‘ସୋଆ ବିଶ୍ୱବିଦ୍ୟାଳୟ’ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି – ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୮ : ଦୁଇ ଦଶନ୍ଧି ତଳେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ଆଜି ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ‘କେବଳ ଚାକିରି ଖଣ୍ଡେ ପାଇବା ପାଇଁ ଡିଗ୍ରି ଆହରଣ କର ନାହିଁ, ବରଂ ଜ୍ଞାନ ଆହରଣ କରି ସମାଜକୁ ଉଚିତ ପଥରେ ଆଗେଇ ନେବାକୁ ସାହାଯ୍ୟ କର’: ସୋଆର ଏହି ମୂଳମନ୍ତ୍ରକୁ ପାଥେୟ କରି ଏଠାରୁ ଶିକ୍ଷିତ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିଛନ୍ତି।
ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ପ୍ରଚେଷ୍ଟାରେ ୨୦୦୭ରେ ସୋଆକୁ ଡିମ୍ଡ-ଟୁ-ବି-ୟୁନିଭର୍ସିଟିର ମାନ୍ୟତା ମିଳିଥିଲା। ଭାରତ ସମେତ ୬ଟି ଦେଶର ପ୍ରାୟ ୧୨ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସୋଆକୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ମନୋନୀତ କରିଛନ୍ତି। ମାତ୍ର ୧୩ବର୍ଷର ଯାତ୍ରା ମଧ୍ୟରେ ଏହି ଶିକ୍ଷାନୁଷ୍ଠାନ ଗତ ୫ବର୍ଷ ଧରି ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ରୢାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍)ରେ ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇ ଆସିଛି। ଆଇଟିଇଆର୍ ଏନ୍ଆଇଆର୍ଏଫ୍-୨୦୨୦ ରୢାଙ୍କିଙ୍ଗ୍ରେ ଇଞ୍ଜିନିୟରିଂ କାଟାଗୋରିରେ ଦେଶରେ ୩୪ତମ ସ୍ଥାନ ହାସଲ କରିଛି। ଚଳିତବର୍ଷ ଏନଆଇଆର୍ଏଫ୍ ରୢାଙ୍କିଙ୍ଗ୍ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶରେ ୨୩ତମ ସ୍ଥାନ ହାସଲ କରିଛି। ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ରୢାଙ୍କିଙ୍ଗ୍ ତାଲିକାରେ ଦେଶର ୯ଟି ମେଡିକାଲ୍ କଲେଜ ମଧ୍ୟରେ ‘ଆଇଏମ୍ଏସ୍’ ମଧ୍ୟ ନିଜ ସ୍ଥାନ ହାସଲ କରିପାରିଛି।
ତେବେ ୬୦୦ ଶଯ୍ୟା ବିଶିଷ୍ଟ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କରୋନାକୁ ପ୍ରତିହତ କରିବା ନିମନ୍ତେ ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ବହୁ ପ୍ରତୀକ୍ଷିତ ଭାକ୍ସିନ୍ର ‘ମଣିଷ ପ୍ରୟୋଗ’ ନିମନ୍ତେ ଆଇସିଏମ୍ଆର୍ ଦ୍ବାରା ଏହି ହସ୍ପିଟାଲ୍କୁ ମନୋନୀତ କରାଯାଇଛି। ପ୍ଲାଜ୍ମା ଥେରାପି ମଧ୍ୟ ଏଠାରେ ଆରମ୍ଭ କରାଯାଇଛି। ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲଗୁଡ଼ିକ ମଧ୍ୟରୁ ୪ଟି ସୋଆ ପରିଚାଳନା କରୁଥିବା ବେଳେ ଦୁଇଟି କୋଭିଡ କେୟାର୍ ସେଣ୍ଟର୍ ମଧ୍ୟ ଆରମ୍ଭ କରାଯାଇଛି। ଭୁବନେଶ୍ୱରରେ ୫୨୫ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ୍ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା, ତାଳଚେର ଓ ନୟାଗଡ଼ର ଚାନ୍ଦପୁରରେ ୧୭୦, ୧୫୦ ଓ ୩୫୦ ଶଯ୍ୟା ବିଶିଷ୍ଟ ୪ଟି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକାରୀ ହୋଇଛି। ସେହିପରି କମ୍ ଲକ୍ଷଣ ଅଥବା ଲକ୍ଷଣହୀନ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ଖୋର୍ଦ୍ଧାର ଜାମୁଝରୀ ଓ ଜଟଣୀର ଖୁଦୁପୁରରେ ୫୦୦ ଏବଂ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର୍ ଆରମ୍ଭ ହୋଇଛି। ସମ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କାର୍ଯ୍ୟକାରୀମାନେ ଏହି ହସ୍ପିଟାଲ୍ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ଅପରପକ୍ଷେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବାଞ୍ଚଳରେ ଏକ ପସନ୍ଦଯୋଗ୍ୟ ହସ୍ପିଟାଲ୍ ଭାବେ ପରିଗଣିତ ହୋଇଛି ସମ୍ ହସ୍ପିଟାଲ୍। ସଫଳତାର ସହ ବୋନ୍-ମ୍ୟାରୋ ପ୍ରତ୍ୟାରୋପଣ ଏବଂ ଲାଇଭ୍ ଡୋନ୍ର ଲିଭର ପ୍ରତ୍ୟାରୋପଣ କରିବାରେ ଏହା ହେଉଛି ପ୍ରଥମ ଡାକ୍ତରଖାନା।
ସୋଆର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ସାମାଜିକ ଅନୁଷ୍ଠାନ ‘ଜାଗୋ’ ସମାଜସେବା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛି। କରୋନା କାଳରେ ଦୈନିକ ୨୦ହଜାର ଗରିବ ନିରାଶ୍ରୟ ଲୋକମାନଙ୍କୁ ଖାଦ୍ୟ, ମାସ୍କ ଏବଂ ସାନିଟାଇଜର୍ ପ୍ରଭୃତି ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରାଇ ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ସୋଆ ପକ୍ଷରୁ କୁହାଯାଇଛି।