ୟୁଜର୍ସ ଫି ତୁରନ୍ତ ପ୍ରତ୍ୟାହାର କରୁ ବିଏମସି – କଂଗ୍ରେସ

0 410
greentech

ଭୁବନେଶ୍ୱର ମହାନଗର ନିଗମ ସେହି ଅଂଚଳରେ ଥିବା ଅଧିବାସୀମାନଙ୍କ ପାଖରୁ ୟୁଜର୍ସ ଫି ଅଡ଼ୁଆ ନେଇ ଆଜି ପ୍ରଦେଶ କଂଗ୍ରେସ ଏହାର ତୀବ୍ର ପ୍ରତିବାଦ କରିଛି। ତୁରନ୍ତ ଏହି ୟୁଜର୍ସ ଫି ଆଦାୟ ପ୍ରତ୍ୟାହାର କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦାବି କରିଛି।

ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ପୌରହିତ୍ୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‍ଗୋ କହିଛନ୍ତି ଯେ ଏହି ୟୁଜର୍ସ ଚାର୍ଜେସ୍‍ ଆଦାୟ ଆଇନ୍‍ର ସଂପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି ଏବଂ ଓଡିଶା ମ୍ୟୁନିସିପାଲ ଆକ୍ଟର ୨୦୦୩ର ମଧ୍ୟ ବିରୁଦ୍ଧାଚରଣ କରୁଛି। ସାଧାରଣତଃ ୟୁଜର୍ସ ଚାର୍ଜେସ୍‍ ଯଦି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଭୁବନେଶ୍ୱର ମ୍ୟୁନିସିପାଲ ଅଧିନରେ ଥିବା କୌଣସି ଜାଗାକୁ ନିଜସ୍ୱ ଉଦ୍ଦେଶ୍ୟରେ ବ୍ୟବହାର କରେ ତେବେ ତା ପାଖରୁ ୟୁଜର୍ସ ଫି ଆଦାୟ କରାଯିବା ଉଚିତ୍‍। ଏହାର ଅର୍ଥ ନୁହେଁ ସବୁ ଲୋକଙ୍କ ପାଖରୁ ୟୁଜର୍ସ ଫି ଆଦାୟ କରାଯିବ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍‍ ଦାସ କହିଛନ୍ତି ଯେ ଯଦି ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ଏବଂ ସହରାଚଂଳ ବିକାଶ ମନ୍ତ୍ରୀ ଏହି ୟୁଜର୍ସ ଫି ଆଦାୟକୁ ତୁରନ୍ତ ବନ୍ଦ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ। କଂଗ୍ରେସ ଲୋକମାନଙ୍କ ସ୍ୱାର୍ଥ ପାଇଁ ଏହି ଲଢ଼େଇ ସବୁ ସ୍ତରରେ ଲଢ଼ିବ। ଆମେ ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗମକୁ ମାତ୍ର ଏକମାସ ସମୟ ଦେଲୁ। ଏହି ସମୟ ଭିତରେ ୟୁଜର୍ସ ଫି ଆଦାୟ ବନ୍ଦ କରନ୍ତୁ ଏବଂ ଏହାକୁ ଶୀଘ୍ର ପ୍ରତ୍ୟାହାର କରନ୍ତୁ। ଶ୍ରୀ ଦାସ ମହାନଗର ନିଗମ ଅଧିବାସୀମାନଙ୍କୁ ନିବେଦନ କରିଛନ୍ତି ଯେ ଏହି ୟୁଜର୍ସ ଫି ଦିଅନ୍ତୁ ନାହିଁ ଏବଂ ଏହି ଲଢ଼େଇରେ ଆମକୁ ସହଯୋଗ କରନ୍ତୁ।

ବରିଷ୍ଠ କଂଗ୍ରେସ ନେତା ତଥା ଆଇନ୍‍ଜୀବୀ ଶିବାନନ୍ଦ ରାୟ କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଷ୍ଟ୍ରିଟ୍‍ ଲାଇଟ୍‍ ଜଳୁନାହିଁ, ଡ୍ରେନେଜ୍‍ ବ୍ୟବସ୍ଥା ଠିକ୍‍ ହୋଇନାହିଁ, ସମସ୍ତ ରାସ୍ତା ଅତି ଖରାପ ଅବସ୍ଥାରେ ଅଛି, କିନ୍ତୁ ଫି କାହା ପାଇଁ ଆଦାୟ କରାଯାଉଛି। ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଲେ ଯେ ଏ ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗମର ଅଧିକାରୀବୃନ୍ଦଙ୍କ ମିଳିତ ଷଡଯନ୍ତ୍ରରେ ସହରବାସୀ ଶିକାର ହେଉଛନ୍ତି ଏବଂ ଏଭଳି ପରିସ୍ଥିତିରେ ଲୋକମାନଙ୍କ ପାଖରୁ ଜୋର ଜବରଦସ୍ତି କରବ। ଫି ଆଦାୟ କରିବା ଏକ ଗଣତାନ୍ତ୍ରିକ ସରକାରର ଧର୍ମ ନୁହେଁ। ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର କହିଲେ ଯେ ମହାନଗର ନିଗମ ଅଧିବାସୀମାନେ କାହିଁକି ସରକାରଙ୍କୁ କର ଦେବେ? ମହାନଗର ନିଗମ ଯେଉଁ ପ୍ରାଇଭେଟ୍‍ ଫାର୍ମମାନଙ୍କୁ ବିଭିନ୍ନ ସଫେଇ କାମରେ ନିୟୋଜିତ କରିଛନ୍ତି ସେମାନଙ୍କୁ ସାମାନ୍ୟ ଉପକରଣଟିଏ ମଧ୍ୟ ଦେଉନାହାନ୍ତି। ମଇଳା କୁଢ଼ କୁଢ଼ ପଡି ରହୁଛି, ରାସ୍ତାଘାଟ ପରିଷ୍କାର ହେଉନାହିଁ ବୋଲି କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ତଥା ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ଭୁବନେଶ୍ୱରବାସୀଙ୍କ ଉଦ୍ଦେଶ୍ୟରେ ହୋଲ୍ଡିଂ ଟ୍ୟାକସ୍‍ ଲଢ଼େଇରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.

seven + one =

error: Content is protected !!
Open chat