![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୦୨/୦୭ : ଗତ ୩ ଦିନ ମଧ୍ୟରେ ଗିଲ୍ଗିଟ୍ ବାଲ୍ତିସ୍ତାନ ଅଂଚଳରେ ପାକିସ୍ତାନ ପ୍ରାୟ ୨୦ ହଜାର ସେନା ମୁତୟନ କରିଥିବାରୁ ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରୁଛି। ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭାରତକୁ ଚାପଗ୍ରସ୍ତ କରିବା ପାଇଁ ପାକିସ୍ତାନର ଏହି ଷଡ଼ଯନ୍ତ୍ର ପଛରେ ଚୀନ୍ର ରଣନୀତି କାର୍ଯ୍ୟ କରୁଛି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/pak-troop-1.jpg?resize=650%2C450)
ଲଦାଖ୍ରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏବେ ପାକିସ୍ତାନ ପିଓକେର ନିୟନ୍ତ୍ରଣ ରେଖା ଅଂଚଳରେ ସେନା ମୁତୟନ ବଢ଼ାଇବାରେ ଲାଗିଛି। ଭାରତ ବିରୋଧରେ ଏକ ସଂଗରେ ଦୁଇ ପଟୁ ଯୁଦ୍ଧ ଆରମ୍ଭ କରିବା ପାଇଁ ପାକିସ୍ତାନ ଏବଂ ଚୀନ୍ର ଏହି ଷଡ଼ଯନ୍ତ୍ରକୁ ମୁକାବିଲା କରିବା ନିମନ୍ତେ ଭାରତ ମଧ୍ୟ ସର୍ବାଧିକ ଆଲର୍ଟରେ ରହିଛି।
![](https://kalingajyoti.com/wp-content/uploads/2020/07/img.jpeg)
ଭାରତ ବିରୋଧରେ ବିଷୋଦ୍ଗାର ଜାରି ରଖିଥିବା ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ମଧ୍ୟ ପାକିସ୍ତାନ ଏବେ ଖୋଲା ସମର୍ଥନ କରୁଛି। ଓଲିଙ୍କୁ ଭାରତ ସହିତ ସୀମା ବିବାଦ ମାମଲାରେ ଇମ୍ରାନ୍ ପୂର୍ଣ୍ଣ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ସେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହିତ ଆସନ୍ତାକାଲି ଆଲୋଚନା କରିବେ ବୋଲି ଜଣାପଡ଼ିଛି ।ବିଶ୍ବସ୍ତ ସୂତ୍ରରୁ ଏ କଥା ବି ଜଣାପଡ଼ିଛି ଯେ ବିଗତ ଦେଢ଼ ମାସ ମଧ୍ୟରେ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ଅନେକ ଥର ଶୀର୍ଷ ସାମରିକ ବୈଠକ ଅନୁଷ୍ଠିତ ହୋଇଛି। ଗିଲ୍ଗିଟ୍ ଅଂଚଳରେ ପାକିସ୍ତାନ ବିରୋଧରେ ବିଦ୍ରୋହ ତେଜୁଥିବାରୁ ଏହାର ଦମନ ନିମନ୍ତେ ଭାରତ-ଚୀନ୍ ଉତ୍ତେଜନାକୁ ଇମ୍ରାନ୍ ଏକ ମଉକା ଭାବେ ଗ୍ରହଣ କରିଛନ୍ତି।