ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଗୁଗଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଗୁଗଲ ବହୁତ ପୂର୍ବରୁ ଏମିତି ଟେକ୍ନୋଲୋଜି ଉପରେ କାମ କରିବା ଆରମ୍ଭ କରିଦେଇଥିଲା ଯାହା ସାହାଯ୍ୟରେ ଭୁକମ୍ପ ଓ ସୁନାମୀ ପୂର୍ବରୁ ଜଣାପଡିବ । କମ୍ପାନୀ ଏଥିପାଇଁ ସମୁଦ୍ର ଭିତରେ ଫାଇବର କେବଲ୍ସ ବ୍ୟବହାର କରିବ । ଏହି କେବଲ୍ସ ସୁନାମୀ ଓ ଭୂକମ୍ପ ଆସିବା ପୂର୍ବରୁ ସୂଚନା ପାଇବାରେ ସମର୍ଥ ହେବ । ଏହି ଅପ୍ଟିକାଲ୍ ଫାଇବର କେବଲ୍ସ ୧୦୦ କିମି ପର୍ଯ୍ୟନ୍ତ କ୍ଷେତ୍ରରେ କୌଣସି ବି ହଲଚଲକୁ ମାପିପାରିବା ପାଇଁ ବ୍ୟବହାର କରାଯାଏ ।
ଗୁଗଲ ଏକ ଟେକ୍ନୋଲୋଜି ବିକଶିତ କରିଛି ଯାହା ଏକ ବୃହତ କ୍ଷେତ୍ରକୁ ଆବୃତ କରିପାରିବ । ଗୁଗଲ ଅନୁଯାୟୀ, ସମୁଦ୍ର ପୃଷ୍ଠରେ ଯେ କୌଣସି ହଲଚଲ ଚିହ୍ନଟ କରିବାକୁ ସେମାନେ ପୂର୍ବରୁ ଏହି ଫାଇବର କେବଲ ବ୍ୟବହାର କରୁଛନ୍ତି। କମ୍ପାନୀ ନିଜର ଏକ ବ୍ଲଗ୍ ପୋଷ୍ଟରେ ଲେଖିଛି, ଆହୁରି ଭଲ, ଆମର ଟେକ୍ନୋଲୋଜି ସେହି ଡିଭାଇସ୍ ଉପରେ ନିର୍ଭର କରେ ଯାହା ଦୁନିଆର ଅଧିକାଂଶ ଫାଇବର ଅପ୍ଟିକ୍ ସିଷ୍ଟମ ପାଖରେ ଅଛି, ତେଣୁ ସେଗୁଡିକ ଏକ ବୃହତ ସ୍ତରରେ କାର୍ଯ୍ୟକାରୀ ହୋଇପାରିବ। ଗୁଗଲ ଏହି ପ୍ରୋଜେକ୍ଟ ୨୦୧୩ରେ ଆରମ୍ଭ କରିଥିଲା ଏବଂ ଏଥିପାଇଁ ପ୍ରଥମ ପ୍ରୟୋଗ ୨୦୧୯ରେ କରାଯାଇଥିଲା । ସେତେବେଳେ ଏହି ଟେକନିକ୍ ମେକ୍ସିକୋ ଓ ଚିଲ୍ଲୀରେ ହାଲୁକା ଭୂକମ୍ପକୁ ପୂର୍ବରୁ ଜାଣି ସାରିଥିଲା । ଯଦି ସଫଳତାପୂର୍ବକ ଲାଗୁ ହୋଇପାରିଲା ତେବେ ଏହି ଟେକନିକ୍ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇପାରିବ ।
ଏହି କେବଲ୍ସ ଅପ୍ଟିକଲ୍ ଫାଇବର୍ସରେ ପ୍ରସ୍ତୁତ ହୋଇଥାଏ ଯାହା ଡାଟାକୁ ଲାଇଟ୍ ପଲ୍ସ ରୂପେ ୨୦୪୧୯୦ କିମି ପ୍ରତି ସେକେଣ୍ଡ ଗତିରେ ନେଇପାରେ । ଗୁଗଲ ଅନୁସାରେ ଏହି ଅପ୍ଟିକ୍ ଫାଇବର୍ସ ସମୁଦ୍ର ପୃଷ୍ଟ ଜରିଆରେ ବିଭିନ୍ନ ମହାଦ୍ୱୀପକୁ ଯୋଡିପାରିବ ଯାହା ଜରିଆରେ ଅଧିକାଂଶ ଇଣ୍ଟରନେଟ୍ ଟ୍ରାଫିକ୍ ମଧ୍ୟ ଗତିକରିଥାଏ । ଆଗକୁ ଲେଖାହୋଇଛି କି ‘ସମୁଦ୍ର ତଳେ ବିଛା ଯାଇଥିବା କେବଲ୍ସର ଗୁଗଲ ଗ୍ଲୋବାଲ୍ ନେଟୱର୍କ ସୁଚନାକୁ ସାରା ଦୁନିଆରେ ଆଲୋକର ଗତିରେ ସେୟାର କରିବା, ସର୍ଚ୍ଚ କରିବା, ପଠାଇବା ଏବଂ ପାଇବାକୁ ସହଜ କରିଥାଏ ।’