ଭୁବନେଶ୍ୱର – ଅଫ୍ ଲାଇନ୍ରେ ହେବ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା । ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।
ପୂର୍ବରୁ ଚଳିତ ବର୍ଷ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ହେବ। ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ । ଏଥିପାଇଁ ସର୍ବନିମ୍ନ ୩ ମାସ ପାଠପଢ଼ା ହେବ, ତାପରେ ପରୀକ୍ଷା ଵ୍ୟଵସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ, ତାହାହେଲେ ହୁଏତ ରାଜ୍ୟରେ ପରୀକ୍ଷା ବନ୍ଦ ହୋଇପାରେ । ରାଜ୍ୟ ସରକାର ନିଜଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ, ଯଦି ପରୀକ୍ଷା ବନ୍ଦ କରାଯାଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ | ଡିସେମ୍ବର ୩୧ପରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।
ମହାମାରୀ କରୋନା ଯୋଗୁଁ ସ୍କୁଲ୍ ଶିକ୍ଷା ସବୁଠାରୁ ଅଧିକ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ବିଦ୍ୟାର୍ଥୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କରୋନାର ଭୟାବହତା ପାଇଁ ଏପର୍ଯ୍ୟନ୍ତ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହୋଇପାରୁନାହିଁ । ବିଦ୍ୟାଳୟ ଖୋଲିବା ନେଇ ସରକାର, ଅଭିଭାବକ, ଶିକ୍ଷକ ଓ ବୁଦ୍ଧିଜୀବୀ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ଡିସେମ୍ବର/ଜାନୁଆରୀରେ ସଂକ୍ରମଣର ଲହର ବଢ଼ିବ ବୋଲି କହିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଥିଲେ। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଦ୍ୱାର ମାଡ଼ି ନାହାନ୍ତି ।
ଅନ୍ଲାଇନ୍, ମଧୁ ଆପ୍ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଶିକ୍ଷାଦାନ ୨୦ ରୁ ୨୫ ଭାଗ ପିଲାଙ୍କ ପାଖରେ ପହଞ୍ଚିବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ । ବାଧ୍ୟ ହୋଇ ସରକାର ଏ ବର୍ଷ ସିଲାବସ୍ରୁ ୩୦ ଭାଗ କମାଇ ଦେଇଛନ୍ତି । ଅବଶିଷ୍ଟ ୭୦ ଭାଗ ସିଲାବସ୍ ଶିକ୍ଷାଦାନ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏପର୍ଯ୍ୟନ୍ତ ଠିକ୍ ଭାବେ ପାଠପଢ଼ା ଆରମ୍ଭ ହୋଇପାରିନାହିଁ । ଏପରିକି ଏହା ଆରମ୍ଭ ହୋଇପାରିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।