ସେରୋଲୋଜିକାଲ ସର୍ଭେ ରିପୋର୍ଟ : କରୋନା ସଂକ୍ରମିତଙ୍କ ସୁସ୍ଥତା ଦ୍ୱାରା ରୋଗ ପ୍ରତିରୋଧୀ କ୍ଷମତା ‘ଆଣ୍ଟିବଡି’ ବୃଦ୍ଧିହେଉଛି

0 355
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗୋଟିଏ ପଟେ ଚିନ୍ତା ବଢିଛି। ଦିନକୁ ଦିନ ସଂକ୍ରମିତ ସଂଖ୍ୟା ମଧ୍ୟ ବଢୁଛି। ନମୁନା ପରୀକ୍ଷା ଯେତେ ଅଧିକ ସଂଖ୍ୟାରେ ହେଉଛି; ତଦନୁଯାୟୀ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଦେଖାଯାଇଛି। ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସ ସଂକ୍ରମଣରେ ଭାରତ ଶିଖର ଛୁଇଁବ ବୋଲି ଅନେକ ଚିକିତ୍ସାବିତ୍‌ ପୂର୍ବରୁ ଯେଉଁ ଆକଳନ କରିଥିଲେ ପରିସଂଖ୍ୟାନ ତଦନୁଯାୟୀ ଆଗଉ ଥିବା ଦେଖିବାକୁ ମିଳିଛି। କିନ୍ତୁ ଆଶ୍ବସ୍ତିର କଥା ହେଉଛି ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ମଧ୍ୟ ଉତ୍ତମ ସ୍ଥିତିରେ ରହିଛି। ସବୁଠୁ ବଡ଼ କଥା ହେଲା, ମୃତ୍ୟୁସଂଖ୍ୟା ମୋଟ ସଂକ୍ରମଣର ମାତ୍ର ୨.୫ ପ୍ରତିଶତ ଭିତରେ ରହିବା। ଭାରତର କରୋନା ମୁକାବିଲା ପଦକ୍ଷେପକୁ ପୁଣିଥରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। ତୁରନ୍ତ କରୋନା ଟିକା ପ୍ରସ୍ତୁତ କରିବା ଲାଗି ୧୧ରୁ ଅଧିକ କମ୍ପାନୀ ଓ ବିଶେଷଜ୍ଞ ଦଳ ଯେଉଁ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ତାହା ଅନ୍ତିମ ସୋପାନରେ ପହଞ୍ଚିଛି। ଯାହାବି ହେଉ ଚଳିତବର୍ଷ ଶେଷ ସୁଦ୍ଧା ଟିକା ବଜାରରେ ଉପଲବ୍ଧ ହେବ ବୋଲି ବିଶ୍ବର ବହୁ ଚିକିତ୍ସା ବିଜ୍ଞାନୀ ଆଶା ପୋଷଣ କରିଛନ୍ତି।

ଏସବୁ ଭିତରେ ଖୋଦ୍ ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ଭିନ୍ନ ତଥ୍ୟ। ଜୁନ୍‌ ୨୭ରୁ ଜୁଲାଇ ୧୦ ତାରିଖ ମଧ୍ୟରେ ଦିଲ୍ଲୀର ୧୧ଟି ଜିଲାରେ କରାଯାଇଥିଲା ସେରୋଲୋଜିକାଲ ସର୍ଭେ ପରୀକ୍ଷା। ଯାହାକୁ ସାଧାରଣତଃ ସେରୋ ସର୍ଭେ ବି କୁହାଯାଇପାରେ। ନେସନାଲ ସେଣ୍ଟର ଫର୍‌ ଡିଜିଜ୍ କ​‌େ​‌ଣ୍ଟ୍ରାଲ(ଏନସିଡିସି) ପକ୍ଷରୁ ଦିଲ୍ଲୀର ଜନଘନତ୍ବ ଅଞ୍ଚଳର ଲୋକଙ୍କଠାରୁ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଏଥିରେ ଦିଲ୍ଲୀର ମୋଟ ଜନସଂଖ୍ୟାର ୨୩.