ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି;ତଦନ୍ତ ଜାରି ରହିଛି : ଡିସିପି,ଭୁବନେଶ୍ଵର
ମାମଲାରେ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ
ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୯: ଲକଡାଉନ୍ ସମୟରେ ନାବାଳିକାଙ୍କୁ ରାଜଧାନୀ ଭୁବନେଶ୍ୱରରେ ପୁଲିସ କର୍ମଚାରୀ ଗଣଦୁଷ୍କର୍ମ କରିବା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି ଓ ଏହାର ତଦନ୍ତ କରାଯାଉଛି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ସେ କହିଛନ୍ତି ଯେ ଏହି ମାମଲା ଗତ ୩୦.୦୮.୨୦୨୦ରେ ଭୁବନେଶ୍ବର ମହିଳା ଥାନାରେ ପଞ୍ଜିକୃତ ହୋଇଛି। ଜଣେ ମହିଳାଙ୍କ ସହ ଆସି ନାବାଳିକା ପୀଡ଼ିତା ଥାନାରେ ଏତଲା ଦେଇଛନ୍ତି।
ତେବେ ଏ ନେଇ ଅନ୍ୟ ଏକ ଖୁଲାସା କରିଛନ୍ତି ଡିସିପି ଶ୍ରୀ ଦାଶ। ସେ କହିଛନ୍ତି, ଗଣଦୁଷ୍କର୍ମ ଘଟଣାରେ ଜଣେ ପୁଲିସ କର୍ମୀ ଓ ତାଙ୍କର ଦୁଇ ଜଣ ସହଯୋଗୀ, ୨ ଜଣ ସୁରକ୍ଷା କର୍ମୀ ଏବଂ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀଙ୍କ ସଂପୃକ୍ତି ରହିଛି। ତଦନ୍ତ ସମୟରେ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇଛି ଓ ସେ ନିଜ ବୟାନରେ ଏମାନଙ୍କର ସଂପୃକ୍ତି ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି।
ସୂଚନା ମମୁତାବକ, ଏହି ମାମଲାରେ ରାଜଧାନୀର ଏକ ବୈଦ୍ୟୁତିକ ଗଣମାଧ୍ୟମର ଦୁଇ କର୍ମଚାରୀ, ଦୁଇଜଣ ସିକ୍ୟୁରିଟି ଗାର୍ଡ , ଜଣେ ପୁଲିସ ଅଧିକାରୀ ଓ ତାଙ୍କର ଦୁଇ ସହଯୋଗୀଙ୍କର ମଧ୍ୟ ସମ୍ପୃକ୍ତି ଥିବା ଡିସିପି କହିଛନ୍ତି । ମାମଲାରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଘଟଣାକୁ IUCAWକୁ ସ୍ଥାନାନ୍ତର କରାଯାଇଛି ।
ଡିସିପିଙ୍କ ସୂଚନା ଅନୁସାରେ, ପୀଡ଼ିତାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରାଯାଇଛି ଓ ଏହା ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଘଟିଛି। ଏ ନେଇ ମହିଳା ଥାନାରେ ଆଇପିସି ଓ ପୋକ୍ସୋ ଆଇନ ଅଧିନରେ କେସ ନମ୍ବର ୪୪ ଦାୟର ହୋଇଛି। ଏହି ସ୍ପର୍ଶକାତର ଘଟଣାର ତଦନ୍ତ ଭାର ମହିଳା ଓ ଶିଶୁ ଅପରାଧର ତଦନ୍ତ ଲାଗି ଗଠିତ ସ୍ବତନ୍ତ୍ର ଇଣ୍ଟିଗ୍ରେଟେଡ୍ ୟୁନିଟକୁ ଦିଆଯାଇଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।ମହିଳା ଥାନା ପୁଲିସ ପୀଡିତା ନାବାଳିକାଙ୍କର ଡାକ୍ତରୀ ମାଇନା କରିବା ସହ ସିଆରପିସି ଧାରା -୧୬୧ ଅନୁସାରେ ପୀଡିତାଙ୍କ ବୟାନ ରେକର୍ଡ କରାଇଛି । ସେପଟେ ଘଟଣା ସମ୍ପର୍କରେ ଏତଲା ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଶିଶୁ ସୁରକ୍ଷା ସମିତିକୁ ଚିଠି ଲେଖିଛନ୍ତି ଚାଇଲ୍ଡ ଲାଇନ ।