କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଆଜିଠୁ ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷା । ଏଥିପାଇଁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଆଜି ସୁରକ୍ଷା ପ୍ରସଙ୍ଗରେ ବିଏମ୍ସି ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ରାଜଧାନୀର ୬ଟି ଓ କଟକର ଗୋଟିଏ ସେଣ୍ଟରରେ କଡ଼ା ପୁଲିସ ପହରା ରହିବ ।
ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ଏପ୍ରିଲ/ସେପ୍ଟେମ୍ବର ସେକ୍ସନ ମଙ୍ଗଳବାର ଠାରୁ ଆରମ୍ଭ ହେବ। ଏହି ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଜାତୀୟସ୍ତରରେ ୯,୫୩, ୪୭୩ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରି ଥିବାବେଳେ ରାଜ୍ୟରୁ ୩୮,୨୩୬ ଜଣ ବିଦ୍ୟାର୍ଥୀ ଅଛନ୍ତି। ତେବେ କମ୍ପ୍ୟୁଟର ବେସ୍ ଟେଷ୍ଟ (ସିବିଟି) ପଦ୍ଧତିରେ ପରୀକ୍ଷା କରାଯିବ। ଏଥିପାଇଁ ଦେଶ ଓ ବିଦେଶରେ ୬୬୦ ପରୀକ୍ଷା କେନ୍ଦ୍ର କରାଯାଇଛି। ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଢେଙ୍କାନାଳ, ରାଉରକେଲା ଏବଂ ବାଲେଶ୍ୱର ସହରରେ ସମୁଦାୟ ୨୬ଟି ପରୀକ୍ଷା କେନ୍ଦ୍ର ହୋଇଛି। ୩୮ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୬ ହଜାର ବିଦ୍ୟାର୍ଥୀ ଭୁବନେଶ୍ୱରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ। ବି. ଆର୍କ, ବି. ପ୍ଲାନ୍, ବି.ଇ ଏବଂ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିଥାଏ। କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ସାନିଟାଇଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷାର୍ଥୀ ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବେ। ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କ ଶରୀର ତାପମାତ୍ରା ମାପ ଏବଂ ହାତକୁ ସାନିଟାଇଜ୍ କରାଯିବ। କେନ୍ଦ୍ରରେ ପଡ଼ିଥିବା ଚୌକି, ଟେବୁଲ, କମ୍ପ୍ୟୁଟର ସାନିଟାଇଜ୍ ହେବ। ଗୋଟିଏ ସିଟ୍ରୁ ଆଉ ଗୋଟିଏ ସିଟ୍ର ଦୂରତ୍ୱ ଦୁଇଗଜ ରହିବ। ସମସ୍ତ ପରୀକ୍ଷାର୍ଥୀ ମାସ୍କ ପିନ୍ଧି ପରୀକ୍ଷା ଦେବେ ବୋଲି ଏନ୍ଟିଏ କୋଭିଡ-୧୯ କଟକଣାକୁ ନେଇ ପ୍ରସ୍ତୁତ ପରୀକ୍ଷା ପରିଚାଳନା ନିୟମାବଳୀରେ ଉଲ୍ଲେଖ କରିଛି।
ପୁଲିସ କହିଛି, ଜଣେ ଏସିପି ଓ ୨ ଜଣ ଇନ୍ସପେକ୍ଟର ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ସେଣ୍ଟର ଭିତରେ ଓ ବାହାରେ ପୁଲିସ କର୍ମଚାରୀମାନେ ସାମାଜିକ ଦୂରତାକୁ ଜଗିବେ । ସେଣ୍ଟର ବାହାରେ ଅଭିଭାବକମାନେ ଗହଳି ନ କରିବା ଦିଗରେ ଦୃଷ୍ଟି ଦିଆଯିବ । ବାହାରେ ଭିଡ଼ ଏଡ଼ାଇବାକୁ ମାଇକ୍ ଯୋଗେ ପ୍ରଚାର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।
ସୂଚନା ଥାଉ କି, ୧ରୁ ୬ ତାରିଖ ଯାଏଁ ଜେଇଇ ମେନ୍ ପ୍ରବେଶିକା ଓ ନିଟ୍ ପ୍ରବେଶିକା ଆସନ୍ତା ୧୩ ତାରିଖରେ ହେବ । ଚନ୍ଦ୍ରଶେଖରପୁର କୌସ୍ତୁଭ ଟେକନିକାଲ କ୍ୟାମ୍ପସ, ଆନ୍ଥେମ ଗ୍ଲୋବାଲ ଟେକ୍ନୋଲୋଜି ସର୍ଭିସ୍(ଓଟିଭି ଅଫିସ୍ ନିକଟ), ମଞ୍ଚେଶ୍ୱର ପ୍ଲଟ ନମ୍ବର ୫୩,୬୮, ୬୯ ଓ ୮୩ (ସେକ୍ସନ-ଏ), ଯାଁଳା ମଦନପୁରସ୍ଥିତ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଫର ଟେକ୍ନିକାଲ ଆଡଭାନ୍ସମେଣ୍ଟ, ଦ୍ୱାରକା ବିହାରସ୍ଥିତ ଗୁରୁକୃପା କଲେଜ ଅଫ୍ ମ୍ୟାନେଜମେଣ୍ଟ, ରଘୁନାଥପୁରସ୍ଥିତ ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲରେ ସେଣ୍ଟର ପଡ଼ିଛି । ଏସବୁ ସେଣ୍ଟରରେ ପୁଲିସ ଟିମ୍ ଛଡ଼ା ମୋବାଇଲ୍ ଟିମ୍ ଓ ସାନିଟାଇଜ୍ ଟିମ୍ ରହିବେ ।