କାଠମାଣ୍ଡୁ : ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବିକରି ବହୁ ସମାଲୋଚନା ଶିକାର ହୋଇଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଅନୁରୂପ ଆଉ ଏକ ହାସ୍ୟାସ୍ପଦ ଦାବି କରିଛନ୍ତି। ସୋମବାର ଆନ୍ତର୍ଜାତି ଯୋଗ ଦିବସ ପାଳନ ଅବସରରେ ଓଲି କହିଛନ୍ତି, ଯୋଗ ଭାରତ ନୁହେଁ, ନେପାଳରୁ ସୃଷ୍ଟି ହୋଇଛି। ‘ଆସନ’ଗୁଡିକର ଜନ୍ମସ୍ଥାନ ହେଉଛି ନେପାଳ। ସେ ଏକଥା ମଧ୍ୟ କହିଛନ୍ତି ଯେ ଯୋଗ ଯେତେବେଳେ ପରିଚିତ ହେବା ଆରମ୍ଭ କଲା, ସେତେବେଳେ ଭାରତର ସ୍ଥିତି ନଥିଲା। ଏହା ଭାଗ ଭାଗ ହୋଇଯାଇଥିଲା। ଏବେ ଯେଉଁ ଭାରତ ଦେଖିବାକୁ ମିଳୁଛି, ତାହା ସେହି ସମୟରେ ନଥିଲା। ଭାରତୀୟ ବିଶାରଦମାନେ ଏହି ତଥ୍ୟ ଲୁଚାଉଥିବା ମଧ୍ୟ ସେ କହିଛନ୍ତି।
କିଛିଦିନ ତଳେ ଓଲି କହିଥିଲେ ଯେ ଭାରତ ସହିତ ରହିଥିବା ସମସ୍ତ ଭୁଲ ବୁଝାମଣା ଦୂର ହୋଇଛି ଏବଂ ଦୁଇ ଦେଶ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢିବା ଦରକାର। ଉଭୟ ରାଷ୍ଟ୍ର ମଧ୍ୟରେ ସଦଭାବ ଏବଂ ସମସ୍ୟା ରହିଥିବା ସେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଭାରତ ସହିତ ତାଙ୍କ ଦେଶର ରହିଥିବା ସୀମା ସମସ୍ୟା ଐତିହାସିକ ଚୁକ୍ତି, ମାନଚିତ୍ର ଏବଂ ତଥ୍ୟସମ୍ବଳିତ ଦଲଲି ଆଧାରରେ କରାଯିବ।