ଭୁବନେଶ୍ୱର: କରୋନା ଅପଡେଟ ନେଇ ମୁଖପାତ୍ର ସୁବ୍ରତ ବାଗଚୀ ଲୋକଙ୍କୁ ସୂଚନା ଦେବା ବେଳେ ଆମେରିକାର ଉଦାହରଣ ଦେଇ ସତର୍କ କରାଇଲେ। ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି, ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ ବୋଲି ବାଗ୍ଚୀ କହିଛନ୍ତି। ଏଥିସହିତ ହୋମ୍ କ୍ୱାରେଣ୍ଟିନକୁ କଡ଼ାକଡ଼ି ମାନିବା, ବୟସ୍କଙ୍କୁ ବିପଦରେ ପକାଇବାନି ବୋଲି କହିବା ସହିତ ଯେଉଁମାନେ କ୍ୱାରେଣ୍ଟିନ ମାନୁନାହାନ୍ତି, ସେମାନେ ଯମ କୋଳକୁ ଯାଉଛନ୍ତି ବୋଲି ବାଗ୍ଚୀ କହିଛନ୍ତି।
ତେବେ ଘର ଘର ବୁଲି ସର୍ଭେ ନେଇ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି, ୪୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ବୁଲି ସର୍ଭେ ହେଉଛି। ଗାଁର ପ୍ରତି ଘର ଏବଂ ସହରର ପ୍ରତି ବସ୍ତି ଅଞ୍ଚଳରେ ସର୍ଭେ ହେବ। ଘର ଘର ବୁଲି ଆଶା, ଏଏନ୍ଏମ୍ କର୍ମୀ ଲକ୍ଷଣ ନେଇ ସର୍ଭେ କରିବେ ବୋଲି ବାଗଚୀ କହିଛନ୍ତି।
ଏଥିସହିତ ଡାକ୍ତରଙ୍କ ଆଗରେ ଲକ୍ଷଣ ନ ଲୁଚାଇବାକୁ ଲୋକଙ୍କୁ ସଚେତନ କରିଛନ୍ତି ବାଗ୍ଚୀ। ସ୍ୱାସ୍ଥ୍ୟ କର୍ମୀଙ୍କ ଆଗରେ ଲକ୍ଷଣ ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଲକ୍ଷଣ ଲୁଚାଇଲେ, ସାରା ଜୀବନ ପାଇଁ ଲୁଚିଯିବାର ସମ୍ଭାବନା ଅଛି। ଜନଜୀବନ ବଞ୍ଚାଇବାକୁ ସବୁ ପ୍ରକାର କଠୋର ବ୍ୟବସ୍ଥା ସରକାର ଗ୍ରହଣ କରିବା ବୋଲି କହିଛନ୍ତି ବାଗ୍ଚୀ।