ନୂଆଦିଲ୍ଲୀ,୦୧/୧୨: କୃଷି ସଂସ୍କାର ଆଇନକୁ ରଦ୍ଦ କରିବା ଦାବିରେ ଚାଷୀମାନେ ‘ଦିଲ୍ଲୀ ଚଲ୍ଲୋ’ ଅଭିଯାନ ଜାରି ରଖିଥିଲା ବେଳେ ଏନ୍ଡିଏ ଦଳ ଭିତରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । ପୂର୍ବରୁ ଏହି ପ୍ରସଙ୍ଗରେ ଶିରୋମଣି ଅକାଳୀ ଦଳ (ଏସ୍ଏଡି) ଏନ୍ଡିଏରୁ ଓହରିଯାଇଥିଲା ବେଳେ ଏବେ ଅନ୍ୟତମ ସହଯୋଗୀ ଆରଏଲ୍ପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି) ଏନ୍ଡିଏ ଛାଡ଼ିବାକୁ ଧମକ ଦେଇଛି ।
ଆରଏଲ୍ପି ମୁଖ୍ୟ ତଥା ରାଜସ୍ଥାନର ସଂସଦ ହନୁମାନ ବେନିୱାଲ ତୁରନ୍ତ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ସେ ଚିଠି ଲେଖି କୃଷି ଆଇନର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ଡିସେମ୍ବର ୩ ବଦଳରେ ତୁରନ୍ତ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ଆଲୋଚନା ଆରମ୍ଭ କରିବାକୁ କହିଛନ୍ତି । ଯଦି ସରକାର ତାଙ୍କ ଦାବି ପ୍ରତି ଅଣଦେଖା କରନ୍ତି ତେବେ ଆରଏଲ୍ପି କେବଳ ଏନ୍ଡିଏ ଛାଡିବ ନାହିଁ, ବରଂ ଚାଷୀଙ୍କ ଆନ୍ଦୋଳନରେ ମଧ୍ୟ ସାମିଲ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜସ୍ଥାନର ଜାଠ ସମ୍ପ୍ରଦାୟରେ ଆରଏଲ୍ପିର ପ୍ରଭାବ ରହିଛି । ଯଦିଓ ଏହି ଦଳର ଲୋକସଭାରେ ଜଣେ ସାଂସଦ ଅଛନ୍ତି ତଥାପି ୧୦-୧୫ଟି ଆସନରେ ଆରଏଲ୍ପିର ସମର୍ଥନ ତଥା ଜାଠ ସମ୍ପ୍ରଦାୟ ଭୋଟ ନିର୍ଣ୍ଣାୟକ ହୋଇଥାଏ ।
ସୂଚନାଯୋଗ୍ୟ ଯେ ପୂର୍ବରୁ ହନୁମାନ ବେନିୱାଲ ବିଜେପିରେ ଥିଲେ । କିନ୍ତୁ ବସୁନ୍ଧରା ରାଜେଙ୍କ ସହ ମତଭେଦ ଯୋଗୁ ଦଳ ଛାଡି ସେ ଆରଏଲ୍ପି ଗଠନ କରିଥିଲେ ।