
ୱାଶିଂଟନ : ମିଳିତ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁଟେରସ୍ ଗରିବ ଦେଶମାନଙ୍କୁ କୋଭିଡ୍-୧୯ ଟିକା କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି। ଶ୍ରୀ ଗୁଟେରସ୍ କହିଛନ୍ତି, ଆମେ କେବଳ ଟିକା ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ, ଏଥିପାଇଁ ଆନ୍ତର୍ଜାତିକ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ।
ସେ କହିଛନ୍ତି, ଜାତିସଂଘ ସହାୟତାରେ ପରିଚାଳିତ କୋଭାକ୍ସ କାର୍ଯ୍ୟକ୍ରମ ପାଇଁ ଆସନ୍ତା ମାସ ଶେଷ ସୁଦ୍ଧା ୫୦୦ କୋଟି ଡଲାର ଅର୍ଥ ଆବଶ୍ୟକ ପଡ଼ିବ। ବିଶ୍ୱର ସବୁ ଦେଶକୁ କୋବିଡ୍-୧୯ ଟିକା ଯୋଗାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ଏଥିପାଇଁ ୨ ହଜାର କୋଟି ଡଲାରରୁ ଅଧିକ ଅର୍ଥର ଆବଶ୍ୟକତା ଦେଖାଦେଇଛି। କୋଭାକ୍ସ କାର୍ଯ୍ୟକ୍ରମ ପାଇଁ ଧନୀ ଦେଶମାନେ ଅଧିକରୁ ଅଧିକ ଟିକା ଦାନ କରିବାକୁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି, ଯେଉଁ ଦେଶମାନେ ସେମାନଙ୍କ ଜନସଂଖ୍ୟା ତୁଳନାରେ ଅଧିକ ଟିକା ଉତ୍ପାଦନ କରୁଛନ୍ତି,ସେମାନେ ଏ କ୍ଷେତ୍ରରେ ସହାୟତା କରିପାରିବେ।
ଶ୍ରୀ ଗୁଟେରସ୍ କହିଛନ୍ତି,ସାମୂହିକ ଟୀକାକରଣକୁ ନିଶ୍ଚିତ କରି ବିଶ୍ୱ କୋଭିଡ୍-୧୯ ନାଇଣ୍ଟିନ୍ର ମୁକାବିଲା କରିପାରିବ। ସେ କହିଛନ୍ତି, ଆମେ ଯଦି କୋଭିଡ୍-୧୯କୁ ସମୂଳେ ବିନାଶ ନ କରିବା, ତାହାହେଲେ ଏହା ପୁନର୍ବାର ମୁଣ୍ଡ ଟେକିବାର ସମ୍ଭାବନା
ରହିଛି।