ରାଜ୍ୟକୁ ମିଳୁନି ଆବଶ୍ୟକୀୟ ସାର! କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 532
greentech

ଭୁବନେଶ୍ୱର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟକୁ ଆବଶ୍ୟକତା ଅନୁସାରେ ସାର ଆସୁନି । ସାର ଅଭାବ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ମେ, ଜୁନ, ଜୁଲାଇ ମାସର  ନିଅଣ୍ଟିଆ ସାର ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ସେପଟେ ବିଜେଡି ସାଂସଦ ମାନେ ମଧ୍ୟ ଆଜି ଦିଲ୍ଲୀରେ ମନସୁଖ  ମାଣ୍ଡଭ୍ୟଙ୍କୁ ଭେଟି ହସ୍ତକ୍ଷେପ କରିବାକୁ ସ୍ମାରକ ପତ୍ର ଦେଇଛନ୍ତି । ରାଜ୍ୟରେ ସାର ଅଭାବକୁ ନେଇ ରାଜନୈତିକ ବୟାନ ବାଜି ଜାରି ରହିଥିବାବେଳେ ଚାଷୀ କିନ୍ତୁ ସାର ନପାଇ ଚିନ୍ତାରେ ବସିଛି ।

   ସାର ମିଳୁନି, ଚାଷ ବାଧାପ୍ରାପ୍ତ । ଆବଶ୍ୟକତା ଅନୁସାରେ ରାଜ୍ୟକୁ ସାର ଦିଅ ।ମାସିକ କୋଟା ସହ ବକେୟା ସାର ବି ତୁରନ୍ତ ମିଳୁ ।  ଓଡ଼ିଶାକୁ ମେ, ଜୁନ, ଜୁଲାଇ ମାସରେ ନିଅଣ୍ଟିଆ ସାର ଯୋଗାଣ ନେଇ  କେନ୍ଦ୍ର ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସାମଗ୍ରିକ ଭାବେ ଆବଣ୍ଟନର ୬୨% ଏବଂ ୬୯% ୟୁରିଆ ପାଇଛି। ଏହାଛଡ଼ା, ରାଜ୍ୟ ଅନ୍ୟାନ୍ୟ ସାରରୁ ମଧ୍ୟ ୬୦% ରୁ ୭୪% ପାଇଛି। ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡିଶାରେ ୟୁରିଆ ସାରର ଅଧିକ ଆବଶ୍ୟକତା ପଡିଥାଏ । ଅନ୍ୟ ସାରର ଚାହିଦା ଜୁଲାଇରୁ ଅଗଷ୍ଟ ମାସରେ ଥାଏ । ସାର ଅଭାବ ହେଲେ ଚାଷ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ।  ଏସବୁ ଦୃଷ୍ଟିରେ ରଖି ୟୁରିଆ ଓ ଅନ୍ୟାନ୍ୟ ସାର ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ସାର ଅଭାବ ପ୍ରସଙ୍ଗ ନେଇ ବିଜେଡି ସଂସଦୀୟ ଟିମ, କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଭେଟିଛନ୍ତି ।

  ସାର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠି ଓ ବିଜେଡି ସାଂସଦ ମନ୍ତ୍ରୀଙ୍କୁ ଭେଟିବା ପରେ କଡା ଜବାବ ରଖିଛି ବିଜେପି । ମୋଦି ସରକାରରେ  ଗତ ୩ ବର୍ଷରେ ରାଜ୍ୟକୁ ଅଧିକ ସାର ମିଳିଛି । ୨୦୨୦ରେ ଆବଶ୍ୟକତା ଠାରୁ କେନ୍ଦ୍ର ଅଧିକ ୟୁରିଆ, ଡିଏପି, ଏମଓପି ସାର ଯୋଗାଇଛନ୍ତି । ହେଲେ ରାଜ୍ୟ ସରକାର ଠିକ ଭାବରେ ଆବଣ୍ଟନ କରିପାରୁନଥିବାରୁ କଳାବଜାରି ବଢୁଛି । ସରକାର କୃତ୍ରିମ ଅଭାବ ସୃଷ୍ଟି କରି ଅଯଥା ରାଜନିତୀ କରୁଥିବା ବିଜେପି କହିଛି ।ସେପଟେ ସାର ପ୍ରସଙ୍ଗରେ କଂଗ୍ରେସସ ଉଭୟ ଦଳକୁ ଟାର୍ଗେଟ କରିଛି ।

  ରାଜ୍ୟର ଅନ୍ୟତମ ଧାନ ଚାଷର ପେଣ୍ଠ ବରଗଡରେ ଗ୍ରାଉଣ୍ଡ ଜିରୋର ଦୃଶ୍ୟ ।  ଜୋରସୋରରେ ଚାଲିଛି ଚାଷ କାର୍ଯ୍ୟ । କିଛି ଜମିରେ ଗଛ ବଢ଼ିଲାଣି । ଏପରି ସମୟରେ ୟୁରିଆ ସାର ଦରକାର । ହେଲେ ୟୁରିଆ ମିଳୁନଥିବାରୁ ଚାଷୀର ଚିନ୍ତା ବଢି ଯାଇଛି। ମଉକା ଦେଖି ବ୍ୟବସାୟୀ ମହଜୁଦ ସାରକୁ ଚଢା ଦରରେ ବିକୁଥିବା ଅଭିଯୋଗ ହୋଇଛି । ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ସାର କଳାବଜାରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

  ପ୍ରତିବର୍ଷ ଖରିଫ ରତୁରେ ସାର ଯୋଗାଣ ନେଇ କେନ୍ଦ୍ର ରାଜ୍ୟ ମୁହାଁ ମୁହିଁ ହେଉଛନ୍ତି । ରାଜ୍ୟ ରାଜନୀତିରେ ସାର ଏକ ପ୍ରସଙ୍ଗ ପାଲଟିଛି । ହେଲେ ଚାଷୀଙ୍କର ସମସ୍ୟା ଯେମିତିକୁ ସେମିତି ।

Leave A Reply

Your email address will not be published.

20 + 7 =

error: Content is protected !!
Open chat