ହାଇକୋର୍ଟଙ୍କ ନିର୍ଦ୍ଦେଶ; ଯାଞ୍ଚ ହେବ କଟକ ସହରର ସମସ୍ତ କଲ୍ୟାଣ ମଣ୍ଡପ

0 315
greentech

କଟକ: କଟକ ସହରରେ ଅନୁମତିପ୍ରାପ୍ତ ସମସ୍ତ ୭୪ଟି କଲ୍ୟାଣ ମଣ୍ଡପ ନିୟମାବଳୀ ପାଳନ କରୁଛନ୍ତି କି ନାହିଁ ତାହା ଯାଞ୍ଚ ହେବ। ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧, ଏପ୍ରିଲ ୧୯ରେ କଲ୍ୟାଣ ମଣ୍ଡପ ଆସୋସିଏସନ୍ ସଂପାଦକଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ୭୪ଟି ମଣ୍ଡପର ଲାଇସେନ୍ସ ନବୀକରଣ କରାଯାଇଛି। ଏହି ସବୁ କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯାଇଛି। ସମସ୍ତ ୭୪ଟି ଯାକ କଲ୍ୟାଣମଣ୍ଡପ ପରିସର ଯାଞ୍ଚ କରିବାକୁ ସିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ୨୦୧୯, ଡିସେମ୍ବର ୨୩ର ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ନିୟମାବଳୀ କଲ୍ୟାଣ ମଣ୍ଡପ ଗୁଡିକ ପାଳନ କରୁଛନ୍ତି କି ନାହିଁ ତାହା ସିଏମସି ଯାଞ୍ଚ କରିବ। ପରବର୍ତ୍ତୀ ଶୁଣାଣି ପୂର୍ବରୁ କଲ୍ୟାଣ ମଣ୍ଡପ ଯାଞ୍ଚ ରିପୋର୍ଟ ସହିତ ସିଏମସି ସତ୍ୟପାଠ ଦାଖଲ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ସିଏମସି ଏହି ପ୍ରସଂଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ  ଖଣ୍ଡପୀଠ ଇ.ଭେଙ୍କଟ ରାଓ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କଟକ ସହରରେ ବହୁ କଲ୍ୟାଣ ମଣ୍ଡପ ବିନା କୌଣସି ମଞ୍ଜୁରୀ ଓ ଲାଇସେନ୍ସରେ ଚାଲିଥିବା ଅଭିଯୋଗ ହୋଇଥିଲା। ଆମିକସ୍ କ୍ୟୁରି ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଏ ନେଇ ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ଲାଇସେନ୍ସ ପ୍ରଦାନ କରାଯାଇଥିବା କଲ୍ୟାଣ ମଣ୍ଡପ ଗୁଡିକ ସଂକ୍ରାନ୍ତରେ ସିଏମସି ଓ କଲ୍ୟାଣ ମଣ୍ଡପ ଆସୋସିଏସନ୍ ପକ୍ଷରୁ ସବିଶେଷ ତଥ୍ୟ ଦାଖଲ କରାଯାଇଥିଲା।

Leave A Reply

Your email address will not be published.

1 × one =

error: Content is protected !!
Open chat