ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଏବଂ ଅନ୍ନଦାତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାକାର ୨୦୨୧-୨୨ ଖରିଫ ଫସଲ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୧-୨୨ ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି କରିବା ନିଷ୍ପତି ନିଆଯାଇଛି। ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରାଯାଇ ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ସେହିପରି ‘ଏ’ ଗ୍ରେଡ ଧାନର ମୂଲ୍ୟ ୧୯୬୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମକାର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୭୦, ହରଡର ମୂଲ୍ୟ ୩୦୦ଟଙ୍କା ବୃଦ୍ଧି କରାଯାଇ ୬୩୦୦ ଟଙ୍କା ସ୍ଥିର କରାଯାଇଛି। କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଏହି ଏମଏସପି ଦ୍ୱାରା କୃଷକମାନେ ସେମାନଙ୍କ ଚାଷ ଖର୍ଚ୍ଚର ପ୍ରାୟ ୫୦ରୁ ୮୫ ପ୍ରତିଶତ ପାଇ ପାରିବେ।
ଅନ୍ୟ ପକ୍ଷରେ ରାଶି ଭଳି ତୈଳବୀଜ ଫସଲର କ୍ବିଣ୍ଟାଲ ପିଛା ମୂଲ୍ୟ ୩୩୭୭ ଟଙ୍କା ଧାର୍ଯ୍ୟ କରାଯାଇଛି। ଚିନାବାଦାମର କ୍ବିଣ୍ଟାଲ ପିଛା ମୂଲ୍ୟ ୫୫୫୦, ସୂର୍ଯ୍ୟମୁଖୀ ୬୦୧୫ ଟଙ୍କା, ମୁଗ ୭୨୭୫, ବିରି ୬୩୦୦, ବାଜରାର କ୍ବିଣ୍ଟାଲ ପିଛା ମୂଲ୍ୟ ୨୨୫୦ ଟଙ୍କା ସ୍ଥିର କରାଯାଇଛି। ୨୦୨୧-୨୨ ଖରିଫ ବିପଣନ ବର୍ଷରୁ ଏହା ଲାଗୁହେବ।