ରାଜଧାନୀର ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ : ୭୭ହଜାର ସଂକ୍ରମିତ, ୫.୧୫% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି

0 690
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୫/୦୯: ରାଜଧାନୀରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି। ଆରଏମ୍‌ଆରସି ପକ୍ଷରୁ ବିଏମ୍‌ସିକୁ ରିପୋର୍ଟ ଦିଆଯାଇଛି। ଭୁବନେଶ୍ୱରରର ପ୍ରାୟ ୭୭ହଜାର ଲୋକେ ନିଜ ଅଜାଣତରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ସହରରେ ସଂକ୍ରମଣ ପିକ୍‌ରେ ଥିବାବେଳେ ସେରୋ ରିପୋର୍ଟର ତଥ୍ୟ ଦ୍ରୁତ ସଂକ୍ରମଣର ବିପଜ୍ଜନକ ରୂପକୁ ଦର୍ଶାଇଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ କମ୍‌ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଏଣୁ ଆଗକୁ ଦ୍ରୁତ ସଂକ୍ରମଣର ବିପଦ ଅଧିକ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଭୁବନେଶ୍ୱରରେ କରୋନା ପରୀକ୍ଷାରୁ ଏବେସୁଦ୍ଧା ୧୨ହଜାର ୪୦୩ ଜଣ ଆକ୍ରାନ୍ତ ହୋଇଥିବା ବିଏମ୍‌ସି ତଥ୍ୟ ରଖିଛି। କିନ୍ତୁ ସେରୋଲୋଜିକାଲ ସର୍ଭେ କହୁଛି, ବାସ୍ତବ ସଂକ୍ରମିତଙ୍କ ସଂଖ୍ୟାଠାରୁ ପ୍ରାୟ ୬ଗୁଣା ଅଧିକ ଲୋକେ ନିଜ ଅଜାଣତରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଲେଣି।

ଦ୍ୱିତୀୟ ପର୍ଯ୍ୟାୟ ସେରୋ ରିପୋର୍ଟରେ ୫.୧୫% ଲୋକଙ୍କ ଶରୀରରେ ଆଣ୍ଟିବଡିର ଉପସ୍ଥିତିର ବାହାରିଛି। ଅର୍ଥାତ୍‌ ପ୍ରତି ୧୦୦ଜଣ ଲୋକଙ୍କ ଭିତରୁ ୫.୧୫% ସଂକ୍ରମିତ ହୋଇ ଆପେ ସୁସ୍ଥ ହୋଇସାରିଲେଣି। ଭୁବନେଶ୍ୱରରେ ୧୫ଲକ୍ଷ ଲୋକସଂଖ୍ୟାକୁ ବିଚାରକୁ ନେଇ ହିସାବ କଲେ ପ୍ରାୟ ୭୭ହଜାର ଲୋକେ କରୋନାରେ ଅଜାଣତରେ ସଂକ୍ରମିତ ହୋଇ ସାରିଲେଣି । ସଂକ୍ରମିତ ହେବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ସେରୋ ନମୁନା ପରୀକ୍ଷାରୁ ଏହି ଆଣ୍ଟିବଡ଼ିର ଉପସ୍ଥିତି ଜଣାପଡ଼ିଛି ।

ଅଗଷ୍ଟ ୨୭ ତାରିଖରେ ସର୍ଭେ ଆରମ୍ଭ ହୋଇଥିଲା । ଆରଏମ୍‌ଆରସି, ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ସର୍ଭେ କରିଥିଲେ। ଦୁଇ ଦିନ ଧରି ସର୍ଭେ ଚାଲିଲା । ପ୍ରଥମ ଦିନରେ ୧୫ଟି ୱାର୍ଡରୁ ନମୁନା ସଂଗ୍ରହ ହୋଇଥିବାବେଳେ ଦ୍ୱିତୀୟ ଦିନ ୧୦ଟି ୱାର୍ଡରେ ସର୍ଭେ ହୋଇଛି। ମୋଟ ୨୫ଟି ୱାର୍ଡରେ ସର୍ଭେ ହୋଇଛି। ଦୁଇ ଦିନରେ ମୋଟ ୧୩୨୦ ନମୁନା ସଂଗ୍ରହ ହୋଇଥିଲା। ତେବେ ଏହି ସର୍ଭେ କେବଳ ଗୋଷ୍ଠୀସ୍ତରରେ କରାଯାଇଛି। ଏବେସୁଦ୍ଧା ହାଇରିସ୍କ ବା ସମ୍ବେଦନଶୀଳ ବର୍ଗଙ୍କ ସର୍ଭେ ହୋଇନି। ୫ଦିନ ଭିତରେ ସେମାନଙ୍କ ସର୍ଭେ ହେବ।

ତେବେ ଅନ୍ୟ ରାଜ୍ୟର ସହର ତୁଳନାରେ ଭୁବନେଶ୍ୱରରେ ବହୁତ କମ୍‌ ଲୋକଙ୍କଠାରେ ଆଣ୍ଟିବଡ଼ି ଥିବା ସୂଚନା ମିଳିଛି। ଦିଲ୍ଲୀରେ ୨୯.୧%, ଅହମ୍ମଦାବାଦରେ ୨୩.୨୪%, ଇନ୍ଦୋରରେ ୭.୭୨%, ସଂକ୍ରମିତ ହୋଇ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ଥିବା ସର୍ଭେ କହୁଛି। ପୂର୍ବରୁ ଭୁବନେଶ୍ୱରରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେରେ ୧.୪୨% ଲୋକଙ୍କ ଶରୀରରେ ଆଣ୍ଟିବଡି ବାହାରିଥିଲା । ପ୍ରଥମ ପର୍ଯ୍ୟାୟ ସର୍ଭେର ୨୮ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ହୋଇଛି।

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ ଆଣ୍ଟିବଡିର ପ୍ରିଭେଲାନ୍ସ କମ୍‌ ରହିଛି। ଏଣୁ ଆଗକୁ ସଂକ୍ରମଣ ଆହୁରି ବଢିବ। ନୂଆ ସଂକ୍ରମିତ ଚିହ୍ନଟ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବ। ଏଣୁ ସମସ୍ତେ ସତର୍କ ରହିବାକୁ ସେ ଅପିଲ୍‌ କରିଛନ୍ତି। କୋଭିଡ୍‌ ଗାଇଡଲାଇନକୁ ସମସ୍ତେ କଡାକଡି ମାନନ୍ତୁ। ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ସଫା କରନ୍ତୁ। ପରସ୍ପର ମଧ୍ୟରେ ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଶାରିରୀକ ଦୂରତା ରକ୍ଷା କରନ୍ତୁ।

Leave A Reply

Your email address will not be published.

8 − five =

error: Content is protected !!
Open chat