କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିକୁ ମଧ୍ୟ ମଜଭୁତ କରାଯାଉଛି । ସେହିକ୍ରମରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ତିନିଟି କୋଭିଡ୍ ହସ୍ପିଟାଲ୍ ଖୋଲିବ । ଏସ୍ସିବି ମେଡିକାଲ୍ କଲେଜ ହସ୍ପିଟାଲ୍ରେ ୨ଟି ଓ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍, କୋରାପୁଟ୍ରେ ଗୋଟିଏ କୋଭିଡ୍ ହସ୍ପିଟାଲ୍ ଖୋଲିବା ପାଇଁ ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଏମ୍ଇଟି)ଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଡିଏମ୍ଇଟିଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଜି ସୁପାରିସ୍ କରାଯାଇଛି । ଖୁବ୍ ଶୀଘ୍ର ତିନିଟି କୋଭିଡ୍ ହସ୍ପିଟାଲ୍ ଖୋଲିବା ନେଇ ସରକାରୀସ୍ତରରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଅଧିକ ବେଡ୍ ଓ ଆଇସିୟୁ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ଆଜି ଭୁବନେଶ୍ୱରସ୍ଥିତ ଡିଏମ୍ଇଟି କାର୍ଯ୍ୟାଳୟରେ କୋଭିଡ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଡାକ୍ତରୀ ଶିକ୍ଷା ଓ ତାଲିମ୍ ଅତିରିକ୍ତ ନିର୍ଦ୍ଦେଶକ (ଆଡିସନାଲ୍ ଡିଏମ୍ଇଟି) ତଥା କୋଭିଡ୍ କମିଟି ଅଧ୍ୟକ୍ଷ ଡାକ୍ତର ଉମାକାନ୍ତ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଆଉ ତିନିଟି କୋଭିଡ୍ ହସ୍ପିଟାଲ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଏସସିବି ପରିସରରେ ପୃଥକ୍ ପୃଥକ୍ ଦୁଇଟି କୋଭିଡ୍ ହସ୍ପିଟାଲ୍ ଖୋଲିବ । ନୂଆ ମେଡିସିନ୍ ବିଲ୍ଡିଂରେ ୨୦୦ ସାଧାରଣ ବେଡ୍ ଓ ୩୯ ବେଡ୍ ଆଇସିୟୁ ସୁବିଧା ଥିବା ଏକ କୋଭିଡ୍ ହସ୍ପିଟାଲ୍ ଖୋଲିବ । ପୂର୍ବରୁ ଏଠାରେ ମେଡିସିନ୍ ବିଭାଗ ଅଧୀନରେ ୧୪ ବେଡ୍ ଆଇସିୟୁ ଥିଲା³ ଏବେ ସେଥିରେ ୨୫ଟି ନୂଆ ଆଇସିୟୁ ବେଡ୍ କୋଭିଡ ପରିଚାଳନା ପାଇଁ ଖୋଲାଯିବ । ନୂଆ ମେଡିସନ୍ ୱାର୍ଡରେ କରୋନା ହସ୍ପିଟାଲ୍ ଖୋଲାଯାଉଥିବାରୁ ମେଡିସିନ୍ ବିଭାଗକୁ ଟ୍ରମା ୟୁନିଟ୍ ବିଲ୍ଡିଂକୁ ସ୍ଥାନାନ୍ତର କରାଯିବ । ଟ୍ରମା ୟୁନିଟର ଦ୍ୱିତୀୟ ମହଲାରେ ଥିବା ୪୦ ବେଡ୍, ତୃତୀୟ ମହଲାରେ ଥିବା ୪୦ ବେଡ୍ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଉଦ୍ଦିଷ୍ଟ ଚତୁର୍ଥ ମହଲାରେ ୨୦ ବେଡ୍..