ରାଜଗାଙ୍ଗପୁର ସହରରେ ବେଆଇନ ସସ୍ କାରଖାନାରେ ପୋଲିସର ଚଢ଼ାଉ: ଘଟଣାସ୍ଥଳରୁ ଅପମିଶ୍ରିତ ସସ୍ ଓ ସସ୍ ତିଆରି ସାମଗ୍ରୀ ଜବତ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୧୧/୧୦ : ବଜାରରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀରେ ରହୁଛି ବିଷ ! ! ବିନା ଲଙ୍କା ଓ ଟମାଟୋ ଏବଂ ଏକ୍ସପାରି ଏସେନ୍ସରେ ପ୍ରସ୍ତୁତ ହେଉଛି ଟମାଟୋ ଓ ଚିଲି ସସ୍ । ରାଜଗାଙ୍ଗପୁର ସହରରେ ବେଆଇନ ଭାବେ ଚାଲିଛି ସସ୍ ତିଆରି କାରଖାନା । ମଣିଷ ଜୀବନକୁ ନେଇ ଖେଳାଯାଉଛି ଖେଳ। ସରକାରଙ୍କ ଦ୍ୱାରା ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟ କରୁଥିବା ବେଳେ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜଗାଙ୍ଗପୁର ସହରର ମଧ୍ୟ ସ୍ଥଳ କୁମ୍ଭାରପଡା ଠାରେ ରହୁଥିବା ରାମବିଳାଶ ଦାସଙ୍କ ପୁତ୍ର ଅନୀଲ କୁମାର ଦାସ ଦୀର୍ଘ ଦିନ ହେବ ବେଆଇନ ଭାବେ ନିଜ ଘରେ ନକଲି ସସ୍ ତିଆରି କରି ଅନମୋଲ କମ୍ପାନୀ ଷ୍ଟିକର ଲଗାଇ ବଜାର ରେ ବିକ୍ରି କରି ଆସୁଥିଲେ।
![](https://i0.wp.com/kalingajyoti.com/wp-content/uploads/2020/10/IMG-20201011-WA0008.jpg?resize=498%2C1024&ssl=1)
ଆଜି ରାଜଗାଙ୍ଗପୁର ପୋଲିସ କୌଣସି ସୂତ୍ରରୁ ଖବରପାଇ ଏସ.ଡି.ପି.ଓ. ଶଶାଙ୍କ ଶେଖର ବେହୁରା ଓ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁଙ୍କ ଉପସ୍ଥିତିରେ ଅତର୍କିତ ଭାବେ ଚଢ଼ାଉ କରି ବହୁ ପରିମାଣର ନକଲି ଚିଲି ସସ୍, ଟମାଟୋ ସସ୍, ସୋୟାବୀନ ସସ୍, ସସ୍ ତିଆରି ମେସିନ, ବହୁ ପରିମାଣର ଖାଲି ବୋତଲ, ସସ୍ ତିଆରିରେ ଲାଗୁଥିବା ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିବା ସହ ଅନୀଲ କୁମାର ଦାସକୁ ଗିରଫ କରିଛି। ନିକଟରେ କଟକ ସହରରେ ଏହିଭଳି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ଏବଂ ତାର ପୁନରାବୃତ୍ତି ଘଟିଛି ଏହି ରାଜଗାଙ୍ଗପୁର ସହରରେ। ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀରୁ ମଣିଷ ଜୀବନକୁ ସୁରକ୍ଷା ଦେବା ପାଇଁ ସାରା ବିଶ୍ଵ ଚିନ୍ତିତ ଥିବା ବେଳେ ଦୂଷିତ ଖାଦ୍ୟ ତିଆରି କରି ମଣିଷ ଜୀବନ ନେବା ପାଇଁ ଏମାନେ ଖୁବ ତତ୍ପର ହୋଇଉଠିଛନ୍ତି। ଏହି ନକଲି ଜିନିଷର ଖୋଲା ଖୋଲି ବିକ୍ରି କରିବା ଦେଖି ପୋଲିସ ମଧ୍ୟ ନିରବ। ଧନଜୀବନକୁ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ପୋଲିସ ବିଭାଗ କଣ କରି ପାରୁଛି, ତାହା ଦେଖିବା ପାଇଁ ସାଧାରଣ ଜନତା ଅପେକ୍ଷାରେ ଅଛନ୍ତି।