ଶୁଭାରମ୍ଭ ହେଲା ସମ୍ବଲପୁର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ, ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ସଂପନ୍ନ

0 423
greentech

ସମ୍ବଲପୁର୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ପର୍ବର ବିଭିନ୍ନ ବିଧି ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ବିବାହ ପୂର୍ବରୁ ମହାଦେବଙ୍କ କନ୍ୟା ଅନ୍ୱେଷଣର ପର୍ବ ପତରପେଣ୍ଡିରୁ ଏହି ପ୍ରସିଦ୍ଧ ପର୍ବ ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସର୍ବ ପୂରାତନ ନନ୍ଦପଡ଼ାର ବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି କୋଭିଡ୍‌ କଟକଣା ମଧ୍ୟରେ ସଂପନ୍ନ ହୋଇଛି ।

ବିଧି ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ନନ୍ଦପଡ଼ାର ବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରୁ ପାତ୍ରୀ ଅନ୍ୱେଷଣରେ ବାହାରିଥିଲେ ବରପିତା ରାମଚନ୍ଦ୍ର ମିଶ୍ର । ସାଙ୍ଗରେ ଥିଲେ ସପ୍ତଋଷୀ । ଶଂଖଧ୍ୱନୀ ମଧ୍ୟରେ ନିରାଡ଼ମ୍ବର ଭାବେ ଏହି ପତରପେଣ୍ଡି ଯାତ୍ରା ଯାଇ ପହଞ୍ଚିଥିଲା ବୈଦ୍ୟନାଥ ଛକସ୍ଥିତ ଗୋପାଳ ସାହୁ ଏବଂ ପ୍ରମିଳା ସାହୁଙ୍କ ଘରକୁ । ବରପକ୍ଷକୁ ପାଛୋଟି ନେଇଥିଲେ କନ୍ୟାପକ୍ଷ । ବରପକ୍ଷ ଆଗମନର ଉଦ୍ଦେଶ୍ୟ କହିବା ସହ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଥିବା ସୂଚନା ଦେଇଥିଲେ । ଆଉ ଏଠାରେ ଯୋଗ୍ୟ ପାତ୍ରୀ ଥିବା ସନ୍ଧାନ ପାଇଁ ଆସିଥିବା ନେଇ ବରପକ୍ଷ ପ୍ରକାଶ କରିଥିଲେ ।

ଏହାପରେ କନ୍ୟାପକ୍ଷ ବର ପାତ୍ରଙ୍କ ସଂକ୍ରାନ୍ତରେ ପଚାରି ବୁଝିବାରୁ ସପ୍ତଋଷୀ ସଂହାର କର୍ତ୍ତାଙ୍କ ଗୁଣଗାନ କରିଥିଲେ । ସେହିପରି କନ୍ୟାପକ୍ଷ ମଧ୍ୟ ମାତା ପାର୍ବତୀଙ୍କ ମହିମା ବଖାଣିବା ସହିତ ତାଙ୍କ ଗୁଣ ଏବଂ ସୌନ୍ଦର୍ଯ୍ୟ ନେଇ ଅବଗତ କରାଇଥିଲେ । ପରେ ଉଭୟ ପକ୍ଷର ସହମତିରେ ବିବାହ ପାଇଁ ସ୍ଥିର କରାଯାଇଥିଲା । ଫଳରେ ବରପିତା ସାଙ୍ଗରେ ଆଣିଥିବା ୭୨ଟି ଶାଳପତ୍ରର ବିଡ଼ା ସମେତ ବେଲପତ୍ର, ଫୁଲ, ଚନ୍ଦନ ଆଦି ଥିବା ଥାଳକୁ କନ୍ୟାପିତା ମାତାଙ୍କୁ ହସ୍ତାନ୍ତର କରି ବିବାହ ପାଇଁ ଧାର୍ଯ୍ୟ କରିଥିଲେ । 

ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ଲୋକଙ୍କ ମଧ୍ୟରେ ଏହି ବିଧି ସଂପନ୍ନ କରାଯାଇଛି । ଆଜି ସପ୍ତଋଷୀ ଭାବେ ବରପିତା ରାମଚନ୍ଦ୍ର ମିଶ୍ରଙ୍କ ସହିତ କାମ୍ପାଳ ହୋତା, ଚକ୍ରଧର ମିଶ୍ର, ଗୋଳକ ବିହାରୀ ମିଶ୍ର, ପୂର୍ଣଚନ୍ଦ୍ର ମିଶ୍ର, ଅମର ପୂଜାରୀ, ଭୁବନ ମିଶ୍ର, ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

one × 5 =

error: Content is protected !!
Open chat