ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

0 652
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଆଜି ଲୋକସେବା ଭବନରେ ପାଳିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ନିଷ୍ଠାର ସହ କାମ କର । ଉର୍ତ୍ସଗୀକୃତ ଭାବେ ନିଷ୍ଠାର ସହ କାମ କଲେ ଲୋକଙ୍କୁ ଠିକଣା ଭାବେ ସେବା ମିଳିପାରିବ ।


ଏ ଅବସରରେ ମୁଖ୍ୟମନ୍ତ୍ରୀ ‘ଆମ ସହର’ ଏବଂ ‘ସ୍ୱଚ୍ଛ ସହର ଓଡ଼ିଶା’ ଆପ୍‌ର ଶୁଭାରମ୍ଭ କରିଥିଲେ । ବିଭିନ୍ନ ପୌରସଂସ୍ଥାରେ ନିର୍ମିତ ୧୦୦ ମାଇକ୍ରୋ କମ୍ପୋଜିଟ୍‌ ସେଣ୍ଟର ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୫୦ ବର୍ଜ୍ୟ ସାମଗ୍ରୀ ପୃଥକୀକରଣ ଓ ପୁନରୁଦ୍ଧାର ସୁବିଧା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । କରୋନା ସଂକଟ କାଳରେ ପୌରାଞ୍ଚଳରେ ପରିମଳ ଯୋଦ୍ଧା ବା ସଫେଇ କର୍ମଚାରୀଙ୍କ ନିଷ୍ଠାପର କାମକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି । କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ପୌରସଂସ୍ଥାଗୁଡ଼ିକର କାମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ମହିଳା ସଶକ୍ତିକରଣ ହେଉଛି ଆମ ସରକାରଙ୍କ ବଡ଼ ସଫଳତା । ସହରାଞ୍ଚଳ ପରିମଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ରହିଛି ବଡ଼ ଭୂମିକା । ଏ ଅବସରରେ ମୁଖ୍ୟମନ୍ତ୍ରୀ ୫୧ ଫକାଲ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ପରିମଳ ସେବା ପରିଚାଳନା ପାଇଁ ଗୋଷ୍ଠୀଗତ ବ୍ୟବସ୍ଥାକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ରାଉରକେଲା, ଅନୁଗୁଳ, ବାଲେଶ୍ୱର ଓ ଢେଙ୍କାନାଳର ୪ଟି ସେପଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ମିଶନ ଶକ୍ତି ଗୋଷ୍ଠୀଙ୍କୁ ପରିଚାଳନା ଭାର ଦେଇଛନ୍ତି । ‘୫ ଟି’ ବ୍ୟବସ୍ଥାରେ ଉନ୍ମୋଚିତ ହୋଇଥିବା ‘ଆମ ସହର’ ଏବଂ ‘ସ୍ୱଚ୍ଛ ସହର ଓଡ଼ିଶା’ ଆପରେ ନାଗରିକମାନଙ୍କୁ କିଭଳି ତ୍ୱରିତ ସେବା ମିଳିପାରିବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଆପ୍‌ ଜରିଆରେ ଏଣିକି ପୌରସଂସ୍ଥାଗୁଡ଼ିକ ବିନିଯୋଗ ପ୍ରମାଣପତ୍ର ଦାଖଲ ମଧ୍ୟ କରିପାରିବେ । ଏ ଅବସରରେ ପରିମଳ ସେବା ନେଇ ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି, ଚିଠି ଓ ମାର୍ଗଦର୍ଶିକା ନେଇ ଏକ ହାଣ୍ଡବୁକ୍‌ ଉନ୍ମୋଚିତ ହୋଇଯାଇଛି । ନିକଟରେ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ରେ ଉନ୍ନତ ପ୍ରଦର୍ଶନ କରିଥିବା ବ୍ରହ୍ମପୁର ମହାନଗର ନିଗମ, ପାରାଦୀପ ମ୍ୟୁନିସପାଲିଟି, ଯୋଡ଼ା ମ୍ୟୁନିସପାଲିଟି, କୋଟପାଡ଼ ଏନଏସି, ବଡ଼ବିଲ ମ୍ୟୁନିସପାଲିଟି, ଢେଙ୍କାନାଳ ମ୍ୟୁନିସପାଲିଟି, ରାଜଗାଙ୍ଗପୁର ମ୍ୟୁନିସପାଲିଟି, ବ୍ୟାସନଗର ଓ ଚୌଦ୍ୱାର ମ୍ୟୁନିସପାଲଟିକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ଏ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରତାପ କୁମାର ଜେନା ପୌରସଂସ୍ଥାଗୁଡ଼ିକରେ ହାତକୁ ନିଆଯାଇଥିବା ନୂଆ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାତନନ୍‌ ସ୍ୱାଗତ ଭାଷଣ ଦେଇଥିଲା ବେଳେ ପୌର ପ୍ରଶାସକ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ (୫ଟି) ସଚିବ ଭିକେ ପାଣ୍ଡିଆନ୍‌ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 − three =

error: Content is protected !!
Open chat