୪୮ପ୍ରତିଶତ ବ୍ୟକ୍ତି କରୋନା ସଂକ୍ରମିତ ହୋଇସାରିଥିବା ଜଣାପଡିଛି। ବଡ଼ କଥା ହେଲା ଏସବୁ ରୋଗୀଙ୍କଠାରେ କରୋନା ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ପୂର୍ବରୁ ସର୍ଭେ ଟିମ୍‌ ଘରକୁ ଘର ବୁଲିବା ପରେ ଯେଉଁମାନେ ସେମାନଙ୍କ ରକ୍ତ ପରୀକ୍ଷା ଲାଗି ସ୍ବଚ୍ଛାକୃତ ଅନୁମତି ପ୍ରଦାନ କରିଥିଲେ ସେମାନଙ୍କଠାରେ ଆଇସିଏମଆର ଅନୁମୋଦିତ କୋଭିଡ୍‌ କବଚ୍ ଏଲିସା ପରୀକ୍ଷା କରାଯାଇଥିଲା। ପାଖାପାଖି ୩୧,୩୮୭ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସର୍ଭେର ଉଦ୍ଦେଶ୍ୟ ଥିଲା କେତେ ଜଣଙ୍କ ଠାରେ କରୋନା ଭୂତାଣୁ ବିରୋଧରେ ଲଢିବାକୁ ‘ଆଣ୍ଟିବଡି’ ତଥା ରୋଗ ପ୍ରତିରୋଧୀ କ୍ଷମତା ବିକଶିତ ହୋଇସାରିଛି। ସର୍ଭେ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଜାଣି ବି ନାହାନ୍ତି ଯେ, ସେମାନଙ୍କଠାରେ କେତେବେଳେ କରୋନା ଭୂତାଣୁ ପ୍ରବେଶ କରିଥିଲେ ବି ରୋଗ ପ୍ରତିରୋଧ ଶକ୍ତି ଯୋଗୁଁ ସେମାନେ ଆପେ ଆପେ ଭଲ ହୋଇସାରିଛନ୍ତି। ଅର୍ଥାତ୍ ୨୩ ପ୍ରତିଶତ ଲୋକ ଅର୍ଥାତ୍ ପ୍ରତି ୪ ଜଣରେ ଜଣେ ସଂକ୍ରମିତ ହୋଇସାରିଛନ୍ତି।


କେତେକ କ୍ଷେତ୍ରରେ ସେଠାରେ ଏକପ୍ରକାର ଗୋଷ୍ଠୀ ସଂକ୍ରମଣ ଘଟିସାରିଛି ବୋଲି କେତେକ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଅର୍ଥାତ୍ ଏସବୁ ଲୋକଙ୍କ ଭିତରେ କରୋନା ଭୂତାଣୁର ଆଣ୍ଟିବଡି ସ୍ବତଃ ବିକଶିତ ହୋଇସାରିଛି। ଯଦି ମୋଟ ଜନସଂଖ୍ୟାର ଏକ ବୃହତ୍ ଅଂଶ ଅର୍ଥାତ୍ ୬୦ରୁ ୭୦ ଭାଗ ଲୋକ ସଂକ୍ରମିତ ହୁଅନ୍ତି ଓ ସେମାନଙ୍କଠାରେ ଭୂତାଣୁ ପ୍ରତିରୋଧୀ ଶକ୍ତି ବୃଦ୍ଧି ପାଏ, ତାହେଲେ ଏହାକୁ ଡାକ୍ତରୀ ଭାଷାରେ ‘ହର୍ଡ ଇମ୍ୟୁନିଟି’ କୁହାଯାଇଥାଏ। ପୂର୍ବରୁ ମଧ୍ୟ କେତେକ ବିଶେଷଜ୍ଞ ଡାକ୍ତର ହର୍ଡ ଇମ୍ୟୁନିଟି ପ୍ରସଙ୍ଗରେ ଆଲୋଚନା କରିସାରିଛନ୍ତି। ଦିଲ୍ଲୀରେ ମାର୍ଚ୍ଚ ଶେଷଭାଗରୁ ଜୁନ୍‌ ତୃତୀୟ ସପ୍ତାହ ପର୍ଯ୍ୟନ୍ତ କରୋନାର କାୟା ବ୍ୟାପକ ଥିଲା। ଏପରିକି ଦିନକୁ ୩୫୦୦ ସଂକ୍ରମିତ ବାହାରୁଥିଲେ। ଜୁନ୍‌ରେ ଦିଲ୍ଲୀରେ ପଜିଟିଭ୍‌ ହାର ୩୨ ପ୍ରତିଶତ ଥିଲା; କିନ୍ତୁ ଜୁଲାଇ ଦ୍ବିତୀୟ ସପ୍ତାହରେ ଏହା ୭ ପ୍ରତିଶତକୁ ଖସିବା ଏକ ଆଶ୍ବସ୍ତିର ବିଷୟ। ସବୁଠୁ ବଡ଼କଥା ହେଲା, ଏଠାରେ ବୁଧବାର (ଆଜି) ସୁଦ୍ଧା ୧ ଲକ୍ଷ ୨୬ ସଂକ୍ରମିତ ହୋଇଥିଲେ ବି ୧ ଲକ୍ଷ ୮ ହଜାର ଆରୋଗ୍ୟ ଲାଭ କରିସାରିଛନ୍ତି। ମୃତ୍ୟୁହାର ବି କମ୍‌ ରହିଛି। ଅର୍ଥାତ୍ ଦିଲ୍ଲୀ ସଂକ୍ରମଣ ଶିଖର ସମୟକୁ ଅତିକ୍ରମ କରିସାରିଥିବା ଅନେକ ଚିକିତ୍ସାବିତ୍ ମତ ଦେଇଛନ୍ତି। ସେହିଭଳି ଗୁଜରାଟ, ତାମିଲନାଡୁ ମଧ୍ୟ ଆରୋଗ୍ୟ କ୍ଷେତ୍ରରେ ଉତ୍ସାହଜନକ ସ୍ଥିତିରେ ରହିଛି।


