ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ମାହାଙ୍ଗା ବ୍ଲକ ଅନ୍ତର୍ଗତ ଚାହାପଡା ପଞ୍ଚାୟତ ବରଦିଆ ଗ୍ରାମର ଗ୍ରାମବାସୀମାନେ ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶଯେ ଏହି ଗ୍ରାମରେ ୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଦୁଇଟି ୱାର୍ଡ ରହିଅଛି । ଏହି ଗ୍ରାମର ୬ ନଂ ୱାର୍ଡ ଟିକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇପାରିନାହିଁ । ଏହି ଗ୍ରାମ୍ୟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଧର୍ମାଗତପୁର – ନୁର୍ତ୍ତାଙ୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତା ଓ ଜଳେଶ୍ୱରପୁର – ବରଦିଆ ଗ୍ରାମ୍ୟ ଉନ୍ନୟନ ରାସ୍ତକୁ ସଂଯୋଗ କରୁଅଛି । ଏହି ନାଲିଗୋଡି ରାସ୍ତାଟି ଦୀର୍ଘବର୍ଷ ହେବ ମରାମତି ଅଭାବରୁ ଖାଲ ଖମାରେ ପୁର୍ଣ୍ଣ ହେବା ସହ କାଦୁଅ ପଙ୍କରେ ଭରି ହୋଇ ରହିଛି ଯାହା ଫଳରେ ଗ୍ରାମର କୋମଳମତି ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ଯାତାୟତରେ ନାହିଁ ନଥିବା ହିନସ୍ତା ହେବା ସହ ଏହି ଖାଲ ଖମା ଓ କାଦୁଅ ପଚ ପଚ ହେତୁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯାଆସ କରିବାରେ ଅସୁବିଧା ଭୋଗ କରୁଛନ୍ତି । ସେହିପରି ଖାଲ ଖମା ହେତୁ ଜନସାଧାରଣ ମାନେ ଅନେକ ସମୟରେ ଯାନ ବାହନରେ ସାମଗ୍ରୀ ନେଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସେହିପରି ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ଓ ଅଗ୍ନୀଶମ ଗାଡି ଯାଇପାରୁନଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଏହି ଗାଁକୁ ପୋଲିସ ଗାଡି ଠିକ୍ଭାବେ ଯାଇପାରୁନାହିଁ ।
ସେହିପରି ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ପାଇପ ଯୋଗେ ଭୂତଳ ପାନୀୟ ଜଳ ଯୋଗାଇ ଦିଆଯାଇନାହିଁ । ଏପରିକି ଏହି ଗ୍ରାମଟି ବର୍ଷାଦିନେ ଅଧିକାଂଶ ସମୟରେ ଗୋବରୀ ବନ୍ୟାର ବାରମ୍ବାର ସମ୍ମୁଖୀନ ହେଉଥିବା ବେଳେ ପାଇପ ଯୋଗେ ପାନୀୟ ଜଳ ଆସିପାରିନଥିବାରୁ ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଜନସାଧାରଣମାନେ ଆକ୍ରାନ୍ତ ହେଉଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନାହିଁ । ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ ଦୃଷ୍ଟି ଦେବାସହ ଏହି ଗ୍ରାମବାସୀମାନଙ୍କର ସମସ୍ୟା ଦୂର କରିବାକୁ ଦାବୀ ହୋଇଛି ।