ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ରାଜଧାନୀରେ ସ୍ପିଡ ବାଇକ ଧରି ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ୍ର ୩ ଜଣଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ଲୁଟ୍ ସାମଗ୍ରୀ ରଖିବା ଅଭିଯୋଗରେ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି । ରାଜଧାନୀରେ ଲୁଟେରା ଏବେ ନୂଆ ଫର୍ମୁଲା ଆପଣେଇଛନ୍ତି । ଲୁଟପାଟରେ ଆଉ ନିଜ ବାଇକ ବ୍ୟବହାର କରୁନାହାନ୍ତି ଲୁଟେରା । ଲୁଟପାଟ କରି ସହଜରେ ଖସିଯିବାକୁ ସ୍ପିଡ ବାଇକ ଭଡ଼ାରେ ଆଣି ବ୍ୟବହାର କରୁଛନ୍ତି । ଆଜି ଏକ ୩ ଜଣିଆ କୁଖ୍ୟାତ ଲୁଟେରା ଗ୍ୟାଙ୍କ ଗିରଫ ହେବା ପରେ ଏହି ଘଟଣା ପଦାକୁ ଆସିଛି। ଗିରଫ ଲୁଟେରାମାନେ ହେଲେ ୟୁନିଟ୍- ୬ ସଡ଼କ ବସ୍ତିରେ ରହୁଥିବା ନୟାଗଡ଼ ଇଟାମାଟିର ପପୁ ଓରଫ ରମେଶ ଓରଫ ସୁଦର୍ଶନ ନାୟକ(୩୦), ୟୁନିଟ୍-୬ ତାରିଣୀ ବସ୍ତିରେ ରହୁଥିବା ଇଟାମାଟିର ଟିକି ଓରଫ ସର୍ବେଶ୍ୱର ଗୋଚ୍ଛାୟତ(୨୩), କଳ୍ପନା ଫ୍ଲାଟରେ ରହୁଥିବା ନୟାଗଡ଼ ଖଣ୍ଡପଡ଼ାର ଗୁଲୁ ଓରଫ ବୁଲୁ ନାୟକ(୨୫) ଏବଂ ଏମାନଙ୍କଠାରୁ ସୁନା ଜିନିଷ ରଖିଥିବା ବଡ଼ଗଡ଼ ନୂଆସାହିର ଲୋଚନ କୁମାର ବେହେରା(୪୮) ଓ ଭରତପୁର ତେଲଗୁ ବସ୍ତିରେ ରହୁଥିବା ପୁରୀ ବ୍ରହ୍ମଗିରିର ସୁଶାନ୍ତ କୁମାର ମହାରଣା । ଏମାନଙ୍କ ଠାରୁ ୮ଟି ସୁନାଚେନ୍ ଓ ଦୁଇଟି ବାଇକ୍ ଜବତ ହୋଇଛି । ଏହି ଗ୍ୟାଙ୍ଗ୍ରେ ଆହୁରି ୩ ସଦସ୍ୟ ଅଛନ୍ତି । ସେମାନେ ଏବେ ଫେରାର୍ ଅଛନ୍ତି ।
ରାଜଧାନୀରେ ଲୁଟ୍ପାଟ ପାଇଁ ଭଡ଼ାରେ ସ୍ପିଡ୍ ବାଇକ୍ ମିଳୁଛି । ଧରା ପଡ଼ିଥିବା ୩ ଲୁଟେରାଙ୍କ ଠାରୁ ଜବତ ହୋଇଥିବା ଦୁଇ ବାଇକ୍ ମଧ୍ୟ ଭଡ଼ାରେ ଅଣାଯାଇଥିଲା । ଏହି ଦୁଇ ବାଇକ୍ ମଧ୍ୟରୁ ୟାମ୍ହା ଆର-୧୫ ବାଇକ୍ଟି ରାଜଧାନୀର ବିଭିନ୍ନ ସ୍ଥାନରେ ହୋଇଥିବା ଲୁଟ୍ପାଟରେ ବ୍ୟବହୃତ ହୋଇଥିବା ଜଣାପଡ଼ିଛି । ଉକ୍ତ ବାଇକ୍ର ମାଲିକ ଜଣେ ମୁସଲମାନ ଯୁବକ। ଜଣେ ଗ୍ୟାଙ୍ଗ୍ ଲିଡର ଉକ୍ତ ବାଇକକୁ ଭଡାରେ ନେଇ ଟିକିକୁ ଭଡ଼ାରେ ଦେଇଥିଲା । ଗୋଟିଏ ଲୁଟ୍ପାଟରେ ଯାହା ମିଳୁଥିଲା ସେଥିରୁ ସେ ଗ୍ୟାଙ୍ଗ୍ ଲିଡର ୧୦ ପ୍ରତିଶତ ନେଉଥିଲା । ସେଥିରୁ କିଛି ସେ ବାଇକ୍ ମାଲିକଙ୍କୁ ଦେଉଥିଲା ବୋଲି ଜେରାବେଳେ ଟିକି ପୁଲିସକୁ ସୂଚନା ଦେଇଛି । ଏବେ ବାଇକ୍ ମାଲିକ, ଗ୍ୟାଙ୍ଗ୍ ଲିଡର ଓ ଅନ୍ୟ ଜଣେ ଲୁଟେରା ଫେରାର୍ ହୋଇ ଯାଇଛନ୍ତି । ଏଥିସହ ୩ ଜଣ ରିସିଭର ମଧ୍ୟ ପୁଲିସ ଟାର୍ଗେଟରେ ଅଛନ୍ତି ବୋଲିା ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ, ବିଭିନ୍ନ ଥାନା ଅଂଚଳରୁ ଲୁଟପାଟ ମାମଲାରେ ଲୁଟେରା ବ୍ୟବହାର କରୁଥିବା ସ୍ପିଡ ବାଇକ ଭଡ଼ାରେ ଆଣୁଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ ସିଆରପିଏଫ୍ କ୍ୟାମ୍ପସ ଟାଇପ୍-୨ କ୍ୱାର୍ଟର ନଂ-୩୯୮ରେ ରହୁଥିବା ଅକ୍ଷୟ କୁମାର ଦାସଙ୍କ ପତ୍ନୀ ଅନସୂୟା ଦାସଙ୍କଠାରୁ ଗତ ୧ତାରିଖରେ ସୁନା ଚେନ ଲୁଟ ହୋଇଥିଲା । ସେ ଏନ୍-୧/୭୨ ବାଟ ଦେଇ ଯାଉଥିଲାବେଳେ ୨ ଜଣ ଲୁଟେରା ଏକ ସ୍ପିଡ ବାଇକରେ ବାଇକ୍ରେ ଆସି ତାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଇଥିଲେ । ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଲୁଟ୍ପାଟ ହେଉଥିବା ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରିଥିଲା । ଏସବୁ ଲୁଟ୍ରେ ଏକ ନିର୍ଦ୍ଧିଷ୍ଟ ସ୍ପିଡ୍ ବାଇକ୍ ବ୍ୟବହାର ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ଏମାନଙ୍କୁ ଧରିବାକୁ ପୁଲିସର ଏକ ୩ ଜଣିଆ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ ପ୍ରଥମେ ଟିକିକୁ ସ୍ପିଡ୍ ବାଇକ୍ ସହ ଧରିଥିଲା। ପରେ ପୁଲିସ ପପୁ ଓ ବୁଲୁଙ୍କୁ ଧରିଥିଲା । ।
ଟିକି, ପପୁ ଓ ବୁଲୁଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ମାଳମାଳ ଲୁଟ୍ପାଟ ମାମଲା ରହିଛି । ପପୁ ନାମରେ ନୂଆପଲ୍ଲୀ ଥାନାରେ ୨ଟି ମାମଲା ଥିବା ବେଳେ କ୍ୟାପିଟାଲ ଥାନାରେ ୬ଟି, ଟିକି ନାମରେ ନୂଆପଲ୍ଲୀରେ ୨ଟି, ଖାରବେଳନଗର, କ୍ୟାପିଟାଲ, ଖଣ୍ଡଗିରି ଓ ଚନ୍ଦକା ଥାନାରେ ଡଜନେରୁ ଅଧିକ ମାମଲା ରହିଛି । ସେହିପରି ଗୁଲୁ ନାମରେ ନୂଆପଲ୍ଲୀ, ଖଣ୍ଡଗିରି, କ୍ୟାପିଟାଲ ଓ ବଡ଼ଗଡ଼ ଥାନାରେ ୫ରୁ ଅଧିକ ଲୁଟ୍ପାଟ ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ରାଜଧାନୀ ସମେତ ଉପକଣ୍ଠ ଥାନା ମାନଙ୍କରେ ମଧ୍ୟ ଏମାନଙ୍କ ନାମରେ ଲୁଟ୍ପାଟ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି । ତେଣୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପୁଲିସ କହିଛି