ବିଶେଷଜ୍ଞଙ୍କ ମତରେ ଦିଲ୍ଲୀର ସେରୋ ସର୍ଭେ (୨୩% ସଂକ୍ରମଣ ହାର)କୁ ଯଦି ଭାରତ ପରିପ୍ରେକ୍ଷୀରେ ଆକଳନ କରାଯାଏ, ତେବେ ଦେଶର ମୋଟ ୧୩୫ କୋଟି ଜନତାଙ୍କ ମଧ୍ୟରେ ଅଜାଣତରେ ଆଜି ଦିନ ସୁଦ୍ଧା ହୁଏତ ପାଖାପାଖି ୩୦ କୋଟି ଲୋକ ସଂକ୍ରମିତ ହୋଇଥାଇପାରନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ବି ହୋଇସାରିଥିବେ। ସଂପ୍ରତି ଭାରତରେ ମୋଟ ୧ କୋଟି ୪୭ ଲକ୍ଷ ନମୁନା ପରୀକ୍ଷା ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ରହିଛି। ଯାହାକି ମୋଟ ଜନସଂଖ୍ୟାର ପାଖାପାଖି ୧୧ ପ୍ରତିଶତ। ଏହି ଆକଳନକୁ ଦେଖିଲେ, ହୁଏତ ଦେଶରେ ୧୧ ପ୍ରତିଶତ ହିସାବରେ ୧୩ କୋଟି ଲୋକ ସଂକ୍ରମିତ ହୋଇଥାଇପାରନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ଅଜାଣତରେ ସୁସ୍ଥ ବି ହୋଇସାରିଥିବେ। କାରଣ ଅଧିକାଂଶ ସଂକ୍ରମିତ ଲକ୍ଷଣବିହୀନ ଥିବାରୁ ଏଭଳି ସମ୍ଭାବନା ସ୍ବାଭାବିକ। ଅନ୍ୟପକ୍ଷରେ ନମୁନା ପରୀକ୍ଷା ଅନୁଯାୟୀ, ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୪ ପ୍ରତିଶତ ସୁସ୍ଥ ହୋଇସାରିଛନ୍ତି। ଅର୍ଥାତ୍ ପ୍ରତି ଶହେ ଜଣରେ ୬୪ ଜଣ ଆରୋଗ୍ୟ ହୋଇଛନ୍ତି। ଦିଲ୍ଲୀରେ ଏବେ ଏହା ୮୪ ପ୍ରତିଶତ ରହିଛି। ସପ୍ତାହକ ତଳେ ଦିଲ୍ଲୀରେ କରୋନା ସ୍ଥିତି ଯାହା ଥିଲା ଏବେ ଧୀରେ ଧୀରେ କମିବାରେ ଲାଗିଛି। ଦେଶରେ ସଂକ୍ରମଣ ବଢୁଥିଲେ ମଧ୍ୟ ମୃତ୍ୟୁହାର ୨.୫ ପ୍ରତିଶତରେ ସୀମୀତ ରହିବା ଏକ ବଡ଼ ସଫଳତା।
ଅନ୍ୟପକ୍ଷରେ ନିତି ଆୟୋଗ ସଦସ୍ୟ, ଡାକ୍ତର ବି.କେ. ପଲ୍‌ଙ୍କ ସୂଚନାନୁଯାୟୀ, ବୃହତ୍ ଜନଘନତ୍ବ ଥିବା ଦିଲ୍ଲୀରେ ଏବେ ବି ୭୭ ପ୍ରତିଶତ ଆକ୍ରାନ୍ତ ହୋଇନାହାନ୍ତି। କରୋନା ଭୂତାଣୁ ଏଭଳି ଶରୀରକୁ ତା’ର ନୂତନ ଆବାସସ୍ଥଳ ମନେକରି ପ୍ରବେଶ କରିପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଅଧିକ ଜରୁରୀ।
