୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ବ୍ୟବହାର ପାଇଁ ଖେଳନାରେ ବିଆଇଏସ୍‌ ମାନ ବାଧ୍ୟତାମୂଳକ

0 509
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ବ୍ୟବହାର ପାଇଁ ଭାରତରେ ତିଆରି ହେଉଥିବା ଏବଂ ବିଦେଶରୁ ଆମଦାନି ହେଉଥିବା ଖେଳନାଗୁଡ଼ିକୁ ସେପ୍ଟେମ୍ବର ୧ରୁ ବିଆଇଏସ୍‌ ମାନ ପୂରଣ କରିବାକୁ ପଡ଼ିବ। ଏହା ଚାଇନା କମ୍ପାନୀଗୁଡ଼ିକ ପାଇଁ ବଡ଼ ଝଟ୍‌କା ହୋଇପାରେ। କାରଣ ଭାରତକୁ ଆମଦାନୀ ହେଉଥିବା ଖେଳନାର ପାଖାପାଖି ୭୫ ପ୍ରତିଶତ ଚାଇନାରୁ ଆସିଥାଏ।

୨୦୧୯-୨୦ ବର୍ଷରେ ଭାରତ ପ୍ରାୟ ୪,୦୦୦ କୋଟି ଟଙ୍କାର ଖେଳନା ଆମଦାନୀ କରିଥିଲା। ସମସ୍ତ ଆମଦାନୀ ଖେଳନାକୁ ବିଆଇଏସ୍‌ ମାନ ପୂରଣ କରିବାକୁ ହେବ। ମାନ ପୂରଣ କରୁ ନ ଥିବା ଖେଳନାକୁ ଆମଦାନୀ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି।


ପାରାଦୀପ, ମୁମ୍ବାଇ, କାଣ୍ଡଲା, କୋଲକାତା, କୋଚି ସମେତ ଦେଶର ୭ଟି ବୃହତ୍‌ ବନ୍ଦରରେ ଆମଦାନୀ ସାମଗ୍ରୀ ଯାଞ୍ଚ ଲାଗି ବିଆଇଏସ୍‌ ଅଧିକାରୀମାନେ ନିୟୋଜିତ ହେବେ ବୋଲି ଏହାର ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିଓ୍ବାରୀ କହିଛନ୍ତି। ଏହା ବ୍ୟତୀତ ଆମଦାନୀ ଖେଳନା ଯେଉଁ କମ୍ପାନୀରେ ଉତ୍ପାଦନ ହେଉଛି, ସେଠାକୁ ମଧ୍ୟ ବିଆଇଏସ୍‌ କର୍ତ୍ତୃପକ୍ଷ ଯାଇ ମାନ ଯାଞ୍ଚ କରିବେ। ବିଆଇଏସ୍‌ ସାର୍ଟିଫିକେଟ ନ ଥିଲେ ସେପ୍ଟେମ୍ବରରୁ ଖେଳନା ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଗତ ଫେବୃୟାରୀ ମାସରେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାନ ନିୟନ୍ତ୍ରଣ ନିର୍ଦ୍ଦେଶନାମା (କ୍ୟୁସିଓ) ଜାରି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଭାରତରେ ଲାଇସେନ୍ସପ୍ରାପ୍ତ ଖେଳନା ପ୍ରସ୍ତୁତକାରୀ ନାହାନ୍ତି। ଲାଇସେନ୍ସ ପାଇଁ ନିକଟରେ ୯ଟି ଆବେଦନ ଆସିଥିବା ବିଆଇଏସ୍‌ ଅଧିକାରୀ କହିଛନ୍ତି। କ୍ଷୁଦ୍ର ଘରୋଇ ଉତ୍ପାଦନ ପ୍ରଭାବିତ ହେବାକୁ ଥିବାରୁ ସମୟସୀମା ବଢ଼ାଇବା ପାଇଁ କେତେଜଣ ଦାବି କରିଛନ୍ତି।


ଦିଲ୍ଲୀ ଏବଂ ଏନ୍‌ସିଆର୍‌ ମାର୍କେଟରେ ୧୨୧ ପ୍ରକାର ଖେଳନାର ଯାଞ୍ଚ କରାଯାଇଥିଲା। ସେଥିରୁ ପାଖାପାଖି ୬୭ ପ୍ରତିଶତ ଖେଳନା ଆବଶ୍ୟକ ମାନ ପୂରଣ କରୁ ନ ଥିବା ଭାରତର ଗୁଣମାନ ପରିଷଦ (କ୍ୟୁସିଆଇ) ଜାଣିବା ପରେ ୭ଟି ଭାରତୀୟ ମାନ ଉପରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୩୦% ପ୍ଲାଷ୍ଟିକ୍‌ ଖେଳନା ନିରାପତ୍ତା ମାନ ପୂରଣ କରିବାରେ ବିଫଳ ହୋଇଥିବାବେଳେ ୮୦ ପ୍ରତିଶତରେ ମେକାନିକାଲ ଓ ଭୌତିକ ନିରାପତ୍ତା ଗୁଣ ନ ଥିଲା। ୭୫% ବିଦ୍ୟୁତ୍‌ଚାଳିତ ଖେଳନା ପରୀକ୍ଷାରେ ଫେଲ୍‌ ମାରିଥିଲେ।

Leave A Reply

Your email address will not be published.

eight + ten =

error: Content is protected !!
Open chat