ଭୁବନେଶ୍ବର: ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସଂପର୍କରେ ଅନୁଧ୍ୟାନ ଲାଗି ଆସିଥିବା କେନ୍ଦ୍ରୀୟ ବିଶେଷଜ୍ଞ ଦଳ ସେମାନଙ୍କର କ୍ଷେତ୍ର ପରିଦର୍ଶନ ଶେଷ କରିଛନ୍ତି। ଆଜି ଏହି ଦଳ ରାଜ୍ୟ ସରକାରଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ବନାଗ୍ନି ଟାସ୍କଫୋର୍ସ। ଅନ୍ୟ ପକ୍ଷରେ ବନାଗ୍ନି ସଂପୂର୍ଣ୍ଣ ଭାବେ ଆୟତ୍ତାଧିନ ରହିଛି ବୋଲି ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନିକୁ ଦମନ ଓ ପ୍ରଶମନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ତୁରନ୍ତ ପଦକ୍ଷେପ ଯୋଗୁଁ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତାଧିନ କରାଯାଇପାରିଛି। ସ୍ଥାନୀୟ ଜନସାଧାରଣ, ବନ ସୁରକ୍ଷା ସମିତି ତଥା ବନବାସୀସମ୍ପ୍ରଦାୟଗୁଡ଼ିକର ସଚେତନତା କାର୍ଯ୍ୟକ୍ରମ ସହ ସହଯୋଗ ଓ ସହାୟତା ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଜାରି ରହିଛି।
ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଦଳ ସେମାନଙ୍କର କ୍ଷେତ୍ର ପରିଦର୍ଶନ ସମାପ୍ତ କରିସାରିଛନ୍ତି। ରାଜ୍ୟ ସରକାର ରାଜ୍ୟରେ ସୃଷ୍ଟି ହୋଇଥିବା ଅସାଧାରଣ ବନାଗ୍ନି ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଜାଗ ଏବଂ ପ୍ରସ୍ତୁତ ଅଛନ୍ତି। ରାଜ୍ୟରେ ବନାଗ୍ନି ସମସ୍ୟା ସମ୍ପୂର୍ଣ୍ଣ ଆୟତ୍ତାଧିନ ଅଛି।