![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୧୫/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଛି ରିଲାଏନ୍ସ ଜିଓ। ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃ(ଆରଆଇଏଲ)ର ୪୩ତମ ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ପାନୀ ଅନେକ ବଡ଼ ଘୋଷଣା କରିଛନ୍ତି।ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ବପ୍ନକୁ ସାକାର କରିବ ବୋଲି ଅମ୍ବାନୀ ଦାବି କହିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/jio_5g_1594803763.jpg?resize=580%2C326)
ସେ କହିଛନ୍ତି ଯେ ଆସନ୍ତା ବର୍ଷ ସୁଦ୍ଧା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ୫ଜି ପ୍ରଯୁକ୍ତି ବିଦ୍ୟା ଭାରତରେ ଆରମ୍ଭ ହେବ। ଏଥିପାଇଁ ଏବେ ୫ଜି ସମାଧାନ ଆରମ୍ଭ କରାଯାଇଛି। ଏହି ସମାଧାନ ଦ୍ୱାରା ଭାରତରେ ୫ଜି ସେବା ମିଳିପାରିବ। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏହାର ଫାଇଦା ପାଇବ। ଏହାର ମାନ ମଧ୍ୟ ବିଶ୍ୱ ସ୍ତରୀୟ ହେବ।
୧୦୦% ସ୍ୱଦେଶୀ ଜ୍ଞାନକୌଶଳରେ ୫ଜି ନେଟୱର୍କ ଆରମ୍ଭ ହେବ। ଏନେଇ ଖୁବଶୀଘ୍ର ଟ୍ରାଏଲ ଆରମ୍ଭ ହେବ ଓ ଆସନ୍ତା ବର୍ଷ ଠାରୁ ବଜାର ପ୍ରବେଶ କରିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।
![](https://kalingajyoti.com/wp-content/uploads/2020/07/jio-5g-1593069621-1024x576.jpg)
ଜିଓ ଓ ଗୁଗଲ ମିଳିତ ଭାବେ ଏମିତି ଏକ ଅପରେଟିଂ ସିଷ୍ଟମ ବାହାର କରିବେ, ଯାହା ୪ଜି ଓ ୫ଜି ସ୍ମାର୍ଟଫୋନ ପାଇଁ ଅନେକ ପ୍ରକାରର ସହାୟତା କରିବ। ସେହିପରି ଜିଓ ଓ ଗୁଗଲ ଭାରତକୁ ୨ଜି ମୁକ୍ତ କରିବେ ବୋଲି ଶପଥ ନେଇଛନ୍ତି। ଏଥିପାଇଁ ଜିଓ ପ୍ଲାଟଫର୍ମରେ ଗୁଗଲ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ।
ଜିଓ ପକ୍ଷରୁ ନୂତନ ଭାବେ ଜିଓ ଟିଭି+ ଓ ଜିଓ ଗ୍ଲାସ ଆରମ୍ଭ କରାଯାଇଛି। ଜିଓ ଟିଭି+ ଏମିତି ଏକ ଆପ୍ଲିକେସନ ଯାହା ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଓ ହଟଷ୍ଟାର ଭଳି ଆପକୁ ଟକ୍କର ଦେବ। ଜିଓ ମାର୍ଟ ହ୍ୱାଟସଆପ ସହ ମିଳିତ ଭାବେ କାମ କରିବ।
![](https://i0.wp.com/kalingajyoti.com/wp-content/uploads/2020/07/BeFunky-collage-89-380x214-1.jpg?resize=547%2C308)
ସେ ଆହୁରି ବି କହିଛନ୍ତି କି ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ପ୍ଲାଟଫର୍ମର ଅଧା ବିଲିୟନ୍ ବ୍ୟବହାରକାରୀ ହୋଇଥିବେ। ଭାରତର ନିଜର ସ୍ବଦେଶୀ ୫ଜି ସଲ୍ୟୁସନ୍ ହୋଇଗଲେ ଆମ ଦେଶ ଆଉ ଚୀନ କିମ୍ବା ୟୁରୋପୀୟ ଦେଶଗୁଡ଼ିକ ଉପରେ ନିର୍ଭର କରିବ ନାହିଁ । ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଗୁଗୁଲ୍ ଭାରତର ଡିଜିଟାଲ୍ କ୍ଷେତ୍ରରେ ୧୦ ବିଲୟନ୍ ଡଲାର ନିବେଶ କରିବ ବୋଲି ଘୋଷଣା କରିଥିଲେ।
ଜିଓ ଗ୍ଲାସ ଦ୍ୱାରା ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ୩ଡି ଭର୍ଚ୍ୟୁଆଲ କ୍ଲାସରୁମ ଦ୍ୱାରା ଅଧିକ ନିକଟବର୍ତ୍ତୀ ହୋଇପାରିବେ। ଏବେ କରୋନା ଯୋଗୁ ଅନଲାଇନ କ୍ଲାସକୁ ଗୁରୁତ୍ୱ ଦିଆଯାଉଥିବାରୁ ଜିଓ ପକ୍ଷରୁ ଜିଓ ଗ୍ଲାସର ଆରମ୍ଭ କରାଯାଇଛି।