୁଡ଼ି ପଡି ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲଘୁଚାପଜନିତ ଲଗାଣ ବର୍ଷ ଫଳରେ ଜିଲ୍ଲା ଦେଇ ପ୍ରବାହିତ ବିଭିନ୍ନ ନଦୀରେ ଜଳ ପତନ ବୃଦ୍ଧି ସାଙ୍ଗକୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ସୁଦ୍ଧା ଜିଲ୍ଲାରେ ୨ କ୍ୱିଂଟାଲ ୧୦୯ କେଜି ଚାଉଳ, ୧ କ୍ୱିଂଟାଲ ୮୫୦ କେଜି ଚୁଡ଼ା, ୧ କ୍ୱିଂଟାଲ ୮୪ କେଜି ଗୁଡ଼ଆଦି ରିଲିଫ୍ ସାମଗ୍ରୀ ବନ୍ୟାଚଂଳରେ ବଂଟନ କରାଯାଇଛି । ଏଥି ସହିତ ଜିଲ୍ଲାରେ ୧୦ଟି ମେଡ଼ିକାଲ ଟିମ୍, ୧୦ଟି ଭେଟେନାରୀ ଟିମ୍ ନିୟୋଜିତ ରହିଛନ୍ତି ।