ନୂଆଦିଲ୍ଲୀ: ନୂତନ ଭାବେ ଲାଗୁ କରାଯିବାକୁ ଥିବା ତିନିଟି କୃଷି ଆଇନ୍କୁ କୌଣସି ବି ପରିସ୍ଥିତିରେ ପ୍ରତ୍ୟାହାର କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି। ଏ ପରିସ୍ଥିତିରେ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ଆନ୍ଦୋଳନ ଅବ୍ୟାହତ ରଖିଥିବା କୃଷକମାନେ ଆଜି ଆଉ ପାଦେ ଆଗେଇ ଯାଇଛନ୍ତି। ଆନ୍ଦୋଳନରତ କୃଷକମାନେ ଆଜି ସେମାନଙ୍କ ରକ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ନୂତନ ଚାଷ ଆଇନ ରଦ୍ଦ କରିବାକୁ ଦାବି କରିଛନ୍ତି।
ଆନ୍ଦୋଳନସ୍ଥଳୀ ଦିଲ୍ଲୀର ସିଙ୍ଗୁ ସୀମାରେ ଆୟୋଜିତ ଏକ ଶିବିରରେ ରକ୍ତଦାନ କରିଥିବା ଆନ୍ଦୋଳନରତ କୃଷକ ଗୋଷ୍ଠୀ ସେମାନଙ୍କ ରକ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ଚାଷ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଏହି ଚିଠି ଲେଖିଛନ୍ତି।
ପତ୍ରରେ ଆନ୍ଦୋଳନକାରୀ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଶୁଭ ସକାଳ ନରେନ୍ଦ୍ର ମୋଦୀ ଜୀ! ଆମେ ନିଜ ରକ୍ତରେ ଏହି ଚିଠି ଲେଖୁଛୁ। ତୁମେ ଆମ ଦେଶର ପ୍ରଧାନମନ୍ତ୍ରୀ। ଆମ ଭୋଟ୍ ଦ୍ୱାରା ନିର୍ବାଚିତ ହୋଇ ଏହି ତିନିଟି ଆଇନ୍ ପ୍ରଣୟନ କରି କୃଷକମାନଙ୍କ ସହ ବିଶ୍ୱାସଘାତକତା କରିଛ। ତେଣୁ, ଏହି ତିନିଟି ଆଇନକୁ ଫେରାଇ ନେବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ’। ବୋଲି ଚିଠିରେ ଲେଖା ଅଛି।
ଏହି ଚିଠି ବ୍ୟତୀତ କିଛି କୃଷକ ସେମାନଙ୍କ ରକ୍ତ ବ୍ୟବହାର କରି ବାର୍ତ୍ତା ମଧ୍ୟ ଲେଖିଥିଲେ, ଯେଉଁଥିରେ ଲେଖାଥିଲା: କଳା ଆଇନକୁ ଫେରାଇ ନିଅ, ଆମେ କଳା ଆଇନକୁ ପ୍ରତ୍ୟାଖ୍ୟାନ କରୁଛୁ, ଦୟାକରି ଫେରାଇ ନିଅ।