କଲକାତା : ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି । ତେବେ ନିର୍ବାଚନ ପୂର୍ବରୁ ଟିଏମ୍ସି ବିଧାୟକ ଏବଂ ନେତାମାନେ ଦଳ ଛାଡ଼ିବା ଘଟଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଡୁଆରେ ପକାଇଛି । ରାଜ୍ୟରେ ବିଜେପିର ପୃଷ୍ଠଭୂମିକୁ ମଜଭୁତ କରିବା ଲାଗି ନିକଟରେ ସଭାପତି ଜେ. ପି. ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଆସିଥିବାବେଳେ ଶନିବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି ଗୃହମନ୍ତ୍ରୀ ଅମିତ ଶାହ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଉଛନ୍ତି ।
ପଶ୍ଚିମବଙ୍ଗ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହା ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ମମତା ବାନାର୍ଜୀଙ୍କୁ କଡା କଟାକ୍ଷ କରିଛନ୍ତି । ମମତା ବାନାର୍ଜୀ କହୁଛନ୍ତି, ବିଜେପି ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । କିନ୍ତୁ ଖୋଦ ଦିଦି କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ ଗଢିଛନ୍ତି, ଏହା କଣ ଦଳ ବଦଳ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଶାହ ।
ଅମିତ ଶାହ କହିଛନ୍ତି ଯେ କିଛି ବଡ ନେତା କହିଛନ୍ତି ଯେ ବଙ୍ଗଳାରେ ତୃଣମୂଳ କଂଗ୍ରେସକୁ କେହି ପରାସ୍ତ କରିପାରିବେ ନାହିଁ। ମୁଁ ତାଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଲୋକସଭା ନିର୍ବାଚନରେ ସେ କହୁଥିଲେ ଯେ ବିଜେପି ଖାତା ଖୋଲିପାରିବ ନାହିଁ। ଆମେ ଦିଲ୍ଲୀପ ଘୋଷ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୧୮ ଟି ଆସନ ଜିତିଛୁ।ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍ ଜିତିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।