ସହରାଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ‘ମୁକ୍ତା’ ଯୋଜନା

0 437
greentech

ଭୁବନେଶ୍ୱର ୦୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ଧରି ରଖିବା : ଯେଉଁଠାରେ ଏହା ପଡ଼େ ଏବଂ ଯେତେବେଳେ ଏହା ପଡେ ବିଷୟବସ୍ତୁ ଉପରେ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ- ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ଓଡ଼ିଶାର ୧୧୪ ଟି ସହରାଞ୍ଚଳରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜକୁ ସୁଗମ କରିବା ପାଇଁ ଅତି କମରେ ୫୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚଏସ) ପ୍ରକଳ୍ପ ନିର୍ମାଣ ଲକ୍ଷ୍ୟ ନେଇ ଏହି ଅଭିଯାନ ଗତ ଏପ୍ରିଲ ୧୫ରେ ଆରମ୍ଭ ହୋଇଛି।
ସମୟସୀମା ମଧ୍ୟରେ ଉଦ୍ଦିଷ୍ଟ ଫଳାଫଳ ହାସଲ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନେତୃତ୍ୱରେ ଏହି ଅଭିଯାନ ଏକ ମିଶନ ମୋଡରେ ନିଆଯାଇଛି। କ୍ଷେତ୍ର ସ୍ତରରେ ଏହାକୁ କାର୍ଯ୍ୟକାରିତା ଏବଂ ସଫଳତା ପାଇଁ ଏକ ଗୋଷ୍ଠି ପରିଚାଳନା ପଦ୍ଧତି ଗ୍ରହଣ କରାଯାଇଛି। ମିଶନ୍‍ ଶକ୍ତି ଗୋଷ୍ଠୀ ପରି କମ୍ୟୁନିଟି ଆଧାରିତ ସଂଗଠନ ଗୁଡିକର ଯୋଗଦାନ (ସିବିଓ)  ସହିତ ସେମାନଙ୍କୁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ କରି କାର୍ଯ୍ୟର୍ନିବାହ ପ୍ରକ୍ରିୟାରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ଦୁଇମାସ ମଧ୍ୟରେ ରାଜ୍ୟର ସହରାଞ୍ଚଳର ବିଭିନ୍ନ ସ୍ଥାନରେ ୧୦,୦୦୦ ରୁ ଅଧିକ ଆରଡବ୍ଲ୍ୟୁଏଚଏସ ପ୍ରକଳ୍ପ ନିର୍ମାଣ ହାସଲ କରିବାରେ ସକ୍ଷମ ହୋଇଛି। ଏହି ସମସ୍ତ ୧୦,୦୦୦ ଆରଡବ୍ଳ୍ୟୁଏଚଏସ କମ୍ ମୂଲ୍ୟର ସଂରଚନା ଅଟେ ଯାହାକି ରାଜ୍ୟରେ ବିଦ୍ୟମାନ ଥିବା ହାଇଡ୍ରୋଜିଓଲୋଜିକାଲ ପାରାମିଟର ଉପରେ ଆଧାର କରି ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି। ରାଜ୍ୟର ସହରାଞ୍ଚଳ ଗୋଷ୍ଠି ମାଧ୍ୟମରେ ଏହାର ସଫଳତା ଏବଂ ଗ୍ରହଣକୁ ଦେଖି ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶାର ପଶ୍ଚିମ, ଉତର ଏବଂ ଦକ୍ଷିଣ ଭାଗରେ ଆହୁରି ୧୦,୦୦୦ ରୁ ଅଧିକ ଆରଡବ୍ଲ୍ୟୁଏଚଏସ ନିର୍ମାଣ କରିବାକୁ ନିଷ୍ପତି ନେଇଛି।
ରାଜ୍ୟର ୧୧୧ ପୌରାଞ୍ଚଳର ୧,୯୯୦ ୱାର୍ଡରେ ବର୍ଷା ଜଳ ଅମଳ ସଂରଚନା ଯୋଜନା କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୧୫,୦୦୦ ସାଇଟ୍‍ ଚୟନ କରାଯାଇଛି, ୧୪,୬୦୦ ଯୋଜନା ଏବଂ ଆକଳନ ୭୦ କୋଟି ଟଙ୍କା ପ୍ରସ୍ତୁତ ଏବଂ ୧୪,୦୦୦ କାର୍ଯ୍ୟାଦେଶ ଜାରି ହୋଇଛି। ୧୦,୧୭୬ ଆରଡବ୍ଲ୍ୟୁଏଚଏସ ଏପର୍ଯ୍ୟନ୍ତ ସମାପ୍ତ ହୋଇଛି ଏବଂ  ଜୁଲାଇ ୧୦ ସୁଦ୍ଧା ୧୨,୦୦୦ ଲକ୍ଷ୍ୟ ହାସଲ କରିବାକୁ ଆଶା କରାଯାଉଛି। ୭୬୯୮ ଏମଏସଜି ଏବଂ ଏସଡିଏ ଗୋଷ୍ଠୀ ଏହି ଅଭିଯାନ ଚଳାଇବା ପାଇଁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ ହୋଇଛନ୍ତି।
ଆରଡବ୍ଲ୍ୟୁଏଚଏସର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ପ୍ରମୁଖ ସଚିବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ପରାମର୍ଶଦାତାଙ୍କୁ ନେଇ ଏକ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ସ୍ୱଚ୍ଛତା ଏବଂ ଉତରଦାୟି ପଦକ୍ଷେପ ନିଶ୍ଚିତ କରିବାକୁ, ଗୃହ ଓ ନଗର ଉନ୍ନୟନ ବିଭାଗ ଆରଡବ୍ଲ୍ୟୁଏଚଏସର ତୃତୀୟ ପକ୍ଷ ଯାଞ୍ଚ ସହିତ ବିଭିନ୍ନ ରଣନୀତି ଦର୍ଶାଇ ଏକ ମାର୍ଗଦର୍ଶିକା ଜାରି କରିଛି। କ୍ଷେତ୍ର ସ୍ତରରେ ଆରଡବ୍ଲ୍ୟଏଚଏସର ୧୦୦% ତୃତୀୟ ପକ୍ଷ ଯାଞ୍ଚ କରିବା ପାଇଁ ଇନହାଉସ୍‍ ବୈଷୟିକ ସମ୍ବଳକୁ ନିର୍ଦ୍ଦେଶ ଦେବା ପାଇଁ ବିଭାଗ ଏକ ଟୁଲକିଟ୍‍ ଜାରି କରିଛି। ସ୍ୱଚ୍ଛତା ଏବଂ ଉତରଦାୟିତ୍ୱ ପଦକ୍ଷେପକୁ ଆହୁରି ଦୃଢ କରିବାକୁ, ପାଇଲଟ୍‍ ଆଧାରରେ କାର୍ଯ୍ୟଦକ୍ଷତା ଉନ୍ନତି ଏବଂ ଫଳାଫଳ ମାପ ପାଇଁ ଏକ ଉପକରଣ ଭାବରେ ସାମାଜିକ ଅଡିଟ୍‍ ଉପସ୍ଥାପନ କରିବାକୁ ବିଭାଗ ନିଷ୍ପତି ନେଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ଚାଲିଥିବା ମୁକ୍ତା ପଦକ୍ଷେପରେ ମିଶନ୍‍ ଶକ୍ତି ଗୋଷ୍ଠୀର ଯୋଗଦାନକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।
ମିଶନ୍‍ ଶକ୍ତି ଗୋଷ୍ଠୀ ଅବା ମହାସଂଘ ଏବଂ ବସ୍ତି ବାସିନ୍ଦା ସଂଘ ମାଧ୍ୟମରେ କାର୍ଯ୍ୟକାରୀ ସଂସ୍ଥା ଭାବରେ ଆରଡବ୍ଲ୍ୟୁଏଚଏସ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଉଛି। ଏହାଦ୍ୱାରା ସମଗ୍ର ରାଜ୍ୟରେ ମିଶନ ଶକ୍ତି ଅଧୀନରେ ସୃଷ୍ଟି ହୋଇଥିବା ଏସଏଚଜି ଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ସଶକ୍ତିକରଣ ହୋଇପାରିବ।

