ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ଆଜି ସକାଳ ପ୍ରାୟ ୧୧.୩୦ ସମୟରେ ଏକ ମାଲବାହୀ ଟ୍ରେନ୍ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଥିବାର ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ଏକ ମାଲବାହୀ ଟ୍ରେନ୍ ରାଉରକେଲାରୁ ରାଜଗାଙ୍ଗପୁର ଆସୁଥିବା ସମୟରେ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଟ୍ରେନର ମଝି ଭାଗରେ ଥିବା ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ଅନ୍ୟଟି ଲାଇନଚ୍ୟୁତ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଅଘଟଣ ଘଟିବା ପରେ ବର୍ତ୍ତମାନ ଏହି ଝାରସୁଗୁଡା-ରାଉରକେଲା ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରି ଦିଆଯାଇଛି । ଟ୍ରେନଟି ଷ୍ଟେସନ ନିକଟବର୍ତ୍ତୀ ଥିବାରୁ ଏହାର ଗତି କମ୍ ଥିଲା। ଏହାଫଳରେ କୌଣସି ବଡ଼ ଦୁର୍ଘଟଣା ହୋଇନଥିଲା। ଘଟଣାସ୍ଥଳରେ ରେଳବାଇର ଉଚ୍ଚପଦସ୍ଥ ଅଧିକାରୀମାନେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ମଧ୍ୟ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଏହି ଅଞ୍ଚଳରେ ଲାଇନଚ୍ୟୁତ ହୋଇଥିଲା ।