ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ଆସନ୍ତା ସେପ୍ଟେମ୍ବର ୨୭ରେ ପର୍ଯ୍ୟଟନ ଦିବସ ଅବସରରେ ଭୁବନେଶ୍ୱରରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହେବ । ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ମୋ ବସ ସେବା ରୁଟ ନଂ ୫୦ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ବସଷ୍ଟାଣ୍ଡରୁ ବାହାରି ପୁରୀ ଯିବ । ସେହିପରି ୭୦ ନମ୍ବର ରୁଟରେ ମୋ ବସ୍ କୋଣାର୍କ ଅଭିମୁଖେ ଗଡ଼ିବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ତରଫରୁ ଶୁକ୍ରବାର ଟ୍ୱିଟ କରି ସୂଚନା ଦିଆଯାଇଛି ।
ପ୍ରଥମେ ୨ଟି ବିନା ଏସି ବସ୍ ସେବା ଆରମ୍ଭ ହେବ । ରବିବାର ଦିନ ଗୋଟିଏ ଲେଖାଏଁ ବସ୍ ଉଭୟ ରୁଟରେ ଚାଲିବ । ଯାତ୍ରୀମାନେ ନିର୍ଦ୍ଧାରିତ ବସ ଭଡ଼ା ଖୁଚୁରା ଆକାରରେ ଦିଅନ୍ତୁ ବୋଲି କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହା ଦ୍ୱାରା ନୋଟ ଆଦାନପ୍ରଦାନ ଜନିତ ଭୂତାଣୁ ସଂପ୍ରସାରଣ ରୋକିବ ଓ ଯାତ୍ରୀ ଓ ଗାଇଡମାନେ ନିଜକୁ ସୁରକ୍ଷିତ ରଖିପାରିବେ । ସେ କହିଛନ୍ତି, ରୁଟ ନଂ ୫୦ରେ ସର୍ବାଧିକ ୭୦ ଟଙ୍କା ଓ ରୁଟ ନଂ ୭୦ରେ ସର୍ବାଧିକ ୬୦ ଟଙ୍କା ବସ ଭଡ଼ା ରହିବ ।
୫୦ ନମ୍ବର ରୁଟ ମାଷ୍ଟରକ୍ୟାଂଟିନ, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ, ଧଉଳି ଛକ, ଉତରା ଛକ, ପିପିଲି ବାଇପାସ, ମାଳୀପାଟପୁର ଓ ପୁରୀରେ ରହିବ । ୭୦ ନମ୍ବର ରୁଟର ସମସ୍ତ ମୁଖ୍ୟ ବସଷ୍ଟପ୍ ଦେଇ ମୋ ବସ ଯାତ୍ରା କରିବ । ମାସ୍କ ପିନ୍ଧିଥିବା ଯାତ୍ରୀ କେବଳ ବସରେ ଯାତ୍ରା କରିପାରିବେ ।