ଏହି ସବୁକୁ ମିଶାଇ ମୋଟ୍ ୧୦୦ଟି ବେଡ୍କୁ ମେଡିସିନ୍ ବିଭାଗକୁ ଦିଆଯିବ । ତେବେ କୋଭିଡ୍ ହସ୍ପିଟାଲ୍ କାରଣରୁ ମେଡିସିନ୍ ବିଭାଗ ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ନୂଆ ମେଡିସିନ୍ ବିଭାଗ କୋଠାର ସାମ୍ନାରେ ଥିବା ସେଡ୍ରେ ୩୦ ବେଡ୍ ଓ ଏବଂ ଆ ଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ସାମ୍ନାରେ ଥିବା ସେଡ୍ରେ ୮୦ ବେଡ୍କୁ ମିଶାଇ ଆଉ ୧୧୦ ବେଡ୍ରେ ମଧ୍ୟ ମେଡିସିନ୍ ବିଭାଗ କାର୍ଯ୍ୟ କରିବ । ସେହିପରି ମେଡିସିନ୍ ୱାର୍ଡ ସ୍ଥାନାନ୍ତର ପରେ ଟ୍ରମା ୟୁନିଟ କୋଠାରେ ଥିବା ରୋଗୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ ୱାର୍ଡକୁ ପଠାଯିବ । ଏହାବାଦ୍ ଡେଷ୍ଟିଚ୍ୟୁଟ ୱାର୍ଡରେ ଚିକିିତ୍ସିତ ରୋଗୀମାନଙ୍କୁ ଟିଟାନାସ ୱାର୍ଡକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି । ଟ୍ରମା ୟୁନିଟରେ ଥିବା ୧୪ ବେଡ୍ ବିଶିଷ୍ଟ ଆଇସିୟୁକୁ ମେଡିସିନ୍ ୱାର୍ଡର ରୋଗୀମାନଙ୍କ ବ୍ୟବହାର ପାଇଁ ରଖାଯିବ।
ଅନ୍ୟପକ୍ଷରେ ପ୍ରସୂତି ବିଭାଗ ଅଧୀନରେ ଥିବା ପିପି (ପୋଷ୍ଟ ପାର୍ଟମ୍) କୋଠାର ପ୍ରଥମ ମହଲାରେ କରୋନା ଆକ୍ରାନ୍ତ ପ୍ରସୂତିଙ୍କ ପାଇଁ ୩୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଖୋଲାଯିବ । ଏଥିରେ ୩୦ଟି ସାଧାରଣ ବେଡ୍, ୧୦ଟି ଲେବର ଟେବୁଲ ଓ ଦୁଇଟି ଓଟି ଟେବୁଲ ରଖାଯିବ । ଏହି ଦୁଇଟି ନୂଆ କୋଭିଡ ହସ୍ପିଟାଲ ପାଇଁ ଆବଶ୍ୟକ ଚିକିତ୍ସା ଉପକରଣ ଯୋଗାଇ ଦେବାକୁ ଏସ୍ସିବି ଷ୍ଟୋରକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ହସ୍ପିଟାଲ୍ରେ ୩୦ ଜଣ ସଫେଇ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତି ଦିଆଯିବ । ଅନ୍ୟପକ୍ଷରେ କୋରାପୁଟ୍ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ସର୍ଜରୀ ବିଭାଗର କିଛି ଅଂଶରେ ଏକ କୋଭିଡ୍ ହସ୍ପିଟାଲ୍ ଖୋଲାଯିବ । ଏଥିରେ ୬୫ବେଡ୍ ଓ ୫ଟି ଆଇସିୟୁ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତିନିଟି କୋଭିଡ୍ ହସ୍ପିଟାଲ୍ ଖୋଲିବା ସଂପର୍କରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏଥିରେ ମୋହର ମାରିବା ପରେ କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତି ଆରମ୍ଭ ହେବ । ଏସମ୍ପର୍କରେ ଏସ୍ସିବି ଭାରପ୍ରାପ୍ତ ଅଧୀକ୍ଷକ ପ୍ରଫେସର ପି.କେ ନନ୍ଦ କହିଛନ୍ତି ଯେ, ଏସ୍ସିବିରେ ଆଉ ୨ଟି କୋଭିଡ୍ ହସ୍ପିଟାଲ୍ ଖୋଲିବା ନେଇ ଆମ ପାଖକୁ ଏଯାବତ୍ କୌଣସି ନିର୍ଦ୍ଦେଶନାମା ଆସିନାହିଁ । ହୁଏତ ଏହି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଥିବ ଓ ଏନେଇ ପରେ ସୂଚନା ମିଳିବ ବୋଲି ପ୍ରଫେସର ନନ୍ଦ କହିଛନ୍ତି ।