ଅନୁରୂପ ଭାବେ ଯଦି ଆମେ ଓଡ଼ିଶା, ଆସାମ, ବିହାର ଓ ପଶ୍ଚିମବଙ୍ଗକୁ ଦେଖିବା ଏସବୁ ରାଜ୍ୟରେ ସଂକ୍ରମଣ ତୁଳନାରେ ସୁସ୍ଥତା ଅଧିକ ରହିଛି। ମୃତ୍ୟୁସଂଖ୍ୟା ବି ବହୁତ କମ୍‌। ଓଡ଼ିଶାରେ ଗଞ୍ଜାମ ସହ ଖୋର୍ଦ୍ଧା ଓ କଟକ ଜିଲା ଚିନ୍ତା ବଢାଇଛି। ଗଞ୍ଜାମରେ ହଠାତ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ନମୁନା ପରୀକ୍ଷାଜନିତ କାରଣରୁ ହୋଇଛି। କେତେକ ଚିକିତ୍ସା ବିଶେଷଜ୍ଞଙ୍କ ମତରେ ଗଞ୍ଜାମରେ ସଂକ୍ରମଣ ଶିଖର ସ୍ତରରେ ପହଞ୍ଚିଥିବାରୁ ଜୁଲାଇରୁ ଅଗଷ୍ଟ ମଧ୍ୟଭାଗ ମଧ୍ୟରେ ଏଠାରେ ସଂକ୍ରମଣ ହ୍ରାସ ପାଇପାରେ। ଅନ୍ୟପକ୍ଷରେ ଯେଉଁ ସବୁ ଜିଲା ପୂର୍ବରୁ ସଂକ୍ରମିତ ନଥିଲା ଏବେ ସେଠାରେ ସଂକ୍ରମଣ ବଢୁଛି। ତେଣୁ ପୂର୍ବାପେକ୍ଷା ଅଧିକ ସତର୍କ ଓ ସଚେତନ ହେବାକୁ ପଡିବ ବୋଲି ପରାମର୍ଶ ଦିଆଯାଉଛି। ଭୂତାଣୁ ପ୍ରବେଶ କରିବା ପୂର୍ବରୁ ସାମାଜିକ ଦୂରତ୍ବ, ମାସ୍କ ପରିଧାନ, ସ୍ବଚ୍ଛତା ଅବଲମ୍ବନ, ଭିଡ଼ ସ୍ଥାନକୁ ନ ଯିବା ଭଳି କଟକଣା ମାନିବା ସହିତ ସୁଷମ ଭୋଜନ ଓ ବିଶ୍ରାମ ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ଚିକିତ୍ସାବିତ୍ ମାନେ ପରାମର୍ଶ ଦେଉଛନ୍ତି। ସେଥିପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବୟସ୍କ, ଗର୍ଭବତୀ, ଶିଶୁମାନଙ୍କୁ ବାହାରକୁ ନ ବାହାରିବାକୁ ସରକାର ପରାମର୍ଶ ଦେଉଛନ୍ତି। ଫଳରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା କିମ୍ବା ଗୋଷ୍ଠୀ ସଂକ୍ରମଣ ହେଲେ ବି ଏଥିରୁ ମୁକୁଳିବା ସହଜ ହୋଇପାରିବ।
କରୋନା କାଳ ମଣିଷକୁ ବହୁତ କିଛି ଶିଖାଇଛି। ଆତ୍ମୀୟକୁ ଦୂରେଇଛି। ପ୍ରବାସୀକୁ ଘର ମୁହାଁ କରିଥିଲେ ବି ଆତ୍ମୀୟକୁ ଦୂରେଇଛି। ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ ଆତ୍ମୀୟସ୍ବଜନ ସାମିଲ ହୋଇପାରୁନାହାନ୍ତି କି ମୃତ୍ୟୁକାଳରେ ପ୍ରିୟଜନକୁ କାନ୍ଧ ମିଳୁନି ଶ୍ମଶାନ ପର୍ଯ୍ୟନ୍ତ। ଛୁଇଁବାକୁ ବି ସମସ୍ତେ ଡରୁଛନ୍ତି। ସାମାଜିକ ଓ ପାରିବାରିକ ସଂପର୍କ ସହିତ ଅର୍ଥନୀତିକୁ ମଧ୍ୟ ବିପର୍ଯ୍ୟସ୍ତ କରିଛି କରୋନା। ଆମେ ସତର୍କ ହୋଇ ନିୟମ ମାନି ଚଳିଲେ ଶେଷରେ କରୋନା ହାରିବ ଏବଂ ମାନବ ସମାଜ ଏହି ଲଢେଇରେ ଜିତିପାରିବ ବୋଲି ଡାକ୍ତର ପଲ୍‌ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

14 + 20 =

error: Content is protected !!
Open chat