“ଶ୍ରୀଜଗନ୍ନାଥ ଉପାସନା : ଅଣସରନୀତି” – ଏକ ତାତ୍ତ୍ଵିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

0 533
greentech

ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ’ଜଗନ୍ନାଥ ସଂସ୍କୃତି ଓ ଗବେଷଣା ପରିଷଦ, ରାଇରଙ୍ଗପୁର’ ଆନୁକୁଲ୍ୟରେ ସ୍ଥାନୀୟ ଉପଖଣ୍ଡ ପଶୁ ଚିକିତ୍ସାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଏକ ଜାତୀୟ ଆଲୋଚନାଚକ୍ର ‘ଶ୍ରୀ ଜଗନ୍ନାଥ ଉପାସନା : ଅଣସର ନୀତି – ଏକ ତାତ୍ତ୍ଵିକ ଆଲୋଚନା’ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ତିମିର ରଂଜନ ପଣ୍ଡା, ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୁଖ୍ୟବକ୍ତା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ ଡଃ ଭାସ୍କର ମିଶ୍ର, ସମ୍ମାନିତ ବକ୍ତା ପୌରୁଷ ପତ୍ରିକାର ସଂପାଦକ ଡଃ ଅଶୀତ ମହାନ୍ତି, ସମ୍ମାନିତ ଅତିଥି ଝାଡ଼ଖଣ୍ଡ କୋହ୍ଲାନ ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡଃ ପ୍ରଭାତ ପାଣି, ସମ୍ମାନିତ ଅତିଥି ଓଡ଼ିଶା ଶ୍ରୀଜଗନ୍ନାଥ ସଂସ୍କୃତି ଓ ଗବେଷଣା ପରିଷଦ ରାଜ୍ୟ ଉପସଭାପତି ରାଧେଶ୍ୟାମ ପାତ୍ର, ସମୀକ୍ଷକ ଡଃ ଦିଗମ୍ବର ଗିରି, ପରିକ୍ରମା ଅଧ୍ୟକ୍ଷ ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ଅନୁଷ୍ଠାନର ସଂପାଦକ ରଂଜନ ନନ୍ଦ ଆଲୋଚନା ଚକ୍ରର ସଂଯୋଜନା କରିଥିଲେ । ଅତିଥି ଗଣ କହିଥିଲେ ବହୁ ପ୍ରାଚୀନ ପରଂପରା ଓ ସଂସ୍କୃତିକୁ ନେଇ ଗଢ଼ି ଉଠିଛି ଜଗନ୍ନାଥ ସଂସ୍କୃତି ଯାହାକି ସାରା ବିଶ୍ୱରେ ଅନନ୍ୟ । ଦାରୁଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଅନନ୍ୟ ଓ ଅବର୍ଣ୍ଣନୀୟ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭନ୍ନ ଲୀଳା ମଧ୍ୟରେ ଏକ ଅନନ୍ୟ ଅଣସର ଜ୍ୱର ଲୀଳା । ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ସୁନାକୂଅ ତୀର୍ଥ ଜଳରେ ମହାସ୍ନାନ କରି ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପଡ଼ି ଅଣସର ଘରେ ୧୪ ଦିନ ସଙ୍ଗରୋଧ ଉପଚାରରେ ରୁହନ୍ତି । ପୂର୍ବରୁ ୨୧ ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ଶ୍ରୀ ଜୀଉ ୧୦୮ ଗରା ଜଳରେ ସ୍ନାନ କରିବା ଦ୍ୱାରା ଜ୍ୱର ହେବା ମାନବୀୟ ଲୀଳାର ଏକ ନିଦର୍ଶନ । ସେବାୟତମାନେ ନୀତିନିୟମ ଅନୁସାରେ ଅଣସର ସେବା କରି ମହାପ୍ରଭୁଙ୍କୁ ସୁସ୍ଥ କରନ୍ତି । ମହାପ୍ରଭୁଙ୍କ ଅଣସରନୀତିକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଷକ ଶଚିକାନ୍ତ କର, ଦେବବ୍ରତ ରଥମହାପାତ୍ର, ଡଃ ମନ୍ତ୍ରୀ ରଥ, ପୁଷ୍ପାଞ୍ଜଳି ମହାନ୍ତି, ହିମାଂଶୁ ଶେଖର ପଟ୍ଟନାୟକ, ରାଧେଶ୍ୟାମ ପାତ୍ର ପ୍ରମୁଖ ଅଣସର ନୀତି ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଜୟ ରାମ, କିଶୋର ରଜକ, ସିଦ୍ଧାର୍ଥ ପାଲ, କାଳୀପ୍ରସନ୍ନ ମହାନ୍ତି, ସୂର୍ଯ୍ୟକାନ୍ତ ଘଣା, କୌଶିକ ମହାନ୍ତି, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମ ଥର ପାଇଁ ରାଇରଙ୍ଗପୁର ସହର ଭଳି ଏକ ଉପାନ୍ତ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବାରୁ ଅତିଥିଗଣ ଆୟୋଜକ ମାନଙ୍କ ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

fourteen + eight =

error: Content is protected !!
Open chat