ଏହି ସଫଳତା ପାଇଁ ଗୃହ ଓ ନଗର ଉନ୍ନୟନ, ଆଇନ୍‍, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ସଫଳତାରେ ଖୁସି ବ୍ୟକ୍ତ କରି ଶ୍ରୀ ଜେନା କହିଛନ୍ତି ଯେ ଗୃହ ଓ ନଗର ଉନ୍ନୟନ ବିଭାଗ ମାତ୍ର ୭୫ ଦିନ ବ୍ୟବଧାନରେ ଓଡ଼ିଶାର ୧୧୪ ପୌରାଞ୍ଚଳରେ ୧୦ହଜାର ଆରଡବ୍ଲ୍ୟୁଏଚଏସ ପ୍ରତିଷ୍ଠା କରି “କ୍ୟାଚ ଦି ରେନ” ଅଭିଯାନରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟର ପଶ୍ଚିମ, ଉତର ଓ ଦକ୍ଷିଣ ଭାଗରେ ଥିବା ପୌରାଞ୍ଚଳଗୁଡିକରେ ଆଉ ୧୦ହଜାର ଆରଡବ୍ଲ୍ୟୁଏଚଏସ ନିର୍ମାଣ କରାଯିବାକୁ ନିଷ୍ପତି ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

Leave A Reply

Your email address will not be published.

fourteen − eleven =

error: Content is protected !!
Open chat