ରାଜ୍ୟବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ : ଆସନ୍ତାକାଲି ସଂଧ୍ୟା ୬ଟାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରିବାକୁ କଲେ ଅନୁରୋଧ

0 448
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ଆସନ୍ତାକାଲି ବୁଧବାର, ସଂଧ୍ୟା ୬ଟାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସମସ୍ତ ରାଜ୍ୟବାସୀ ଏକ ମିନିଟ ନୀରବ ପ୍ରାର୍ଥନା କରିିିିିିିବାକୁ ଅପିଲ କରିଛନ୍ତି । ଏହି ଅଭିଯାନର ନେତୃତ୍ବ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ନେବା ସହିତ କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଜନସାଧାରଣଙ୍କୁ ଦାୟିତ୍ବ ପାଳନ କରିବା ପାଇଁ ଶପଥ ପାଠ କରାଇବେ । ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସୂଚନା ଦେଇଛନ୍ତି।

ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି। ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ବରେ ସର୍ବାଧିକ। ଆମ ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ। ତେଣୁ ଆମେ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ। ଗତ ୫ ମାସ ହେଲା ଆମେ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିଛୁ ଏବଂ ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି।

ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ। 

* କୋଭିଡ ଯୁଦ୍ଧରେ ଆମର ସଂଗ୍ରାମରେ ଏହା ହେଉଛି ମହତ୍ବପୂର୍ଣ୍ଣ ଘଟଣା। ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ। 
*ଆମର ମୃତ୍ୟୁ ହାର ୦.୫୭ ପ୍ରତିଶତ ଅଟେ, ଯାହାକି ସାରା ଦେଶରେ ସବୁଠାରୁ କମ୍‌।

ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ। ଆମର ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍‌ ରହିଛି। ଆମର ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ  ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି। ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି। କୋଭିଡ ଯୋଦ୍ଧା ମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଁ ଏକ ନୀରବ ପ୍ରାର୍ଥନାର ନେତୃତ୍ବ ନେବି। ଆସନ୍ତାକାଲି ସଂଧ୍ୟା ୬ଟା ସମୟରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଓଡିଶାର ମୋର ସାଢେ ଚାରି କୋଟି ଭାଇଭଉଣୀ ମାନଙ୍କୁ ଅନୁରୋଧ କରୁଛି।

ଏହି ପ୍ରାର୍ଥନା ସଭା ପରେ ପରେ ଆମେ ସମସ୍ତେ ଏକ ଶପଥ ନେବା। କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ ସଂପର୍କରେ ଏହା ଆମକୁ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେବ। ଆମର କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ବ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ।

ମୋର ଅନୁରୋଧ ଆସନ୍ତାକାଲି ସଂଧ୍ୟା ୬ଟାରେ ଆପଣମାନେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରନ୍ତୁ ଏବଂ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ । ମୁଁ ନିଜେ ଆପଣମାନଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବି।

Leave A Reply

Your email address will not be published.

5 × three =

error: Content is protected !!
Open chat