କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: ଲୁଟ୍ ପାଇଁ ପ୍ରସ୍ତୁତି ସରିଥିଲା । ଟାର୍ଗେଟ ଜାଗାରେ ପହଞ୍ଚି ଯାଇଥିଲେ । କିନ୍ତୁ ଲୁଟେରାଙ୍କ ଏହି ପ୍ଲାନିଂକୁ ବିଗାଡ଼ି ଦେଲେ ବୁଲା କୁକୁର । ଲୁଟେରାଙ୍କ ସନ୍ଦିଗ୍ଧ ହାବଭାବ ଦେଖି ଖୁବ୍ ଭୁକି ଭୁକି ଗୋଡ଼ାଇଲେ । କୁକୁରଙ୍କ ଏମିତି କାଣ୍ଡ ଲୁଟେରାଙ୍କ ପାଇଁ କାଳ ପାଲଟିଲା । ଗାଡ଼ିରୁ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ । ଜୀବନ ବିକଳରେ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଲେ ।
ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରେ ଏମିତି ଘଟଣା ଘଟିଛି । ଘଟଣାଟି ଆଜି ସ୍ଥାନୀୟ ଅଞ୍ଚଳରେ ରୋଚକ ଚର୍ଚ୍ଚାର ବିଷୟ ପାଲଟିଛି । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ଲୁଟେରା ଛାଡ଼ି ପଳାଇଥିବା ଏକ ଖେଳନା ବନ୍ଧୁକ ଓ ହେଲ୍ମେଟ୍କୁ ସାଙ୍ଗରେ ଧରି ଫେରିଛି । ଘଟଣାସ୍ଥଳରୁ ମିଳିଥିବା ଜଣେ ବ୍ୟକ୍ତିଙ୍କ ଆର୍ସି ବୁକ୍ରୁ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, କଲୋନିର ପ୍ଲଟ୍ ନମ୍ବର ଏଲ୍ ୩୨୫ ସାମ୍ନା ରାସ୍ତାରେ ମେଞ୍ଚାଏ ରକ୍ତ ପଡିଥିବା ସକାଳୁ ଦେଖିଥିଲେ । ଭୋର୍ ସାଢ଼େ ୪ଟା ବେଳେ ସେଠାକାର କିଛି ବୁଲା କୁକୁର ଖୁବ୍ ଜୋର୍ରେ ଭୁକୁଥିଲେ । ଖୁବ୍ ଜୋରରେ ଏକ ଶଦ୍ଦ ହୋଇଥିବା ବି ସେମାନେ ଶୁଣିଛନ୍ତି ।
ପୁଲିସ ଏଥିରୁ ଅନୁମାନ କରୁଛି, ଲୁଟେରାମାନେ ସେଠାରେ ମର୍ଣିଂ ୱାକରଙ୍କୁ ଲୁଟିବା ପାଇଁ ପ୍ଲାନିଂ କରିଥିଲେ । ଯାହାକୁ କୁକୁରଦଳ ଭଣ୍ଡୁର କରି ଦେଇଛନ୍ତି । କୁକୁରମାନେ ଗୋଡ଼ାଇବା ଯୋଗୁଁ ଲୁଟେରାଙ୍କ ଦୁର୍ଘଟଣା ଘଟିଛି । ରକ୍ତାକ୍ତ ଅବସ୍ଥାରେ ସେମାନେ ଖସି ପଳାଇଛନ୍ତି । କିନ୍ତୁ ବନ୍ଧୁକ ନେବାକୁ ଭୁଲି ଯାଇଛନ୍ତି । ଜବତ ଆର୍ସି ବୁକ୍ରୁ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି । ସୂଚନା ଥାଉ କି, ବରମୁଣ୍ଡା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ ବଢ଼ୁଛି । ଅଗଷ୍ଟ ମାସ ୫ ତାରିଖରେ ବନ୍ଧନ ଫାଇନାନ୍ସ ସଂସ୍ଥାର କର୍ମଚାରୀ ମନୋରମା ବରାଳଙ୍କ ଠାରୁ ଲୁଟେରାମାନେ ୯୪ ହଜାର ଟଙ୍କା ଛଡ଼ାଇ ନେଇଥିଲେ । ପଳାଇବା ବେଳେ ସେମାନଙ୍କ ମାଉଜର ଖସି ପଡିଥିଲା । ପୁଲିସ ଏ ଲୁଟ୍ ଘଟଣାରେ କୁଖ୍ୟାତ ଲୁଟେରା ପାଟୁ ଓ ତା’ର ୩ ସହଯୋଗୀଙ୍କୁ ଗିରଫ କରିଥିଲା ।