
ଭୁବନେଶ୍ୱର,୦୪/୧୨: ଚାରି ଦିନ ତଳେ ଦଳରୁ ତଡ଼ା ଖାଇଥିଲେ ଜନ ବିରୋଧୀ କାର୍ଯ୍ୟ ପାଇଁ । ଗତକାଲି ଗିରଫ ହୋଇଛନ୍ତି। ଅଭିଯୋଗ, ଚାକିରି ଦେବା ନାମରେ ଠକୁଥିଲେ । କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ପୁଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁବେର ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅଙ୍କ ପୁଅ ଆକାଶ ସହ ମିଶି ପ୍ରଦୀପ ଲୋକଙ୍କୁ ଠକୁଥିଲେ। ଟାଟା ମୋଟର୍ସରେ ଚାକିରି କରାଇଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ତଦନ୍ତରୁ ଏ ନେଇ ପ୍ରମାଣଯୋଗ୍ୟ ତଥ୍ୟ ମିଳିଛି ।

ତାଙ୍କ ବିରୋଧରେ ଠକେଇ (ଦଫା ୪୨୦), ଜାଲିଆତି(ଦଫା ୪୬୭, ୪୬୮, ୪୬୯, ୪୭୧), ଫୌଜଦାରୀ ଷଡ଼ଯନ୍ତ୍ର (ଦଫା ୧୨୦ ଖ) ଓ ସୂଚନା ଓ ପ୍ରଯୁକ୍ତି ଆଇନର ଧାରା ୬୬ (ଗ) ଓ ୬୬ (ଘ) ଅଭିଯୋଗରେ ମାମଲା ରୁଜୁ ହୋଇଛି। ରାତି ପ୍ରାୟ ୧୦ଟା ବେଳେ ପ୍ରଦୀପଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ)କୁ ପଠାଇ ଦିଆଯାଇଛି । ଆସନ୍ତା କାଲି ତାଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିବ।ଦିନ ଥିଲା, ପ୍ରଦୀପ ଆକାଶରେ ଉଡ଼ୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ବୋଲାଇ ଢେର୍ ପ୍ରଭାବ ବିସ୍ତାର କରିଥିଲ । ହଠାତ୍ ଯେ ଏମିତି କଚାଡ଼ି ହୋଇ ପଡ଼ିବେ, ଏକଥା ସ୍ୱପ୍ନରେ ବି ଭାବି ନ ଥିଲେ । ସିଧା ଜେଲ୍। ଗତ ତିନି ଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁରରେ ଡେରା ମାରି ଖୋଳତାଡ଼ ଚଳାଇଥିଲା। ଆକାଶ ଓ ପ୍ରଦୀପ ମିଶି ଲୋକଙ୍କୁ ଯେପରି ଢଙ୍ଗରେ ଠକୁଥିଲେ, ସେ ନେଇ ଗଦା ଗଦା ପ୍ରମାଣ ମିଳିଥିଲା।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଣ୍ଡ ପିଛା ୫ରୁ ୧୨ ଲକ୍ଷ ଟଙ୍କା ଲେଖାଏ ଆଦାୟ କରାଯାଇଥିଲା ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାମରେ । କାଗଜପତ୍ର ଜାଲିଆତି କରି ଆକାଶ ପାଠକ ସାଜିଥିଲେ ଟାଟା ମୋଟର୍ସର ପରିଚାଳନା ନିର୍ଦ୍ଦେଶକ । ଆଉ ପ୍ରଦୀପଙ୍କ ମାଧ୍ୟମରେ ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିଲା ।ଏକାଧିକ ଯୁବକ ତଥ୍ୟ ପ୍ରମାଣ ସହ କ୍ରାଇମବ୍ରାଞ୍ଚ ଟିମ୍କୁ ସେମାନଙ୍କ କାହାଣୀ କହିଛନ୍ତି। ପ୍ରଦୀପଙ୍କ ସଂପର୍କୀୟ ଏବଂ ଏଜେଣ୍ଟମାନଙ୍କ ମାଧ୍ୟରେ ଟଙ୍କା ଆଦାୟ ହୋଇଛି ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କେବଳ ପ୍ରତିଶ୍ରୁତି ନୁହେଁ, ଜାଲ୍ ନିଯୁକ୍ତି ପତ୍ର ବି ଦିଆଯାଇଛି ଚାକିରି ଆଶାୟୀମାନଙ୍କୁ । ନକଲି ଟାଟା ମୋଟର୍ସର ପ୍ୟାଡ୍ରେ କମ୍ପାନି ଏମ୍ଡିଙ୍କ ସ୍ୱାକ୍ଷର ଥାଇ ବଣ୍ଟାଯାଇଛି ନିଯୁକ୍ତିପତ୍ର। ପୋଷ୍ଟ ମିଳିଛି ମ୍ୟାନେଜ୍ମେଣ୍ଟ ଟ୍ରେନି । କାହାକୁ ୪୦ ହଜାର ଦରମା ତ କାହାକୁ ୫୫ ହଜାର ଦରମା ମିଳିବ ବୋଲି ଦର୍ଶାଯାଇଛି । କେବଳ ନିଯୁକ୍ତି ପତ୍ର ନୁହେଁ, ଅନେକ ଆଶାୟୀଙ୍କୁ ଅନ୍ ଲାଇନ୍ ଟ୍ରେନିଂ ବି ଦିଆ ସରିଛି ।
ତଥ୍ୟ ପ୍ରମାଣ ହାସଲ ହୋଇ ସାରିବା ପରେ କ୍ରାଇମବ୍ରାଞ୍ଚର ଏକ ଦଳ ଆଜି ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଅଚାନକ ପହଞ୍ଚଥିଲେ ପ୍ରଦୀପଙ୍କ ସରକାରୀ ବାସଭବନରେ। ୪ଟି ଗାଡ଼ିରେ ଯାଇଥିଲେ ୧୦ ଅଧିକାରୀଙ୍କ ସମେତ ୧୫ ପୁଲିସ। ତାଙ୍କୁ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖଶ) ବିଲ୍ଡିଂକୁ ନିଆଯାଇ ପଚରା ଉଚରା କରାଯାଇଥିଲା । ତଥ୍ୟ ପ୍ରମାଣ ଦେଖି ପ୍ରଦୀପଙ୍କ ମୁହଁ ଶୁଖି ଯାଇଥିଲା ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ।
ଆକାଶ ନିଜକୁ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଭାବେ ପରିଚୟ ଦେଉଥିଲେ । ବିଧାୟକ ପ୍ରଦୀପ ତାଙ୍କୁ ଜ୍ୱାଇଁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆକାଶ ନକଲି ଆଇ କାର୍ଡ, ମେଲ୍ ଆଇଡି ସହ ନିଜ ସୋସିଆଲ୍ ମିଡିଆ ପେଜ୍ରେ ଟାଟାର ବରିଷ୍ଠ କର୍ମଚାରୀ ବୋଲି ଦର୍ଶାଉଥିଲେ । ବ୍ରହ୍ମପୁରରେ ପ୍ରଦୀପଙ୍କ ସହଯୋଗରେ ଆକାଶ ଏକ ଅଫିସ୍ ବସାଇଥିଲେ ।
୨୦୨୦ ମେ ମାସ ୭ ତାରିଖରେ ଟାଟା ମୋଟର୍ସ ଅଧିକାରୀ ବିଜୟ କୁମାର ଝାଙ୍କ ମେଲରୁ ଟାଟା କର୍ତ୍ତୃପକ୍ଷ ଆକାଶଙ୍କ ଠକେଇ ବାବଦରେ ସୂଚନା ପାଇଥିଲେ । ବିଜୟ କମ୍ପାନୀକୁ ଲେଖିଥିବା ମେଲରେ ଆକାଶ କୁମାର ପାଠକଙ୍କ ବାବଦରେ ଅଧିକ ତଥ୍ୟ ମାଗିଥିଲେ । ଆକାଶ ଟାଟା ମୋଟର୍ସ ପୁନେ ଡିଭିଜନର ଏମ୍ଡି ଅଛନ୍ତି କି ନାହିଁ ତାହା ଜାଣିବାକୁ ଚାହିଁଥିଲେ। ନିଜକୁ ଏମ୍ଡି ବୋଲି ପରିଚୟ ଦେଇ ଆକାଶ ବେକାର ଯୁବକଙ୍କ ଠାରୁ ଚାକିରି ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ବୋଲି ସେ ଅଭିଯୋଗ କରିଥିଲେ ।
ଠକେଇ ପାଇଁ ଆକାଶ ଟାଟା ମୋଟର୍ସର ଜାଲ୍ ପରିଚୟପତ୍ର, ଲୋଗୋ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏମିତିକି ଆକାଶ ଡଟ୍ ପାଠକ୍ ଆଟ୍ ଦ ରେଟ୍ ଟାଟା ମୋଟର୍ସ ନାମରେ ଏକ ଜାଲ ମେଲ୍ ଆଇଡି ମଧ୍ୟ କରିଛନ୍ତି। ତା’ଛଡା ଆକାଶ ଭିଜିଟିଂ କାର୍ଡରେ ମଧ୍ୟ ନିଜକୁ ଟାଟା ମୋଟର୍ସର ଅଧିକାରୀ ଭାବେ ଉଲ୍ଲେଖ କରିଥିଲେ। କମ୍ପାନୀ ଏ ସବୁ ଜାଣିବା ପରେ ମେ’ ମାସ ୧୮ ତାରିଖରେ କ୍ରାଇମ୍ବ୍ରାଞ୍ଚର ସାଇବର ସେଲ୍ରେ ଏତଲା ଦେଇଥିଲା। ପ୍ରମାଣ ସ୍ୱରୂପ ଟାଟା ପକ୍ଷରୁ ବିଭିନ୍ନ କାଗଜପତ୍ର ଦିଆ ଯାଇଥିଲା।